ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ଚନ୍ଦୁକୁଡା ଗ୍ରାମର ଗୌରାଙ୍ଗ ଜେନାଙ୍କ ଶୋଇବା ଘରୁ ୨୩ଟି ନାଗଛୁଆ ବା ଗୋଖର ସାପର ଛୁଆ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ସୋମବାର ରାତିରେ ଗୌରାଙ୍ଗ ଜେନା ତାଙ୍କ ଶୋଇବା ଘରେ ଏକ ଛୋଟ ସାପ ବୁଲୁଥିବା ଦେଖି ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଛୋଟ ସାପ ହୋଇଥିଲେ ମଧ୍ୟ ଏହା ଫଣା ଟେକି ଚୋଟ ମାରିବାକୁ ଉଦ୍ୟମ କରିଥିଲା।

ପରେ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ ଏବଂ ଘର ଭିତରେ ଆହୁରି କିଛି ସାପ ଥିବା ଦେଖିଥିଲେ। ଏହାପରେ ସ୍ନେକ୍ ହେଲ୍ପଲାଇନ୍ର ରାଜ୍ୟ ସଂଯୋଜକ ପ୍ରମୋଦ ସାହୁଙ୍କୁ ଖବର ଦେଇଥିଲେ। ତାଙ୍କ ସହଯୋଗୀ ଜାହାଙ୍ଗୀର ଖାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ମାଟିଘରର ସମ୍ପୂର୍ଣ୍ଣ ଚଟାଣ ଖୋଲି ଖୋଜାଖୋଜି କରିବା ପରେ ୨୩ଟି ନାଗଛୁଆ ଉଦ୍ଧାର କରାଯାଇଥିଲା। ଏହା ସହ କିଛି ସାପ ଅଣ୍ଡାର ଖୋଳପା ମଧ୍ୟ ଉଦ୍ଧାର କରାଯାଇଥିଲା।

ପ୍ରମୋଦ ସାହୁ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ନାଗ ସାପ ଅଣ୍ଡାରୁ ଛୁଆ ବାହାରିବାର ଉପଯୁକ୍ତ ଋତୁ ଚାଲିଛି। ତେଣୁ ଲୋକମାନେ ସତର୍କ ରହିବା ଆବଶ୍ୟକ। ବିଷଧର ସାପ ଛୋଟ ହୋଇଥିଲେ ମଧ୍ୟ ତାହାର ବିଷ ପ୍ରାଣଘାତକ ହୋଇପାରେ। ବିଶେଷ କରି ବର୍ଷାଦିନରେ ଖଟିଆ ଉପରେ ମଶାରୀ ଟାଙ୍ଗି ଶୋଇବା ସହିତ ଘର ଓ ଘର ଚାରିପାଖର ପରିବେଶ ସଫା-ସୁତରା ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି।ଉଦ୍ଧାର ହୋଇଥିବା ସମସ୍ତ ନାଗଛୁଆଙ୍କୁ ସୁରକ୍ଷିତ ଭାବେ ଦୂରସ୍ଥ ପ୍ରାକୃତିକ ଆବାସସ୍ଥଳରେ ଛାଡ଼ି ଦିଆଯାଇଛି।