ନୂଆଦିଲ୍ଲୀ: ପୂରା ଶସ୍ତା ହେଲା କ୍ରିକେଟ ଟିକେଟ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆସିସି ମହିଳା ବିଶ୍ୱକପ ୨୦୨୫ ପାଇଁ ଗୁରୁବାର (ସେପ୍ଟେମ୍ବର ୪) ଟିକେଟ ବିକ୍ରି ଘୋଷଣା କରିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟିକେଟ୍‌ର ସର୍ବନିମ୍ନ ମୂଲ୍ୟ ମାତ୍ର ୧୦୦ ଟଙ୍କାରୁ ଆରମ୍ଭ ହେଉଛି। ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ମହିଳା ବିଶ୍ୱକପର ଆୟୋଜନ କରିବେ। ସେପ୍ଟେମ୍ବର ୩୦ରୁ ଏହି କ୍ରିକେଟ ମୁକାବିଲା ଆରମ୍ଭ ହେବ।  ଗୌହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଉଦଘାଟନୀ ମ୍ୟାଚ ସହିତ ଟୁର୍ଣ୍ଣାମେଣ୍ଟର ଶୁଭ ଶଙ୍ଖ ବାଜିବ।

ICC ଯେକୌଣସି ICC ବିଶ୍ୱସ୍ତରୀୟ ଇଭେଣ୍ଟରେ ସମସ୍ତ ଲିଗ୍ ମ୍ୟାଚ୍ ପାଇଁ ବହୁତ କମ ମୂଲ୍ୟରେ ଟିକେଟ୍ ରିଲିଜ୍ କରିଛି। ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୦୦ ଟଙ୍କା (ପ୍ରାୟ ୧.୧୪)ର ଟିକେଟ ଜାରି ହୋଇଛି। ମହିଳା କ୍ରିକେଟକୁ ପ୍ରୋତ୍ସାହିତ କରିବା ଓ ଏ ଦିଗରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ସହିତ ଷ୍ଟାଡିୟମକୁ ଉତ୍ସାହୀ କ୍ରିକେଟ ପ୍ରେମିକ ଭିଡ଼ରେ ଭରି ଦେବାକୁ ଆଇସିସି ଏଭଳି ପକେଟ ଫ୍ରେଣ୍ଡଲି ଟିକେଟ୍ ବିକ୍ରି ଘୋଷଣା କରିଛି।

ଏହି କାର୍ଯ୍ୟକ୍ରମକୁ ଆହୁରି ମହତ୍ୱ ଦେବା ପାଇଁ, ପ୍ରସିଦ୍ଧ ଭାରତୀୟ ଗାୟିକା ଶ୍ରେୟା ଘୋଷାଲ ଗୌହାଟୀରେ ଅନୁଷ୍ଠିତ ହେବାକୁ ଥିବା ଏହାର ଉଦଘାଟନୀ ଉତ୍ସବରେ ସଂଗୀତ ପରିବେଷଣ କରିବେ। ଟୁର୍ଣ୍ଣାମେଣ୍ଟର ଅଫିସିଆଲ୍ ସଂଗୀତ 'ବ୍ରିଙ୍ଗ୍ ଇଟ୍ ହୋମ୍' ମଧ୍ୟ ଶ୍ରେୟାଙ୍କ କଣ୍ଠରେ  ରେକର୍ଡ କରାଯାଇଥିବା ବେଳେ ସେଦିନ ସେହିଠାରେ ଏହା ପରିବେଷଣ ହେବ। ଏବଂ ବିଶ୍ୱ ସ୍ତରରେ ମହିଳା କ୍ରିକେଟର ଶକ୍ତି, ଆତ୍ମା ​​ଏବଂ ଏକତାକୁ ସେଲିବ୍ରେଟ୍ କରିବା ପାଇଁ ଫ୍ୟାନ୍‌ଙ୍କୁ ଉତ୍ସାହିତ କରିବେ ଶ୍ରେୟା।

୧୨ ବର୍ଷ ପରେ ଭାରତରେ ICC ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାର କଲମ୍ବୋ ସହିତ ଭାରତର ୪ଟି ସହର- ଗୌହାଟୀ, ଇନ୍ଦୋର, ବିଶାଖାପାଟନମ ଏବଂ ନଭି ମୁମ୍ବାଇରେ ଖେଳାଯିବ।

ତେବେ ବିଶ୍ୱକପ ପୂର୍ବୁର ଭାରତୀୟ ଟିମ୍‌ରେ ପରିବର୍ତ୍ତନ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଏବଂ ବିଶ୍ୱକପ୍ ପାଇଁ ଆହତ ୟସ୍ତିକା ଭାଟିଆଙ୍କ ସ୍ଥାନରେ ଉମା ଛେତ୍ରୀଙ୍କୁ  ଟିମ୍‌ରେ ସ୍ଥାନ ମିଳିଛି। ଭାଇଜାଗରେ ଭାରତର ପ୍ରସ୍ତୁତି ଶିବିର ସମୟରେ ଭାଟିଆଙ୍କ ବାଁ ଆଣ୍ଠୁରେ ଆଘାତ ଲାଗିଥିଲା। ତେଣୁ ତାଙ୍କର ବିଶ୍ୱକପ ନ ଖେଳିବା ଆଶଙ୍କା ଦେଖା ଦେଇଥିଲା।

ICC ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ପାଇଁ ଭାରତୀୟ ଦଳ: ହରମାନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ ଅଧିନାୟକ), ପ୍ରତୀକା ରାୱଲ, ହାର୍ଲେନ ଦେଓଲ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗୁସ୍, ରେଣୁକା ସିଂ ଠାକୁର, ଅରୁନ୍ଧତୀ ରେଡ୍ଡୀ, ରିଚା ଘୋଷ (ୱିକେଟ କିପର), କ୍ରାନ୍ତି ଗୌଡ, ଅମନଜୌତ କୌର, ରାଧା ଯାଦବ ଓ ଶ୍ରୀ ଚରଣୀ, ସ୍ନେହ ରାଣା, ଉମା ଛେତ୍ରୀ(ୱିକେଟ କିପର)

ଆଇସିସି ମହିଳା ବିଶ୍ୱକପ ପାଇଁ ଷ୍ଟାଣ୍ଡବାଇ ଖେଳାଳି: ତେଜଲ ହାସାବନିସ୍
, ପ୍ରେମା ରାୱତ, ପ୍ରିୟା ମିଶ୍ର, ମିନୁ ମଣି, ସାୟାଲି ସତଗେରେ