ନୂଆଦିଲ୍ଲୀ ୩୦।୧୦: ଯଦି ଆପଣ ଗାଡ଼ି ଚଳାଉଛନ୍ତି ଓ ଟୋଲ ପ୍ଲାଜାରେ ଫାସଟ୍ୟାଗ୍ ଉପଯୋଗ କରୁଛନ୍ତି ଏହି ଖବର ଆପଣଙ୍କ ଲାଗି ଜରୁରି। ଅକ୍ଟୋବର ୩୧ ତାରିଖ ପରେ ଯଦି ଆପଣ ଗାଡ଼ିର କ୍ନୋ ୟୋର ଭେଇକଲ (କେୱାଇଭି) ଭେରିଫିକେସନ କରାଇ ନାହାନ୍ତି ତେବେ ଆପଣଙ୍କ ଫାସଟ୍ୟାଗ୍ କାମ କରିବା ବନ୍ଦ ହୋଇଯିବ। ଅର୍ଥାତ ଆପଣଙ୍କୁ ପୁଣି ନଗଦ ଟୋଲ ଟ୍ୟାକ୍ସ ଦେବାକୁ ପଡିବ, ଯାହା ଫାସଟ୍ୟାଗ୍ ତୁଳନାରେ ଦୁଇଗୁଣା ଅଧିକ ହେବ।

ସରକାରଙ୍କ କହିବା କଥା ହେଉଛି ଏହି ପଦକ୍ଷେପ ପାରଦର୍ଶିତା ବଢାଇବା ଓ ଠକେଇ ରୋକିବା ପାଇଁ ନିଆଯାଇଛି। ତେବେ ସାଧାରଣ ଲୋକଙ୍କୁ ଏବେ ଆଉ ଏକପ୍ରକ୍ରିୟା ଦେଇ ଯିବାକୁ ହେବ। ଉଲ୍ଲେଖଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ଅନେକ ଲୋକ ଗୋଟିଏ ଫାସଟ୍ୟାଗ୍ କୁ ଅଲଗା ଅଲଗା ଗାଡ଼ି ପାଇଁ ଉପଯୋଗ କରୁଥିଲେ। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଫାସଟ୍ୟାଗ୍ ପକେଟରେ ରଖି ଟୋଲ ପ୍ଲାଜା ପାର ହୋଇଯାଉଛନ୍ତି। ଏଥି ଯୋଗୁ ସିଷ୍ଟମରେ ବିଭ୍ରାଟ ଉପୁଜୁଥିଲା। ଏଣୁ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (ଏନଏଚଏଆଇ) ଏବେ କେୱାଇଭିକୁ ବାଧ୍ୟତାମୂଳକ କରିଦେଇଛନ୍ତି।

ଏହାର ଅର୍ଥ ହେଉଛି ପ୍ରତ୍ୟେକ ଫାସଟ୍ୟାଗ ସେହି ଗାଡ଼ି ସହିତ ଯୋଡି ହୋଇ ରହିବ ଏହା ଯେଉଁ ଗାଡ଼ି ପାଇଁ ହୋଇଛି। ଏଥିରୁ ଏହା ବି ସୁନିଶ୍ଟିତ ହୋଇ ପାରିବ ଯେ ଛୋଟ ଗାଡ଼ିରେ ଭାରି ବାହନ ପାଇଁ ହୋଇଥିବା ଫାସଟ୍ୟାଗ୍ ଯେପରି ଉପଯୋଗ ନ ହୁଏ। ଏଣୁ କେୱାଇଭି ପ୍ରକ୍ରିୟାକୁ ବେଶ ଶରଳ କରାଯାଇଛି। ଗାଡ଼ି ମାଲିକଙ୍କୁ ସେମାନଙ୍କ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ (ଆରସି), ପରିଚୟ ପତ୍ର (ଆଧାର, ପାନ ଅଥବା ପାସପୋର୍ଟ) ଓ ନିଜର ସଦ୍ୟ ଉଠାଯାଇଥିବା ଫଟୋ ଅପଲୋଡ କରିବାକୁ ପଡିବ। କିଛି ଗାଡ଼ି ପାଇଁ ସାମ୍ନାରୁ ଓ କଡରୁ ଉଠାଯାଇଥିବା ଫଟୋ ମଧ୍ୟ ଆବଶ୍ୟକ ହୋଇପାରେ, ଯେଉଁଥିରେ ନମ୍ବର ପ୍ଲେଟ୍ ଓ ଫାସଟ୍ୟାଗ୍ ସ୍ପଷ୍ଟ ଦିଶୁଥିବ।

ଆପଣ ଏହି ଭେରିଫିକେସନ ଆପଣଙ୍କୁ ଯେଉଁଥିରେ ଫାସଟ୍ୟାଗ୍ ଦିଆଯାଇଥିଲା ସେହି ବ୍ୟାଙ୍କ ୱେବସାଇଟ୍ ଅଥବା ଆପ୍ ଜରିଆରେ ମଧ୍ୟ କରିପାରିବେ। ଏଥି ପାଇଁ ଆପଣଙ୍କୁ କ୍ନୋ ୟୋର ଭେଇକ୍ଲ ଅଥବା ଅପଡେଟ୍ କେୱାଇଭି ଅପସନ ରେ କ୍ଲିକ୍ କରିବାକୁ ପଡିବ। ଏହା ପରେ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ଏବଂ ଓଟିପି ଭେରିଫିକେସନ ପୁରା କରନ୍ତୁ। ଥରେ ଏହି ପ୍ରକ୍ରିୟା ପୁରା ହୋଇଗଲେ ଆପଣଙ୍କ ଟ୍ୟାଗ୍ ଆକ୍ଟିଭ ଆଣ୍ଡ ଭିରିଫାଏଡ ଦେଖାଯିବ। ଯଦି ଗାଡ଼ି ମାଲିକ କେୱାଇଭି ନ କରନ୍ତି ତେବେ ତାଙ୍କ ଫାସଟ୍ୟାଗ୍ ଆପେ ଆପେ ନିଷ୍କ୍ରିୟ ହୋଇଯିବ।

ସରକାରଙ୍କ କହିବା କଥା ହେଉଛି ଦୀର୍ଘ ଅବଧିରେ କେୱାଇଭି ସିଷ୍ଟମକୁ ସଫାସୁତୁରା ରଖିବ। ଏଥିରେ ଚୋରି ଅଥବା ବିକ୍ରି ହୋଇଥିବା ଗାଡିକୁ ଟ୍ରାକ୍ କରିବା ସହଜ ହେବ। ତ୍ରୁଟିପୂର୍ଣ୍ଣ ଟୋଲ ଆଦାୟ ହେବନି ଓ ଡିଜିଟାଲ ଟୋଲ ସିଷ୍ଟମରେ ପାରଦର୍ଶିତା ବଢିବ। ଏହି ଭେରିଫିକେସନ ସେ ପର୍ଯ୍ୟନ୍ତ ମାନ୍ୟ ରହିବ ଯେଉଁ ପର୍ଯ୍ୟନ୍ତ ଗାଡିର ମାଲିକାନା ନ ବଦଳିଛି। ଯଦି ଗାଡ଼ି ବିକ୍ରି ହୋଇଯାଏ ଅଥବା ନୂଆ ରେଜିଷ୍ଟ୍ରେସନ ହୁଏ ତେବେ ନୂଆ କେୱାଇଭି କରିବାକୁ ପଡିବ।