ମହାନ ଜନନାୟକ, ଓଡ଼ିଶାର ଗର୍ବ ଓ ଗୌରବ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

NEWS7
workers-come-together-against-the-arbitrary-action-of-the-power-company-in-bhadrak

ଭୁବନେଶ୍ୱର ୦୫/୦୩: ସେବା, ତ୍ୟାଗ, ଓଡ଼ିଆ ସ୍ବାଭିମାନର ପ୍ରତୀକ ବିଜୁ ପଟ୍ଟନାୟକ। କୋଟି କୋଟି ଓଡିଆଙ୍କ ଜାତିପ୍ରାଣ । ମହାନ ରାଷ୍ଟ୍ରନୀତିଜ୍ଞ, କଳିଙ୍ଗର ସ୍ବର୍ଣ୍ଣାଭ ସ୍ବାକ୍ଷର ବିଜୁ ବାବୁ। ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ ସେବାର ମୂର୍ତ୍ତିମନ୍ତ ପ୍ରତୀକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଜି ଜନ୍ମ ତିଥୀ । 

​​​​​​​ବିଜୁ ବାବୁ ୧୯୧୬, ମାର୍ଚ୍ଚ ୫ ରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ୧୯୯୭ ମସିହା ଏପ୍ରିଲ ୧୭ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଏକାଧାରରେ ଜଣେ ଦକ୍ଷ ରାଜନେତା, ବିମାନ ଚାଳକ ଓ ଶିଳ୍ପପତି ଥିଲେ। ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏଁ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏଁ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

​​​​​​​ପ୍ରବାଦ ପୁରୁଷ, ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଜୁ ପଟ୍ଟନାୟକ। କଟକରେ ଜନ୍ମିତ ବିଜୁ ବାବୁ ନିଜ ସୁଦକ୍ଷ ନେତୃତ୍ୱ, ବୀରତା, ସାହସିକତା ତଥା ମାଟି ମା’ର ସେବାରେ ଅତୁଳନୀୟ ଅବଦାନ ପାଇଁ ଚିରସ୍ମରଣୀୟ। ଭାରତୀୟ ରାଜନୈତିକ ଆକାଶରେ ବିଜୁ ପଟ୍ଟନାୟକ ସବୁବେଳେ ଧ୍ରୁବତାରା ହୋଇରହିଛନ୍ତି।

ଓଡ଼ିଆ ଯୁବକଯୁବତୀଙ୍କ ଉପରେ ବିଜୁ ବାବୁଙ୍କର ଥିଲା ପ୍ରଗାଢ଼ ବିଶ୍ୱାସ। ସେମାନଙ୍କ ମଧ୍ୟରେ ଏକ ନୂତନ ସମ୍ଭାବନାକୁ ସେ ବହୁ ଆଗରୁ ପରଖି ପାରିଥିଲେ। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶିଳ୍ପ କ୍ଷେତ୍ରରେ ଏକ ବୈପ୍ଳବିକ ଧାରାର ଆବଶ୍ୟକତାକୁ ହୃହୟଙ୍ଗମ କରି ଆମ ରାଜ୍ୟରେ ଅନେକ ଶିଳ୍ପ ପ୍ରତିଷ୍ଠାନର ଗଠନ ଓ ସମ୍ପାଦନ କ୍ଷେତ୍ରରେ ବିଜୁ ବାବୁ ଥିଲେ ଅଗ୍ରଦୂତ।​​​​​​​

also read..

​​​​​​​ଚାଷୀ ସମାବେଶରେ ଗର୍ଜିଲେ ବିଜେଡି ସୁପ୍ରିମୋ, କହିଲେ 'ଲୋକ ସେବା ଚାହାଁନ୍ତି ନେତାଙ୍କ ପ୍ରବଚନ ନୁହେଁ'

୧୯୪୬ ମସିହାରେ ଉତ୍ତର କଟକ ନିର୍ବାଚନ ମଣ୍ଡଳୀରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାରେ ପାଦ ଦେଇଥିଲେ ବିଜୁ ପଟ୍ଟନାୟକ। ୧୯୫୨ ଓ ୧୯୫୭ରେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଓ ସୋରଡ଼ାରୁ ପୁନଃ ନିର୍ବାଚିତ ହୋଇଥିଲେ ଆଧୁନିକ ଓଡ଼ିଶା ଗଠନର ଏହି କିମ୍ବଦନ୍ତୀ ପୁରୁଷ। ୧୯୬୧ରେ ବିଜୁ ବାବୁ ପ୍ରଥମଥର ପାଇଁ ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୭ ଏପ୍ରିଲ୍ ୧୯୯୭ରେ ଏହି ମହାନ ଜନନାୟକ ନୂଆଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଏବଂ ସେହିଠାରେ ହିଁ ହୋଇଥିଲା ଏକ ଯୁଗର ଅବସାନ।