LIVE TV

World Bank ରିପୋର୍ଟରେ ଆସିଛି ଭଲ ଖବର, ଦେଶରେ ହ୍ରାସ ହେଉଛନ୍ତି ଗରିବ

NEWS7
gfx

ନୂଆଦିଲ୍ଲୀ ୨୮।୯: ଭାରତୀୟ ଅର୍ଥ ବ୍ୟବସ୍ଥା ଗତିମାନ ହୋଇଛି। ସବୁ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ବିଶ୍ୱର ବଡ଼ ବଡ଼ କମ୍ପାନୀମାନେ ମଧ୍ୟ ଏବେ ଭାରତରେ ନିବେଶ କରୁଛନ୍ତି। ଏହି କ୍ରମରେ ବିଶ୍ୱବ୍ୟାଙ୍କର ଏକ ରିପୋର୍ଟ ଭାରତ ପାଇଁ ଭଲ ଖବର ନେଇ ଆସିଛି। ଏହି ରିପୋର୍ଟରୁ ଜଣା ପଡିଛି ଯେ ଭାରତରେ ଦାରିଦ୍ର୍ୟ ସୀମା ରେଖାରୁ ତଳେ ରହୁଥିବା ଲୋକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତାଙ୍କ ସେପ୍ଟେମ୍ବର ବୁଲେଟିନରେ ବିଶ୍ୱବ୍ୟାଙ୍କ ରିପୋର୍ଟକୁ ସ୍ଥାନ ଦେଇଛନ୍ତି।

ରିପୋର୍ଟ ଅନୁସାରେ ୨୦୧୧-୧୨ ଓ ୨୦୨୨-୨୩ ମଧ୍ୟରେ ଭାରତରେ ଦାରିଦ୍ର୍ୟତା ଉଲ୍ଲେଖନୀୟ ହ୍ରାସ ହୋଇଛି। ତେବେ ଆସନ୍ତୁ ଜାଣିବା ଭାରତର କେଉଁ ରାଜ୍ୟ ଗରିବୀରୁ ମୁକୁଳିଛନ୍ତି ଓ କେଉଁ ସବୁ ରାଜ୍ୟ ଏବେବି ଏହି ଆହ୍ୱାନର ସମ୍ମୁଖୀନ ହେଉଛନ୍ତି।

ଏହି ସବୁ ରାଜ୍ୟରେ କମିଛନ୍ତି ଗରିବ
ଗରୀବ ହ୍ରାସ କରିବା ରାଜ୍ୟଙ୍କ ସୂଚୀରେ ଆନ୍ଧ୍ରପ୍ରଦେଶ ସବୁଠୁ ଆଗରେ ରହିଛି। ଏହି ରାଜ୍ୟର ଗ୍ରାମୀଣ କ୍ଷେତ୍ରରେ ୯୦.୬% ଓ ସହରାଞ୍ଚଳରେ ୮୫.୯% ଦାରିଦ୍ର୍ୟତା ହ୍ରାସ ହୋଇଛି, ଯାହା ଦେଶରେ ଅନ୍ୟ ରାଜ୍ୟଙ୍କ ତୁଳନାରେ ସର୍ବାଧିକ। ଏହା ପଛକୁ ରହିଛି ବିହାର। ବିହାରରେ ୨୦୧୧-୧୨ରେ ଗରିବୀ ସ୍ତର ୪୦.୧% ଥିବା ବେଳେ ୨୦୨୨-୨୩ରେ ଏହା ହ୍ରାସ ହୋଇ ମାତ୍ର ୫.୯% ରହିଛି। ଦାରିଦ୍ର୍ୟତାରେ ଏହା ୮୫.୩% କମ୍ ଦେଖାଉଛି। ଏଥି ମଧ୍ୟରେ ବିହାର ସହରାଞ୍ଚଳରେ ଗରିବୀ ୫୦.୮%ରୁ ହ୍ରାସ ହୋଇ ୯.୧%କୁ ପହଞ୍ଚି ଯାଇଛି। ଏହା ନା କେବଳ ଉତ୍ତର ଭାରତ ବରଂ ମହାରାଷ୍ଟ୍ର ଓ ଗୁଜରାଟ ଭଳି ବିକଶିତ ରାଜ୍ୟଙ୍କ ଠାରୁ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି।

