ନୂଆଦିଲ୍ଲୀ ୧୯/୦୫: ଆତଙ୍କବାଦୀ ଦେଶ ପାକିସ୍ତାନ ବିପକ୍ଷରେ ବିମାନ ଆକ୍ରମଣ ପରେ, ଭାରତ ଏବେ ଏକ ରାଜନୈତିକ ଓ କୂଟନୈତିକ ସ୍ତରରେ ଆକ୍ରମଣ ଘୋଷଣା କରିଛି। ପାକିସ୍ତାନର କାରନାମା ପର୍ଦ୍ଦାଫାସ କରିବା ପାଇଁ ସରକାର ବିଭିନ୍ନ ଦେଶକୁ ସଂସଦୀୟ ପ୍ରତିନିଧି ଦଳ ପଠାଇବାକୁ ଘୋଷଣା କରିଛନ୍ତି । ଏହି ସଂସଦୀୟ ଦଳରେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଏବଂ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ୟୁସୁଫ ପଠାନଙ୍କ ନାମ ମଧ୍ୟ ସାମିଲ କରାଯାଇଥିଲା।
ହେଲେ ୟୁସୁଫ ପଠାନ ଭାରତ ସରକାରଙ୍କୁ ଜଣାଇ ଦେଇଛନ୍ତି ଯେ ସେ ଏହି ଗସ୍ତ ପାଇଁ ଉପଲବ୍ଧ ହେବେନି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଦେଶ ଗସ୍ତରେ ଯାଉଥିବା ସାଂସଦଙ୍କ ଗୋଷ୍ଠୀରେ ୟୁସୁଫ ପଠାନଙ୍କୁ ସାମିଲ କରାଯିବ ନାହିଁ । ସୂତ୍ର ଅନୁସାରେ ଭାରତ ସରକାର ସିଧାସଳଖ ସାଂସଦ ୟୁସୁଫ ପଠାନଙ୍କ ସହ ଯୋଗାଯୋଗ କରିଥିଲେ।
ସାଂସଦଙ୍କ ପ୍ରତିନିଧିମଣ୍ଡଳରେ ୟୁସୁଫ ପଠାନଙ୍କ ନାମ ସାମିଲ କରିବା ପୂର୍ବରୁ ଟିଏମସି ସହିତ କୌଣସି ପରାମର୍ଶ କରାଯାଇନଥିଲା। ଭାରତ ସରକାର ସିଧାସଳଖ ୟୁସୁଫ ପଠାନଙ୍କ ସହ ଯୋଗାଯୋଗ କରିଥିଲେ । ଏବେ ପଠାନ ଭାରତ ସରକାରଙ୍କୁ ଜଣାଇଛନ୍ତି ଯେ ସେ ପ୍ରତିନିଧିମଣ୍ଡଳୀ ସହିତ ବିଦେଶ ଯିବା ପାଇଁ ଉପଲବ୍ଧ ହେବେ ନାହିଁ ।
ଏହି ସମୟରେ, ଟିଏମସି ବୈଦେଶିକ ନୀତିକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିଛି । ବିଦେଶ ଯାଉଥିବା ସାଂସଦମାନଙ୍କ ପ୍ରତିନିଧିମଣ୍ଡଳରୁ ୟୁସୁଫ ପଠାନ ନିଜ ନାମ ପ୍ରତ୍ୟାହାର କରିବା ପରେ, ଟିଏମସି କହିଛି ଯେ ବୈଦେଶିକ ନୀତି ଭାରତ ସରକାରଙ୍କର ବିଷୟ। କେନ୍ଦ୍ର ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ନେବା ଉଚିତ।
ଉଲ୍ଲେଖନୀୟ ଯେ ଜମ୍ମୁ-କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ପାକ୍ ଅଧିକୃତ କାଶ୍ମୀର ଏବଂ ପଞ୍ଜାବ ପ୍ରଦେଶରେ ଅବସ୍ଥିତ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା।