ଢେଙ୍କାନାଳ ୨୮/୧୧ : ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ । ଏନ ଏଚ-୫୫ର ଢେଙ୍କାନାଳ ସହରର ଉପକଣ୍ଠ ଗୋବିନ୍ଦପୁର ନିକଟରେ ଘଟିଛି ଏହି ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତ୍ରିରେ ସ୍କୁଟିକୁ ଧକ୍କା ଦେଇଥିଲା ଅଜଣା ଗାଡି । ଫଳରେ ସ୍କୁଟିରେ ଥିବା ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । 

ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୋଲିସ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ଯୁବକଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ତେବେ ଦୁର୍ଘଟଣାଗ୍ରସ୍ତ ସ୍କୁଟିଟି କଟକ ମାହାଙ୍ଗା ଅଂଚଳର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ସେପଟେ ମୃତକଙ୍କ ମଧ୍ୟରୁ ଦୁଇଜଣ ଯୁବକ ଚୌଦ୍ୱାର ଶକ୍ତି ହୋଟେଲର ଟିସର୍ଟ ପିନ୍ଧିଥିବା ଦେଖାଯାଇଛି।

ମୃତକ ମାନେ ଢେଙ୍କାନାଳ ତୁମୁସିଂହା ଥାନା ମାଛିଆ ଗ୍ରାମର ମିଥୁନ ପାତ୍ର, କଟକ ମାହାଙ୍ଗା ଥାନା ଜଳେଶ୍ୱରପୁର ଗ୍ରାମର ଜଗନ୍ନାଥ ଦାଶ ଓ ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ କଞ୍ଜା ଗ୍ରାମର ସୁରେନ୍ଦ୍ର ବେହେରା ବୋଲି ଜଣାପଡିଛି। ମୃତ ଯୁବକ ଚୌଦ୍ୱାର ଅଂଚଳର ଶକ୍ତି ହୋଟେଲର କର୍ମଚାରୀ ବୋଲି ଜଣାପଡିଛି। ତେବେ ସ୍କୁଟି ଯୋଗେ ୩ ସାଥି ଢେଙ୍କାନାଳରୁ ଚୌଦ୍ୱାର ଯାଉଥିବା ବେଳେ ପଛପଟୁ କୌଣସି ଗାଡି ତାଙ୍କୁ ଧକ୍କା ଦେଇ ପଳାଇଯାଇଥିବା ଜଣାପଡିଛି। ଗୋବିନ୍ଦପୁର ଫାଣ୍ଡି ପୋଲିସ ଦୁର୍ଘଟଣା ଗ୍ରସ୍ତ ସ୍କୁଟିକୁ ଜବତ କରି ତଦନ୍ତ ଚଳାଇଛି।