LIVE TV

ରାଜ୍ୟରେ ଚାଲିବ ୨୦୦ଟି ଇ-ବସ, ‘ଆହାର’ ପାଇଁ ୫୧୨ କୋଟି ଟଙ୍କା ବ୍ୟୟ ବରାଦ; ୫ଟି ପ୍ରସ୍ତାବକୁ ଅନୁମୋଦନ

NEWS7
Cabinet meeting

ଭୁବନେଶ୍ଵର: ରାଜ୍ୟରେ ବିଜେପି ସରକାରକୁ ଆଜି ପୂରିଛି ୫୦୦ ଦିନ। ଏହି ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ୍ ବୈଠକ। ଏଥିରେ ୪ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ଇ-ବସ, ଆହାର ଯୋଜନା, ପ୍ରାଣୀ ସଂପଦ, ବିମାନ ବନ୍ଦର ଭିତ୍ତିଭୂମି ଓ କୃଷି ଉପରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାର ଏହାର ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି, ଆଗାକୁ ରାଜ୍ୟରେ ୨୦୦ ଟି ଇ- ବସ ରାଜ୍ୟରେ ଚାଲିବ । ଯେଉଁଥିରେ ପ୍ରଥମକରି ଅନୁଗୁଳ, ଝାରସୁଗୁଡ଼ା, କେଉଁଝର ଓ ବାରିପଦାରେ ୨୫ ଲେଖାଏଁ ନୂଆ ଇ ବସ ଚାଲିବ । ସେହିଭଳି ବ୍ରହ୍ମପୁର ଓ ସମ୍ବଲପୁର ୫୦ ବସ ଚାଲିବ । ଏଥିପାଇଁ ୯୫୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିସହ ଏଣିକି ଆହାର ଯୋଜନାର ଖର୍ଚ୍ଚ ରାଜ୍ୟ ସରକାର ନିଜେ ବହନ କରିବେ । ଏଥିପାଇଁ ୫ ବର୍ଷ ପାଇଁ ୫୧୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ କ୍ଷୁଦ୍ର ପ୍ରାଣୀ ଉନ୍ନୟନ ଉପ ଯୋଜନା କୁ କ୍ୟାବିନେଟ ର ମୋହର ବାଜିଛି । ଏହି ଯୋଜନା ଆସନ୍ତା ୪ ବର୍ଷ ପାଇଁ ୨୯୪.୩୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ଯୋଜନା ଦ୍ୱାରା ୨୩ ହଜାର ୭୩୫ କୃଷକ ଉପକୃତ ହେବେ ।  ବିମାନ ବନ୍ଦର ଗୁଡିକର ଭିତ୍ତିଭୂମି ବିକାଶ ଓ ଆଧୁନୀକରଣ ପାଇଁ ଖର୍ଚ୍ଚ ହେବ ୪.୧୮୨ କୋଟି ଟଙ୍କା । ଏହାକୁ କ୍ୟାବିନେଟ୍ ର ମୋହର ବାଜିଛି । ବିମାନ ସଂଯୋଗ, ରକ୍ଷଣାବେକ୍ଷଣ, ମରାମତି, କର୍ଗୋ ଓ ଲଜେଷ୍ଟିକ ବିକାଶ, ନୂଆ ପ୍ରଯୁକ୍ତିବିଦ୍ୟା ର ବ୍ୟବହାର ଇତ୍ୟାଦି ଅର୍ନ୍ତଭୁକ୍ତ ରହିଛି । ଫସଲ ବିବିଧିକରଣ କାର୍ଯ୍ୟକ୍ରମ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫୨୩.୯୮ କୋଟି ଟଙ୍କା ।