LIVE TV

ଗ୍ରାମବାସୀଙ୍କୁ ଆକ୍ରମଣ ପରେ ୩ ବାଂଲାଦେଶୀଙ୍କୁ ତ୍ରିପୁରାରେ ହତ୍ୟା: ବିଗିଡ଼ିଲା କୂଟନୈତିକ ସମ୍ପର୍କ

NEWS7
3 bangladeshis killed in tripura after attacking locals

ପାଟନା: ବାଂଲାଦେଶର ୩ ଜଣ ଗୋରୁ ଚୋରାଚାଲାଣକାରୀଙ୍କୁ ପିଟି ପିଟି ମାରିଦେଲେ ତ୍ରିପୁରା ଲୋକେ। ଏମାନେ ବେଆଇନ ଭାବେ ଭାରତ ସୀମା ଭିତରକୁ ୩ କିଲୋମିଟର ପର୍ଯ୍ୟନ୍ତ ପଶି ଆସିଥିଲେ। ସୀମା ନିକଟସ୍ଥ ବିଦ୍ୟାବିଲ ଗାଁରୁ ସେମାନେ ଗୋରୁ ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ସେମାନେ ମାରଣାସ୍ତ୍ର ଧରି ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ। ଗ୍ରାମବାସୀଙ୍କର ପାଲଟା ଆକ୍ରମଣରେ ୩ ବାଂଲାଦେଶୀ ଚୋରାଚାଲାଣକାରୀଙ୍କର ମୃତ୍ୟୁ ହୋଇଛି। ଜଣେ ଗ୍ରାମବାସୀଙ୍କର ବି ମୃତ୍ୟୁ ହୋଇଛି।

ଘଟଣାକୁ ବାଂଲାଦେଶ ରାଜନୀତିର ରୂପ ଦେବାକୁ ଚେଷ୍ଟା କରିଛି। ଏହାକୁ ବିରୋଧ କରି ଘଟଣା ଅତି ଘୃଣ୍ୟ, ଆଦୌ ଗ୍ରହଣୀୟ ନୁହେଁ ଓ ଏହା ମାନବାଧିକାରର ଘୋର ଉଲ୍ଲଂଘନର ବୋଲି ବାଂଲାଦେଶ କହିଛି। ଏଥିସହିତ ମାମଲାରେ ଭାରତ ସରକାର ତୁରନ୍ତ ନିରପେକ୍ଷ ସ୍ୱଚ୍ଛ ତଦନ୍ତ କରି ନ୍ୟାୟ ଦିଅନ୍ତୁ ବୋଲି ବାଂଲାଦେଶ ଦାବି କରିଛି। ଫଳରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ହୋଇଛି।

ବାଂଲାଦେଶର ଏଭଳି ଅଭିଯୋଗକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି। ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସ୍ୱାଲ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ଯେ ଅକ୍ଟୋବର ୧୫ ତାରିଖରେ ଭାରତ ସୀମାର ୩ କିଲୋମିଟର ଭିତରେ ଘଟଣା ଘଟିଥିଲା। ଚୋରାଚାଲାଣକାରୀମାନେ ବିଦ୍ୟାବିଲ ଗାଁରୁ ଗୋରୁ ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ଏଥିରେ ସେମାନେ ପ୍ରଥମେ ଲୁହା ମାରଣାସ୍ତ୍ର ଓ ଛୁରିରେ ଆକ୍ରମଣ କରିଥିଲେ। ଗ୍ରାମବାସୀମାନେ ନିଜକୁ ବଞ୍ଚାଇବା ଯାଇ ପାଲଟା ଆକ୍ରମଣ କରିଥିଲେ।

ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ହେବାରୁ ସ୍ଥାନୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ୨ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ହୋଇ ସାରିଥିଲା। ଦିନକ ପରେ ତୃତୀୟ ଜଣଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ବୋଲି ଜୟସ୍ୱାଲ କହିଛନ୍ତି। ଏଥିରେ ଜଣେ ଗ୍ରାମବାସୀଙ୍କର ମୃତ୍ୟୁ ହୋଇଛି ବୋଲି ଜୟସ୍ୱାଲ ସୂଚନା ଦେଇଛନ୍ତି। ମୋଟ ଉପରେ ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି।

ତଥାପି ଢାକା ଏପରି ଅମାନବୀୟ କାର୍ଯ୍ୟର ପୁନରାବୃତ୍ତିକୁ ରୋକିବା ପାଇଁ ଭାରତ ଆନ୍ତରିକ ପ୍ରୟାସ କରୁ ବୋଲି କହିଛି। ଏନେଇ ବାଂଲାଦେଶୀ ବୈଦେଶିକ ମନ୍ତ୍ରଣାଳୟ କହିଛି ବାଂଲାଦେଶ ସରକାର ଗୁରୁତ୍ୱାରୋପ କରେ ଯେ ସମସ୍ତ ବ୍ୟକ୍ତି, ସେମାନଙ୍କର ଜାତୀୟତା ନିର୍ବିଶେଷରେ, ସେମାନଙ୍କର ମାନବାଧିକାରର ପୂର୍ଣ୍ଣ ସୁରକ୍ଷା ପାଇବାର ହକଦାର, ସେମାନେ ଅସାବଧାନତାବଶତଃ ସୀମାର ଯେଉଁ ପାର୍ଶ୍ୱରେ ଥାଆନ୍ତୁ ନା କାହିଁକି।

ସୀମାରେ ଶାନ୍ତି କାଏମ ରଖିବା ପାଇଁ ଭାରତର ପ୍ରତିଶ୍ରୁତିକୁ ଦୋହରାଇ ଜୟସ୍ୱାଲ କହିଛନ୍ତି ଯେ ବାଂଲାଦେଶ ସୀମାରେ ବାଡ଼ ବସାଇବାକୁ ଭାରତକୁ ସହଯୋଗ କରୁ। ଏଥିରେ ଚୋରାଚାଲାଣ ଭଳି ସମ୍ୟାର ସମାଧାନ ହେବ।