ନୂଆଦିଲ୍ଲୀ: ଦେଶରେ ଯୁବପିଢିଙ୍କ ମଧ୍ୟରେ ଆତ୍ମହତ୍ୟା ହାର ବହୁ ମାତ୍ରାରେ ବୃଦ୍ଧି ପାଇଛି । ସ୍କୁଲ ପିଲା, କଲେଜ ଛାତ୍ରଛାତ୍ରୀ ହୁଅନ୍ତୁ, କିମ୍ବା କର୍ମଜୀବୀ ଯୁବକ-ଯୁବତୀ, ବିଭିନ୍ନ କାରଣରୁ ନିଜ ଜୀବନ ହରାଉଛନ୍ତି । କିଛି ଦିନ ତଳେ ଦିଲ୍ଲୀରେ ଦଶମ ଶ୍ରେଣୀର ଛାତ୍ର ରାଜେନ୍ଦ୍ର ନଗର ମେଟ୍ରୋ ଷ୍ଟେସନର ପ୍ଲାଟଫର୍ମରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସେ ସେଣ୍ଟ କଲମ୍ବା ସ୍କୁଲରେ ପଢ଼ୁଥିଲେ । ଆତ୍ମହତ୍ୟା ନୋଟରେ ତାଙ୍କୁ ତାଙ୍କ ଶିକ୍ଷକ ନିର୍ଯାତନା ଦେଇଥିବା ଉଲ୍ଲେଖ କରିଛନ୍ତି । ସେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଛାତ୍ରଙ୍କ ସହ ପ୍ରକୃତରେ କ’ଣ ଘଟିଥିଲା ତାହା ତଦନ୍ତର ବିଷୟ, କିନ୍ତୁ ଗୋଟିଏ କଥା ସ୍ପଷ୍ଟ, ଜଣେ ନିର୍ଦ୍ଦୋଷ ପିଲା ଜୀବନରୁ ଆଶା ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲା ।

ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (NCRB) ତଥ୍ୟ ଦର୍ଶାଉଛି ଯେ ୧୯୯୫ରୁ ୨୦୨୧ ଯାଏ ୧,୩୪,୭୩୫ ଜଣ ଯୁବକ ଆତ୍ମହତ୍ୟା କରିଛନ୍ତି । ଆଶ୍ଚର୍ଯ୍ୟଜନକ ଭାବରେ ୨୬ ବର୍ଷ ମଧ୍ୟରେ ଦେଶରେ ମୋଟ ପ୍ରାୟ ୩୩ ଲକ୍ଷ ଲୋକ ଆତ୍ମହତ୍ୟା କରିଥିଲେ, ଯେଉଁଥିରୁ ୪୦ ପ୍ରତିଶତ ଯୁବପିଢି ଥିଲେ । ଏନସିଆରବି ତଥ୍ୟ ଅନୁଯାୟୀ ୨୦୨୨ରେ ଦେଶରେ ୧,୭୦,୯୨୪ ଜଣ ଆତ୍ମହତ୍ୟା କରିଥିଲେ । ଏହି ସଂଖ୍ୟା ୨୦୨୧ ତୁଳନାରେ ୪.୨% ଅଧିକ ଥିଲା ।

୨୦୨୨ରେ ମହାରାଷ୍ଟ୍ରରେ ସର୍ବାଧିକ ଆତ୍ମହତ୍ୟା ରେକର୍ଡ କରାଯାଇଥିଲା । ଦ୍ୱିତୀୟ ତାମିଲନାଡୁ, ତା’ପରେ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗ ରହିଛି । କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ଆତ୍ମହତ୍ୟା ରେକର୍ଡ ହୋଇଛି ।​​​​​​​

ଗତ କିଛି ବର୍ଷ ମଧ୍ୟରେ ଆଉ ଏକ ଟ୍ରେଣ୍ଡ ଦେଖାଦେଇଛି । ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ ଆତ୍ମହତ୍ୟା ହାର ଅଧିକ ରହିଛି । ଏନସିଆରବି ତଥ୍ୟ ଅନୁଯାୟୀ ୨୦୨୨ରେ ୧,୨୨,୭୨୪ ପୁରୁଷ ଆତ୍ମହତ୍ୟା କରିଥିଲେ, ମହିଳାଙ୍କ ସଂଖ୍ୟା ୪୮,୧୭୨ ଥିଲା । ୨୦୨୨ ରିପୋର୍ଟ ଏହା ମଧ୍ୟ ଦର୍ଶାଉଛି ଯେ ୧୮ରୁ ୩୦ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ଆତ୍ମହତ୍ୟା ହାର ସର୍ବାଧିକ । ଏନସିଆରବି ତଥ୍ୟରେ ଯୁବପିଢ଼ିଙ୍କ ଆତ୍ମହତ୍ୟାର କାରଣ ଓ ପ୍ରତିଶତ ବି ଉଲ୍ଲେଖ କରାଯାଇଛି ।

ସାରା ଦେଶରେ ଆତ୍ମହତ୍ୟାର ଧାରା ଚିନ୍ତାଜନକ ଥିବା ବେଳେ, ରାଜସ୍ଥାନର କୋଟାରେ ପ୍ରତିବର୍ଷ ଅନେକ ଛାତ୍ର ଆତ୍ମହତ୍ୟା କରୁଛନ୍ତି । ବିଫଳତାର ବୋଝ ଏବଂ ପାରିବାରିକ ଚାପ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛି । କୋଟା ପୋଲିସ ନିଜେ ୨୦୧୫ରୁ ୨୦୨୨ ପର୍ଯ୍ୟନ୍ତ ତଥ୍ୟ ପ୍ରକାଶ କରିଛି, ଯାହା ଦେଶର ଯୁବପିଢ଼ି କିପରି ନିଜର ଜୀବନ ହରାଉଛନ୍ତି ସ୍ପଷ୍ଟ ଭାବରେ ଦର୍ଶାଉଛି