LIVE TV

ୟାସୀନ ମଲ୍ଲିକର ବଡ଼ ବାୟନ, ହାଫିଜ ସଇଦକୁ ଭେଟିବାରେ ମନମୋହନ ସିଂହ ଜଣାଇଥିଲେ ଧନ୍ୟବାଦ

NEWS7
gfx

ନୂଆଦିଲ୍ଲୀ ୧୯।୯: ବିଛିନ୍ନତାବାଦୀ ନେତା ତଥା ଜମ୍ମୁ ଆଣ୍ଡ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲଏଫ) ନେତା ୟାସୀନ ମଲ୍ଲିକ ଦିଲ୍ଲୀ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉଲ୍ଲେଖ କରିଛନ୍ତି। ସେ ଦାବି କରିଛନ୍ତି ଯେ ପାକିସ୍ତାନରେ ଆତଙ୍କବାଦୀଙ୍କୁ ଭେଟିବାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। କେବଳ ମନମୋହନ ସିଂହ ନୁହନ୍ତି ସେ ଅନ୍ୟ ବଡ଼ ନେତାଙ୍କ ନାମ ମଧ୍ୟ ନେଇଛନ୍ତି। ଟେରର ଫଣ୍ଡିଂ ମାମଲାରେ ମଲ୍ଲିକ ଏବେ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି।

ଏନଡିଟିଭି ରିପୋର୍ଟ ଅନୁସାରେ ୨୫ ଏପ୍ରିଲରେ ଦାଖଲ କରିଥିବା ସତ୍ୟପାଠରେ ମଲ୍ଲିକ ୨୦୦୬ ମସିହାରେ ପାକିସ୍ତାନରେ ଲସ୍କର-ଏ-ତୌୟବା ମୁଖ୍ୟ ହାଫିଜ ସଇଦ ସହ ହୋଇଥିବା ସାକ୍ଷାତ ଆଲୋଚନାର ଉଲ୍ଲେଖ ରହିଛି। ମଲ୍ଲିକ କହିଛନ୍ତି ଯେ ପାକିସ୍ତାନ ସହିତ ଶାନ୍ତି ସ୍ଥାପିତ କରିବା ପାଇଁ ଏହି ସାକ୍ଷାତ ବ୍ୟାକଚ୍ୟାନେଲ ବାର୍ତ୍ତାର ଅଂଶବିଶେଷ ଥିଲା ଓ ଭାରତର ତତ୍କାଳୀନ ବରିଷ୍ଠ ଗୁଇନ୍ଦା ଅଧିକାରୀଙ୍କ କହିବାରେ ଏହି ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଥିଲା।

ରିପୋର୍ଟ ଅନୁସାରେ ମଲ୍ଲିକଙ୍କ କହିବା କଥା ହେଉଛି ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ତତ୍କାଳୀନ ସ୍ପେଶାଲ ଡାଇରେକ୍ଟର ଭି.କେ.ଯୋଶୀ ତାଙ୍କୁ ଦିଲ୍ଲୀରେ ଭେଟିଥିଲେ। ଏହି ସାକ୍ଷାତ ସେହି ସମୟରେ ହୋଇଥିବା ଯେତେବେଳେ ୨୦୦୫ରେ କାଶ୍ମୀରରେ ହୋଇଥିବା ଭୂମିକମ୍ପ ପରେ ୟସୀନ ମଲ୍ଲିକ ପାକିସ୍ତାନ ଯିବାକୁ ଯୋଜନା କରୁଥିଲେ। କଥିତ ରୂପେ ଯୋଶୀ ତାଙ୍କୁ ଅନୁରୋଧ କରିଥିଲେ ଯେ ସେ ଏହି ସୁଯୋଗକୁ ପାକିସ୍ତାନ ରାଜନୈତିକ ନେତୃତ୍ୱ ଓ ଆତଙ୍କବାଦୀଙ୍କ ସହିତ ସମ୍ପର୍କ ସାଧିବାରେ ଉପଯୋଗ କରନ୍ତୁ, ଯାହା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଶାନ୍ତି ପ୍ରୟାସକୁ ସମର୍ଥନ ମିଳିବ।

