ରାଜ୍ୟରେ ପୁଣି ଶୀତ ବଢ଼ିବ, ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିଯିବ

NEWS7
youth-dead-as-drowning-in-river-at-anandapur

ଭୁବନେଶ୍ୱର,୦୫/୦୧: ସୋମବାରଠାରୁ ରାଜ୍ୟରେ ପୁଣି ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନକୁ ଥରାଇବ ଶୀତ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି ।

ସୋମବାର ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା, ନବରଙ୍ଗପୁରରେ ରାତି ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ଭିତରେ ରହିବ । ମଙ୍ଗଳବାର ଫୁଲବାଣୀରେ ୮ ଡିଗ୍ରୀ, କୋରାପୁଟରେ ୯, ବୌଦ୍ଧ ଓ ଭବାନୀପାଟଣାରେ ୧୦, ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୧୧, କେନ୍ଦୁଝର, ଢେଙ୍କାନାଳ ଓ ମାଲକାନଗିରିରେ ରାତି ତାପମାତ୍ରା ୧୨ ଡିଗ୍ରୀ ରହିପାରେ ।

୮ ତାରିଖରେ ଅନୁଗୁଳ, ବୌଦ୍ଧ, ଫୁଲବାଣୀ, ଭବାନୀପାଟଣା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଟିଟିଲାଗଡ଼ ଓ ବଲାଙ୍ଗୀରରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହୋଇପାରେ । ଯାଜପୁର ଓ ନୟାଗଡ଼ରେ ଅତି ଘନ କୁହୁଡ଼ି ରହିପାରେ । ଖୋର୍ଦ୍ଧା, କଟକ, ଗଞ୍ଜାମ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ସୁନ୍ଦରଗଡ଼ରେ ଘନ କୁହୁଡ଼ି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଶନିବାର ରାତିରେ ଜି ଉଦୟଗିରିରେ ରାତି ତାପମାତ୍ରା ୬.୪ ଡିଗ୍ରୀ ଥିଲା । କୋରାପୁଟରେ ସ୍ୱାଭାବିକଠାରୁ ୨.୩ ଡିଗ୍ରୀ ଖସି ୧୦.୨ ଡିଗ୍ରୀ ରହିଥିଲା । ଫୁଲବାଣୀରେ ପାରଦ ୮.୫, ସିମିଳିଗୁଡ଼ାରେ ୯.୧, ଝାରସୁଗୁଡ଼ାରେ ୧୧.୫ ଓ ରାୟଗଡ଼ାରେ ୧୨ ଡିଗ୍ରୀ ରହିଥିଲା । ଯାଜପୁରରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା । ଜଗତସିଂହପୁର, ଭୁବନେଶ୍ୱର, ଗୋପାଳପୁର, ଖୋର୍ଦ୍ଧା, ଢେଙ୍କାନାଳ ଓ ଫୁଲବାଣୀରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଥିଲା ।