ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ଫାଇନାଲ୍ ଫାଇଟ୍ । ସଂଧ୍ୟାରେ ମୁମ୍ବାଇର ଭଦୋଦରା ବିସିଏ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଡବ୍ଲୁପିଏଲ୍ ମହାକୁମ୍ଭ ପାଇଁ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ । ଆଜିର ମ୍ୟାଚ୍ ଜିତି ଦ୍ବିତୀୟ ଥର ପାଇଁ ଚାମ୍ପିଅନ ହେବା ଲକ୍ଷ୍ୟରେ ରହିଛି ଟିମ୍ ହରମନପ୍ରୀତ୍ । ସେପଟେ ତୃତୀୟ ଥର ଫାଇନାଲରେ ପହଞ୍ଚିଥିବା ମେଗ୍ ଲାର୍ଣ୍ଣିଂଙ୍କ ଟିମ୍ ପ୍ରଥମ ଟାଇଟଲ ହାତେଇବାକୁ ପ୍ରୟାସ କରିବ । ମୁମ୍ବାଇ ଟିମରେ ନତାଲୀ ସାଇବର-ବ୍ରଣ୍ଟ ଏବଂ ହେଲି ମାଥ୍ୟୁସଙ୍କ ଜବରଦସ୍ତ ଅଲରାଉଣ୍ଡ ପ୍ରଦର୍ଶନ ଦଳକୁ ଫାଇନାଲ୍ ନିକଟତର କରିଛି । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସର ମଜବୁତ ବୋଲିଂ ଏବଂ ସନ୍ତୁଳିତ ବ୍ୟାଟିଂ ଲାଇନ୍ ଅପ୍, ଦଳକୁ ପ୍ରଥମ ଟାଇଟାଲ ଜିତାଇବାକୁ ସହଯୋଗ କରିବ ।
ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ଜବରଦସ୍ତ ଫର୍ମରେ ରହିଛି । ନତାଲୀ ସାଇବର-ବ୍ରଣ୍ଟ ଏବଂ ହେଲି ମାଥ୍ୟୁସ ଟିମ୍କୁ ଅନେକ ମ୍ୟାଚରେ ଗୁରୁତ୍ବପୂର୍ଣ୍ଣ ବିଜୟ ଦେଇଛନ୍ତି । ନତାଲୀ ସାଇବର-ବ୍ରଣ୍ଟ ବର୍ତ୍ତମାନ ସୁଦ୍ଧା ୪୯୩ ରନ ସଂଗ୍ରହ କରିବା ସହିତ ୯ ଓ୍ବିକେଟ୍ ହାସଲ କରିଛନ୍ତି । ସେହିପରି ହେଲି ମାଥ୍ୟୁସ ଚଳିତ ଡବ୍ଲୁପିଏଲ୍ ସିଜିନରେ ଏପର୍ଯ୍ୟନ୍ତ ୩୦୪ ରନ ସଂଗ୍ରହ କରିଥିବାବେଳେ ୧୭ଟି ଓ୍ବିକେଟ୍ ହାସଲ କରିଛନ୍ତି । ଏହି ଦୁଇ ଖେଳାଳି ଡବ୍ଲୁପିଏଲ୍ ୨୦୨୫ରେ ବ୍ୟାଟିଂ ଓ ବୋଲିଂରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଯଦି ଏହି ଦୁଇ ଖେଳାଳି ଆଜିର ମ୍ୟାଚରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଲେ , ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ମ୍ୟାଚ୍ ଜିତିବା ମୁସ୍କିଲ୍ ହେବ ବୋଲି କୁହାଯାଉଛି ।
ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଚଳିତ ସିଜିନରେ ଚମତ୍କାର ପ୍ରଦର୍ଶନ ଦେଖାଇଛି । ଟିମ୍ ନେଟ୍ ରନ୍ ରେଟ୍ ଆଧାରରେ ସିଧା ଫାଇନାଲରେ ସ୍ଥାନ ପକା କରିଛି । ଅଧିନାୟକ ମେଗ୍ ଲାର୍ଣ୍ଣିଂ ମହିଳା କ୍ରିକେଟ୍ ଟିମର ସବୁଠାରୁ ସଫଳ ଅଧିନାୟକ ମାନଙ୍କ ମଧ୍ୟରେ ଜଣେ । ମେଗ୍ ଲାର୍ଣ୍ଣିଂ ଦିଲ୍ଲୀ ଟିମକୁ ତୃତୀୟ ଧର ପାଇଁ ଫାଇନାଲରେ ପହଞ୍ଚାଇଛନ୍ତି । ଚଳିତ ସିଜିନରେ ଦିଲ୍ଲୀ ପକ୍ଷରୁ ଜୋସ୍ ଜନାସନ ଏବଂ ଶିଖା ପାଣ୍ଡେ ଜବରଦସ୍ତ ବୋଲିଂ ଦେଖାଇଛନ୍ତି । ଦୁଇ ଖେଳାଳି ଏପର୍ଯ୍ୟନ୍ତ ୧୧ଟି ଲେଖାଏଁ ଓ୍ବିକେଟ୍ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଟିମର ସନ୍ତୁଳିତ ପ୍ରଦର୍ଶନ ରହିଥିବାରୁ ଏଥର ଦଳ ଟାଇଟଲ ଜିତିବ ବୋଲି କୁହାଯାଉଛି ।..