ମଲ୍ଲିକ ଦାବି କରିଛନ୍ତି ଯେ ତାଙ୍କୁ କୁହାଯାଇଥିଲା ଯେଉଁ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ଆଲୋଚନାରେ ସାମିଲ  କରାନ ଯାଇଛି ସେ ପର୍ଯ୍ୟନ୍ତ ପାକିସ୍ତାନ ସହିତ ଆଲୋଚନାର କୌଣସି ଫଳ ମିଳିବ ନାହିଁ। ଏହି ଅନୁରୋଧରେ ସେ ହାଫିଜ ସଇଦ ସମେତ ଅନ୍ୟ ଆତଙ୍କବାଦୀଙ୍କୁ ଭେଟିବାକୁ ପ୍ରସ୍ତୁତ ହୋଇଥିଲେ। ମଲ୍ଲିକ ଆଫିଡେଭିଟରେ ସଇଦ କିପରି ଭାବେ ଜିହାଦୀମାନଙ୍କ ବୈଠକ ଡକାଇଥିଲା ତାର ବିବରଣୀ ଦେଇଛି।

ରିପୋର୍ଟ ଅନୁସାରେ ମଲ୍ଲିକଙ୍କ କହିବା କଥା ହେଉଛି ଆଇବି ସହ ଆଲୋଚନା ପରେ ତାଙ୍କୁ ସିଧା ପ୍ରଧାନମନ୍ତ୍ରୀଙ୍କୁ ବ୍ରିଫ କରିବାକୁ କୁହାଯାଇଥିଲା। ସେହି ଅନୁସାରେ ମଲ୍ଲିକ ସେହିଦିନ ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭେଟିଥିଲେ ଓ ସେତେବେଳେ ସେଠାରେ ତତ୍କାଳୀନ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଏମ.କେ.ନାରାୟଣନ ମଧ୍ୟ ଥିଲେ। ମଲ୍ଲିକ କହିଛନ୍ତି ଯେ ତାଙ୍କର ଏହି ବ୍ୟକ୍ତିଗତ ଉଦ୍ୟମ ଲାଗି ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ମଲ୍ଲିକ କହିଛନ୍ତି ଯେ ମୁଁ ପାକିସ୍ତାନରୁ ଦିଲ୍ଲୀ ଫେରିବାରେ ଆଇବି ବିଶେଷ ନିର୍ଦ୍ଦେଶକ ଭି.କେ. ଯୋଶୀ ଡିବ୍ରିଫିଙ୍ଗରେ ବସିଥିଲେ। ସେ ମୋତେ ହୋଟେଲରେ ଭେଟି ତତ୍କାଳ ପ୍ରଧାନମନ୍ତ୍ରୀଙ୍କୁ ବ୍ରିଫିଙ୍ଗ କରିବାକୁ ଅନୁରୋଧ କରିଥିଲେ। ସେହି ଅନୁସାରେ ସେଦିନ ସନ୍ଧ୍ୟାରେ ମୁଁ ଏନଏସଏ ଏମ.କେ. ନାରାୟଣନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କୁ ମୋ ମିଟିଂ ସମ୍ପର୍କରେ ଜଣାଇଥିଲି ଓ ସମ୍ଭାବନା ସମ୍ପର୍କରେ ସୂଚିତ କରିଥିଲି।  ପ୍ରଧାନମନ୍ତ୍ରୀ ମୋର ପ୍ରୟାସ, ସମୟ, ଧୈର୍ଯ୍ୟ ଓ ସମର୍ପଣ ଲାଗି ମୋତେ ଧନ୍ୟବାଦ ଜଣାଇଥିଲେ। ଏହି ଆଫିଡେଭିଟରେ ୟାସୀନ ମଲ୍ଲିକ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ. ଗୁଜରାଲ, ଅଟଳ ବିହାରୀ ବାଜପେୟୀ, ସୋନିୟା ଗାନ୍ଧି, ପି.ଚିଦାମ୍ବରମ ଓ ରାଜେଶ ପାଇଲଟଙ୍କ ସହ ତାଙ୍କର ସାକ୍ଷାତର ଉଲ୍ଲେଖ ମଧ୍ୟ କରିଛନ୍ତି।