ଆସନ୍ତୁ ଜାଣିବା ଅନ୍ୟ ରାଜ୍ୟଙ୍କ କଥା
ଉତ୍ତରପ୍ରଦେଶର କଥା କହିବାକୁ ଗଲେ ଏଠାରେ ମଧ୍ୟ ଗରିବଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ହୋଇଛି। ଗ୍ରାମୀଣ ଉତ୍ତରପ୍ରଦେଶରେ ଗରିବଙ୍କ ସଂଖ୍ୟା ୩୮.୧%ରୁ ହ୍ରାସ ହୋଇ ୫.୭% ହୋଇଯାଇଛି, ଯାହା ୮୫% ହ୍ରାସ ବୋଲି କୁହାଯାଇଛି।  ଏଥିରେ ସହର ଉତ୍ତରପ୍ରଦେଶରେ ଗରିବଙ୍କ ସଂଖ୍ୟା ୪୫.୭%ରୁ ହ୍ରାସ ହୋଇ ୯.୯% ହୋଇଯାଇଛି, ଏହା ୭୮.୩% ହ୍ରାସ ଦେଖାଉଛି। ଏହା ଛଡା ମଧ୍ୟପ୍ରଦେଶ ଏବଂ ଓଡିଶାରେ ମଧ୍ୟ ଗରିବ ଲୋକଙ୍କ ହାରରେ ଲଗାତାର ସୁଧାର ହେଉଛି। ଗ୍ରାମୀଣ ମଧ୍ୟପ୍ରଦେଶରେ ଗରିବ ଲୋକଙ୍କ ସଂଖ୍ୟା ୪୫.୨%ରୁ ହ୍ରାସ ହୋଇ ୯.୬% ହୋଇଯାଇଛି। ସେହିପରି ଗ୍ରାମୀଣ ଓଡିଶାରେ ଏହି ହାର ୪୫.୯%ରୁ ହ୍ରାସ ହୋଇ ୮.୬% ହୋଇଯାଇଛି।

ଗରିବ ହ୍ରାସ ପଛର କାରଣ
ବିଶେଷଜ୍ଞଙ୍କ ଅନୁସାରେ ଭାରତରେ ଦ୍ରୁତ ଗରିବ ହ୍ରାସର କାରଣ ବିଭିନ୍ନ ସରକାରୀ ଯୋଜନା, ଆର୍ଥିକ ସଂସ୍କାର ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ। ଏହାର ଫଳ ସ୍ୱରୂପ କମ୍ ବିକଶିତ ରାଜ୍ୟମାନେ ଗରିବ କମ୍ କରିବାରେ ବିକଶିତ ରାଜ୍ୟଙ୍କୁ ଟପି ଯାଇଛନ୍ତି। ତେବେ ମହାରାଷ୍ଟ୍ର ଓ ଗୁଜରାଟ ଭଳି ବିକଶିତ ରାଜ୍ୟମାନଙ୍କରେ ଗରିବ କମ୍ କରିବା ହାର ସାମାନ୍ୟ ଧିମା ରହିଛି। ତେବେ ଏଠାରେ ଦେଖିବାର କଥା ଏହି ଦୁଇ ରାଜ୍ୟରେ ପୂର୍ବରୁ କମ୍ ଗରିବ ଥିଲେ। ଏଣୁ ପ୍ରତିଶତ ପରିବର୍ତ୍ତନ କମ୍ ସ୍ପଷ୍ଟ ଥିଲା।