ଭୁବନେଶ୍ଵର: ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନର ୨୧ ତମ କିସ୍ତି । ଦେଶର ୯କୋଟି ଚାଷୀଙ୍କ ଖାତାକୁ ୧୮ହଜାର କୋଟି ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଅନ୍ନଦାତାଙ୍କ ଉନ୍ନତି ତଥା କୃଷି ବିକାଶ ଦିଗରେ ଏହା ବେଶ୍ ସହାୟକ ହେଉଛି । ନ୍ୟାଚୁରାଲ୍ ଫାର୍ମିଂ, କେମିକାଲ ଫ୍ରି ଫାର୍ମିଂ ଓ ମିଲେଟ୍ ଚାଷ ଉପରେ ଗୁରୁତ୍ବ ଦେବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିଭଳି ଓଡ଼ିଶାରେ ୩୪ ଲକ୍ଷ ୧୨ ହଜାରରୁ ଅଧିକ ଚାଷୀଙ୍କ ଖାତାକୁ ଯାଇଛି ପିଏମ କିଷାନ ଟଙ୍କା । ଆୟ ବଢ଼ାଇବାକୁ ମିଶ୍ରିତ ଚାଷ ଉପରେ ଗୁରୁତ୍ବ ଦେବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଦେଶର ୯କୋଟି ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନ ଟଙ୍କା । ତାମିଲନାଡୁର କୋଏମ୍ବାଟୁରରୁ ପିଏମ କିଷାନ କିସ୍ତି ବାବଦକୁ ୧୮ହଜାର କୋଟି ଟଙ୍କା ବାଣ୍ଟିଲେ ପିଏମ ମୋଦି । ଏହା ଦ୍ବାରା ଦେଶର କ୍ଷୁଦ୍ର, ମଧ୍ୟମ, ବୃହତ୍ ଓ ସହରାଞ୍ଚଳର ଭୂମିଧାରୀ ଚାଷୀମାନେ ଉପକୃତ ହେଉଛନ୍ତି | ପ୍ରଧାନମନ୍ତ୍ରୀଙ୍କର ଯୁଗାନ୍ତକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଦେଶର ଚାଷୀ, ଗରିବ, ମହିଳା ସମସ୍ତେ ଉପକୃତ ହେଉଛନ୍ତି | ୨୦୧୯ରୁ ପିଏମ କିଷାନ ଯୋଜନା ଆରମ୍ଭ ହୋଇଥିଲା | ସେବେ ଠାରୁ ଆଜି ପର୍ଯ୍ୟନ୍ତ ୩ ଲକ୍ଷ ୯୦ ହଜାର କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚାଇଛନ୍ତି ମୋଦି ସରକାର। ଦେଶର ଅନ୍ନଦାତାଙ୍କ ଉନ୍ନତି ଏହାର ମୁଖ୍ୟ ଉଦେଶ୍ୟ । ନ୍ୟାଚୁରାଲ୍ ଫାର୍ମିଂ, କେମିକାଲ ଫ୍ରି ଫାର୍ମିଂ ଓ ମିଲେଟ୍ ଚାଷ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେହିଭଳି ଆଜି ଓଡ଼ିଶାର ୩୪ ଲକ୍ଷ ୧୨ ହଜାରରୁ ଅଧିକ ଚାଷୀଙ୍କୁ ମିଳିଛି ପିଏମ କିଷାନ ସହାୟତା ରାଶି । ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚାଷୀଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟ ମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହଦେଓ । ୨୦୩୬ରେ ବିକଶିତ ଓଡ଼ିଶା କରିବାକୁ ହେଲେ, ଚାଷୀଙ୍କୁ ମିଶ୍ରିତ ଚାଷ ଉପରେ ଫୋକସ କରିବାକୁ ପଡ଼ିବ | ଅଧିକ ଆୟ କରିବାକୁ ମିଶ୍ରିତ ଚାଷ ଉପରେ ଗୁରୁତ୍ବ ଦେବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ଧାନ ଚାଷ ନୁହେଁ ଡାଲି ଜାତୀୟ, ତୈଳ ଜାତୀୟ ଭଳି ଆନୁସଙ୍ଗିକ ଚାଷ କାର୍ଯ୍ୟ କରିବାକୁ କହିଛନ୍ତି । ଏହା ଦ୍ବାରା ଚାଷୀଙ୍କ ଆୟ ବହୁ ଗୁଣିତ ହେବ ବୋଲି କହିଛନ୍ତି ସିଏମ ।

କୃଷି ବିଦ୍ୟାନିଧି ଯୋଜନାରେ ୨୦୨୪-୨୫ ଶିକ୍ଷା ବର୍ଷରେ ଚାଷୀ ପରିବାରର ୧୩ ହଜାର ୯୨୩ ଜଣଙ୍କୁ ୫୩ କୋଟି ୬୭ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି | ପୂର୍ବବର୍ଷ ତୁଳନାରେ ଏହା ୫ ଗୁଣ ଅଧିକ | କୃଷକମାନଙ୍କ ପାଇଁ ମିଳୁଥିବା ସମସ୍ତ ଯୋଜନାର ସୁବିଧା ସୁଯୋଗ ସମସ୍ତ ଯୋଗ୍ୟ ଚାଷୀ ପାଆନ୍ତୁ, ସେ ନେଇ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।