ନୂଆଦିଲ୍ଲୀ ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ। ବିଷ ବଳୟରେ ଜାତୀୟ ରାଜଧାନୀ। ଲୋକେ ଅଣନିଶ୍ୱାସୀ। ଦୀପାବଳି ପରଠୁ ଏଭଳି ଦଶା ଭୋଗୁଛନ୍ତି ରାଜଧାନୀବାସୀ। ଆପଣ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି। ପ୍ରତିବର୍ଷ ଏମିତି ତ ଖବର ଶିରୋନାମାରେ ରହୁଛି। ଆଉ ତାପରେ ଯାହାକୁ ସେଇଆ। ହେଲେ ଏହି ପ୍ରଦୂଷଣ ମଣିଷ ପାଇଁ କେତେ ଘାତକ ହୋଇପାରେ ତାହାର ଏକ ଷ୍ଟଡି ରିପୋର୍ଟ ସାମନାକୁ ଆସିଛି।

ଇନଷ୍ଟିଚ୍ୟୁଟ୍ ଫର୍ ହେଲ୍ଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏସନ୍ (IHME)ର ଏକ ନୂତନ ରିପୋର୍ଟରୁ ଜଣାପଡିଛି ଯେ ୨୦୨୩ରେ ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ୧୭,୧୮୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାର ଅର୍ଥ ପ୍ରତି ୭ଟି ମୃତ୍ୟୁରେ ଜଣଙ୍କ ମୃତ୍ୟୁର କାରଣ ପ୍ରଦୂଷଣ। ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଅନେକଙ୍କ ମୃତ୍ୟୁର କାରଣ ପାଲଟିଛି ସୂକ୍ଷ୍ମବାୟୁ ପ୍ରଦୂଷକ। ସେଣ୍ଟର ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ କ୍ଲିନ୍ ଏୟାର (CREA)ର ଏକ ବିଶ୍ଳେଷଣ ଅନୁଯାୟୀ, 2023 ମସିହାରେ ଦିଲ୍ଲୀରେ ହୋଇଥିବା ସମସ୍ତ ମୃତ୍ୟୁର ପ୍ରାୟ ୧୫% କେବଳ ପ୍ରଦୂଷଣ ଯୋଗୁଁ ହୋଇଛି।

ଗ୍ୟାସ ଚାମ୍ବରରେ ଏବେ ଦିଲ୍ଲୀ-NCRପ୍ରଦୂଷିତ ବାୟୁମଣ୍ଡଳ ଯୋଗୁଁ ବିଭିନ୍ନ ପ୍ରକାରର ଭାଇରସ ବ୍ୟାପିବାରେ ଲାଗିଛି। ୭୫% ପରିବାରରେ କେହି ନା କେହି ଅସୁସ୍ଥ ଅଛନ୍ତି। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ହୋଇଛି ଯେ ଦିଲ୍ଲୀର ଖରାପ ବାୟୁ ଗୁଣବତ୍ତା ଯୋଗୁଁ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ଉଚ୍ଚ କୋଲେଷ୍ଟ୍ରଲ୍ ଭଳି ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି।

୨୦୨୩ ମସିହାରେ ଦିଲ୍ଲୀରେ ଉଚ୍ଚ ରକ୍ତଚାପ ଯୋଗୁଁ ୧୪,୮୭୪ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ମୃତ୍ୟୁ ସଂଖ୍ୟାର ୧୨.୫%। ସେହିପରି ଡାଇବେଟିସ୍ ଯୋଗୁଁ ୧୦,୬୫୩ ଜଣଙ୍କ ମୃତ୍ୟୁ ହୋଇଛି। ହାଇ କୋଲେଷ୍ଟ୍ରଲରେ ୭,୨୬୭, ହାଇ BMI ଯୋଗୁଁ ୬,୬୯୮ ଜଣଙ୍କ ମୃତ୍ୟୁ ହୋଇଛି। ଏହାଠାରୁ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟା ଟପିଛି।

ବିଶେଷଜ୍ଞମାନେ କହିଛନ୍ତି ଯେ ଦିଲ୍ଲୀର ବାୟୁ ବର୍ଷ ବର୍ଷ ଧରି ଅଧିକ ବିଷାକ୍ତ ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମାନଦଣ୍ଡ PM 2.5 ଲେବଲକୁ ନିରନ୍ତର ଅତିକ୍ରମ କରୁଛି। ପ୍ରଦୂଷଣ ଯୋଗୁଁ ପିଲାମାନଙ୍କଠାରେ ଫୁସଫୁସ ରୋଗ, ହୃଦରୋଗ, ଷ୍ଟ୍ରୋକ୍ ଏବଂ ଆଜମା ଦ୍ରୁତ ଗତିରେ ବୃଦ୍ଧି ପାଇଛି। CREA ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ପ୍ରଦୂଷଣ କେବଳ ଏକ ପରିବେଶଗତ ସମସ୍ୟା ନୁହେଁ, ବରଂ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସଙ୍କଟ ପାଲଟିଛି। କହିବାକୁ ଗଲେ ପ୍ରଦୂଷଣ ସ୍ଲୋ ପଏଜନ ପରି ଗ୍ରାସୁଛି।

ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଦିଲ୍ଲୀକୁ ଏହି ବିପଦରୁ ରକ୍ଷା କରିବାକୁ ହୁଏ, ତେବେ ସରକାରଙ୍କୁ ଦୃଢ଼ ବିଜ୍ଞାନ ଭିତ୍ତିକ ନୀତି ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଯେଉଁଥିରେ ଶିଳ୍ପ ନିର୍ଗମନ ନିୟନ୍ତ୍ରଣ, ଯାନବାହନ ନିର୍ଗମନ କଡ଼ାକଡ଼ି କରିବା ଏବଂ ସବୁଜ କ୍ଷେତ୍ର ବିସ୍ତାର କରିବା ଭଳି ପଦକ୍ଷେପ ନେବା ଉଚିତ। ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ଯଦି ତୁରନ୍ତ ପଦକ୍ଷେପ ନିଆ ନ ଯାଏ, ତେବେ ଆଗାମୀ ବର୍ଷଗୁଡ଼ିକରେ ଦିଲ୍ଲୀରେ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ସଂଖ୍ୟା ଆହୁରି ଚିନ୍ତାଜନକ ହୋଇପାରେ।