LIVE TV

"ଆମକୁ ଟଚ୍ କରୁଥିଲେ, ଅଶ୍ଳୀଳ ମେସେଜ୍ ପଠାଉଥିଲେ" ;୧୭ କଲେଜ ଛାତ୍ରୀ ସ୍ୱାମୀ ଚୈତନ୍ୟାନନ୍ଦଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ

NEWS7
Molestation

ନୂଆଦିଲ୍ଲୀ :  ସାଉଥ୍ ଦିଲ୍ଲୀର ବସନ୍ତ କୁଞ୍ଜରେ ଥିବା ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ରିସର୍ଚ୍ଚ ଦିଲ୍ଲୀ (SIIM) ର ନିର୍ଦ୍ଦେଶକଙ୍କ ନାଁରେ ଏକ ସାଙ୍ଘାତିକ୍ ଅଭିଯୋଗ ହୋଇଛି। ଏଠାରେ ପଢ଼ୁଥିବା ଛାତ୍ରୀମାନେ ଦିଲ୍ଲୀ କ୍ୟାମ୍ପସର ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ନାଁରେ ଯୌନ ନିର୍ଯାତନା, ଅଶ୍ଳୀଳ ଭାଷା ବ୍ୟବହାର ଓ ଅଶ୍ଳୀଳ ମେସେଜ ପଠାଇବାର ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପାଇବା ପରେ, ବସନ୍ତ କୁଞ୍ଜ  ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ଫେରାର୍ ଅଛନ୍ତି ବାବା ଚୈତନ୍ୟାନନ୍ଦ।

ଅଗଷ୍ଟ ୪, ୨୦୨୫ରେ, ଶ୍ରୀ ଶୃଙ୍ଗେରୀ ମଠର ପ୍ରଶାସକ ପି.ଏ. ମୁରଲୀ ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ମୋଟ୍ ୩୨ ଜଣ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଏଥିମଧ୍ୟରୁ ୧୭ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅପମାନଜନକ ଭାଷା, ଅଶ୍ଳୀଳ ମେସେଜ୍ ଏବଂ ଶାରୀରିକ ସମ୍ପର୍କ ରଖିବାର ଅଭିଯୋଗ ଆଣିଥିଲେ। ଛାତ୍ରମାନେ ରିପୋର୍ଟ କରିଛନ୍ତି ଯେ ଯେତେବେଳେ ସେମାନେ ପ୍ରତିବାଦ କରିଥିଲେ, କିଛି ଅଧ୍ୟାପକ ସେମାନଙ୍କ ଉପରେ ଚାପ ପକାଇ ଚାଲିଥିଲେ।

ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ଶ୍ରୀଙ୍ଗେରୀ (କର୍ଣ୍ଣାଟକ) ର ଶ୍ରୀ ଶାରଦା ପୀଠ ଏକ ବିବୃତ୍ତି ଜାରି କରି କହିଛି ଯେ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୁଦ୍ଧରେ ଗମ୍ଭୀର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କର ଆଚରଣ ଏବଂ କାର୍ଯ୍ୟକଳାପ ବେଆଇନ, ଅନୁପଯୁକ୍ତ ଏବଂ ପୀଠର ସ୍ୱାର୍ଥ ବିରୋଧୀ, ସେଥିପାଇଁ ତାଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରାଯାଇଛି। ଅଭିଯୁକ୍ତଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି।

ଦିଲ୍ଲୀ ପୋଲିସ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ କୁଞ୍ଜ ଉତ୍ତର ପୋଲିସ ଷ୍ଟେସନରେ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥିଙ୍କ ବିରୁଦ୍ଧରେ ଛାତ୍ରୀଙ୍କ ବିରୁଦ୍ଧରେ ଯୌନ ଶୋଷଣ ଏବଂ ଠକେଇ ମାମଲା ରୁଜୁ କରାଯାଇଛି। ଅଭିଯୋଗ ପରେ, ଦିଲ୍ଲୀ ପୋଲିସ IPC ଧାରା 75(2)/79/351(2) ଅନୁଯାୟୀ ଏକ ମାମଲା ରୁଜୁ କରିଛି।ପୋଲିସ ତାଙ୍କର ବିଭିନ୍ନ ସ୍ଥାନରେ ଚଢାଉ ଚଳାଇଛନ୍ତି। ଏହି ଚଢ଼ାଉରେ ଅନେକ ସଙ୍ଘାତିକ ଖୁଲାସା ହୋଇଛି।  ଦିଲ୍ଲୀ ପୋଲିସ ଅନୁଯାୟୀ, ପଟିଆଲା ହାଉସ ମାଜିଷ୍ଟ୍ରେଟ୍ କୋର୍ଟରେ ଏପର୍ଯ୍ୟନ୍ତ ୧୬ଜଣ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି।

ଅନ୍ୟପଟେ ପୋଲିସେ ମ୍ୟନେଜମେଣ୍ଟ କଲେଜର ସିସିଟିଭି ଫୁଟେଜ୍ ଜବତ କରିଛି। ପ୍ରତିଷ୍ଠାନର ବେସମେଣ୍ଟରୁ ଅଭିଯୁକ୍ତଙ୍କ ଭଲଭୋ କାରକୁ ମଧ୍ୟ ଜବତ କରିଛି। ପୋଲିସର କହିବା ଅନୁଯାୟୀ, କାରରେ ନକଲି ଲାଇସେନ୍ସ ପ୍ଲେଟ୍ ଥିଲା। ଆଗକୁ ବାବାଙ୍କ ଆହୁରି ଅନେକ ଗୁମର ଖୋଲିବ ପୋଲିସ୍। ​​​​​​​

 

​​​​​​​