News7 Logo

ରାଜ୍ୟର ୨ ମେଡିକାଲ୍ କଲେଜ ପାଇଁ ୨୦୦ MBBS ସିଟ୍ ମଞ୍ଜୁର, ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ କହିଲେ ମୁଖ୍ୟମନ୍ତ୍ରୀ

NEWS7
mohan

ଭୁବନେଶ୍ବର: ରାଜ୍ୟର ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଏମ୍‌ବିବିଏସ୍ ଆସନ ଅନୁମୋଦିତ ହୋଇଛି । ଜାତୀୟ ମେଡିକାଲ କମିଶନ ଏଥିପାଇଁ ମଞ୍ଜୁରି ପ୍ରଦାନ ଦେଇଛି । ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ସିଟ୍ ଓ ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ୧୦୦ ସିଟ୍ ଅନୁମୋଦିତ ହୋଇଛି । ଚଳିତ ୨୦୨୫-୨୬ ଶିକ୍ଷା ବର୍ଷଠାରୁ ଏଠାରେ ପାଠ ପଢା ଆରମ୍ଭ ହେବ ।

ଜାତୀୟ ମେଡିକାଲ କମିଶନ୍ ଦ୍ଵାରା ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଗୋଟିଏ ବର୍ଷରେ ୨୦୦ ଓଡ଼ିଆ ଛାତ୍ରଛାତ୍ରୀ ଚଳିତ ଶିକ୍ଷା ବର୍ଷ ଠାରୁ ଡାକ୍ତରୀ ଶିକ୍ଷା ଗ୍ରହଣ କରି ପାରିବେ । ନୂଆ ସରକାର ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଓଡ଼ିଶାର ସ୍ବାସ୍ଥ୍ୟ ସେବା ଓ ସ୍ଵାସ୍ଥ୍ୟ ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରି ଚାଲିଛନ୍ତି । ଏହି ମଞ୍ଜୁରୀ ଦ୍ଵାରା ସରକାରଙ୍କ ଉଦ୍ୟମ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅନୁମତି ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସେହିପରି ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏକ୍ସରେ ସେ ଲେଖିଛନ୍ତି, 'ଫୁଲବାଣୀ ମେଡିକାଲ କଲେଜ ଏବଂ ତାଳଚେରର ପବିତ୍ର ମୋହନ ମେଡିକାଲ କଲେଜରେ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ୨୦୦ MBBS ସିଟରେ ନାମ ଲେଖା ଆରମ୍ଭ କରିବା ପାଇଁ Letter of Permission (LOP) ପ୍ରଦାନ ସହ ସିଟ୍ ସଂଖ୍ୟା ବୃଦ୍ଧିକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଉଛି।'