LIVE TV

ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୫: ବର୍ଷା ଯୋଗୁ ଅଧାରୁ ବାତିଲ ହେଲା ଭାରତ-ବାଂଲାଦେଶ ମ୍ୟାଚ୍

NEWS7
India vs Bangladesh Match Washed Out Due To Rain

ମୁମ୍ବାଇ: ଡ. ଡିୱାଇ ପାର୍ଟିଲ୍ ସ୍ପୋର୍ଟ୍ସ ଆକାଡେମୀ ନମ୍ଭୀ ମୁମ୍ବାଇ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ବାଂଲାଦେଶ-ଭାରତ ମୁକାବିଲା ବର୍ଷା ଯୋଗୁ ବାତିଲ ହୋଇଛି। ରବିବାର ମୁମ୍ବାଇରେ ବାରମ୍ବାର ବର୍ଷା ଯୋଗୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ଏହାପରେ ମ୍ୟାଚ୍‌କୁ ୨୭ ଓଭର ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା। ବାଂଲାଦେଶ ଏଥିରେ ୯ ୱିକେଟ୍ ହରାଇ କରିଥିଲା ୧୧୯ ରନ୍। ବର୍ଷା ଥମିବା ପରେ ଭାରତ ବ୍ୟାଟିଂ କରି କୌଣସି ୱିକେଟ ନ ହରାଇ ୮.୪ ଓଭରେ ୫୭ ରନ୍ କରିଥିଲା। ଯେଉଁଥିରେ ସ୍ମୃତି ମାନ୍ଧାନା ୩୪ ରନ୍ ଓ ଅମନଯୋତ କୌର ୧୫ ରନ୍ କରି ନଟ୍ ଆଉଟ୍ ରହିଛନ୍ତି। ବର୍ଷା ହେବାରୁ ଶେଷରେ ମ୍ୟାଚ୍‌କୁ ବାତିଲ କରାଯାଇଛି। ଫଳରେ ଆଜିର ମ୍ୟାଚ୍‌ର କୌଣସି ନିଷ୍କର୍ଷ ବାହାରିପାରି ନାହିଁ।
ଆଜିର ମ୍ୟାଚ୍‌ରେ ପ୍ରତୀକା ରାୱଲ ଆହତ ହେବା ପରେ ସ୍ମୃତି ମନ୍ଧାନାଙ୍କ ସହ ଓପନିଂ କରିବାକୁ ଆସିଥିଲେ ଅମନଜୋତ କୌର। ଗୋଟିଏ ପଟେ ସ୍ମୃତି ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଅମନଜୋତ ତାଙ୍କୁ ସମର୍ଥନ କରି ଦଳ ପାଇଁ ରନ ଯୋଡ଼ିଥିଲେ। ଭାରତ ଦୃଢ଼ ବ୍ୟାଟିଂ ଜାରି ରଖିଥିବା ବେଳେ ପୁଣି ଥରେ ବର୍ଷା ହେବାରୁ ଅମ୍ପାୟାର ମ୍ୟାଚ୍ ବାତିଲ କରିଛନ୍ତି। ଡକୱର୍ଥ-ଲୁଇସ୍-ଷ୍ଟର୍ଣ୍ଣ ପଦ୍ଧତି ଅନୁଯାୟୀ, ଟିମ୍ ଇଣ୍ଡିଆକୁ ଏକ ଅପଡେଟ୍ ଟାର୍ଗେଟ ଦିଆଯାଇଥିଲା। ଭାରତକୁ ବିଜୟ ପାଇଁ ୨୭ ଓଭରରେ ୧୨୦ ରନ୍ ବଦଳରେ ୧୨୬ ରନ୍ କରିବାକୁ ପଡ଼ିଥାନ୍ତା। ହେଲେ ବର୍ଷା ସବୁ ବିଗାଡ଼ି ଦେଇଛି।

ଆଜିର ମ୍ୟାଚ୍‌ରେ ବାଂଲାଦେଶର ଇନିଂସ ୨୭ ଓଭର ସମାପ୍ତ ହୋଇଥିଲା। ଦଳ ୯ ୱିକେଟ୍ ହରାଇ ୧୧୯ ରନ୍ କରିଥିଲା। ବାଂଲାଦେଶ ପକ୍ଷରୁ ଶର୍ମିନ୍ ଅଖତର ସର୍ବାଧିକ ୩୬ ରନ୍ କରିଥିବା ବେଳେ ଭାରତ ପାଇଁ ରାଧା ୩ ୱିକେଟ୍ ଏବଂ ଚରଣୀ ୨ ୱିକେଟ୍ ନେଇଛନ୍ତି।

ଆଜିର ମ୍ୟାଚ୍‌ରେ କୌଣସି ନିଷ୍ପର୍ଷ ବାହାରି ପାରି ନଥିବା ବେଳେ ପୂର୍ବରୁ ଭାରତ ସେମିଫାଇନାଲରେ ପ୍ରବେଶ କରି ସାରିଛି। ୩୦ ଅକ୍ଟୋବରରେ ଭାରତ ଅଷ୍ଟ୍ରେଲିଆ ସହିତ ସେମିଫାଇନାଲ ମ୍ୟାଚ୍ ଖେଳିବ। ଉଭୟଙ୍କ ମଧ୍ୟରେ ଫାଇନାଲ୍‌ରେ ପ୍ରବେଶ ପାଇଁ ଲଢ଼େଇ ହେବ। ଏହା ପୂର୍ବରୁ ଲିଗ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆ ଠାରୁ ୩ ୱିକେଟ୍‌ରେ ପରାସ୍ତ ହୋଇ ସାରିଛି। ସେମିଫାଇନା ଜିତି ପ୍ରତିଶୋଧ ନେବାକୁ ଚେଷ୍ଟା କରିବ।

ହେଲେ ଏପଟେ ସେମି ମୁକାବିଲା ପୂର୍ବରୁ ଭାରତକୁ ଶକ୍ତ ଝଟ୍‌କା ଲାଗିଛି। ଆଜି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଖେଳୁଥିବା ବେଳେ ଆହତ ହୋଇଛନ୍ତି ଦଳର ଷ୍ଟାର ଓପନର ପ୍ରତୀକା ରାୱଲ। ତାଙ୍କ ଗୋଡ଼ ମୋଡ଼ି ହୋଇଯିବାରୁ ତାଙ୍କୁ ମ୍ୟାଚ୍‌ ଅଧାରୁ ହଟିବାକୁ ପଡ଼ିଛି।

ଏହି ଆଘାତ କେତେ ବିପଦପୂର୍ଣ୍ଣ ସେ ନେଇ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ସୂଚନା ମିଳିପାରି ନାହିଁ। ତେବେ ଯଦି ଏହା ଗମ୍ଭୀର ସମସ୍ୟା ହୋଇଥିବ ତେବେ ପ୍ରତୀକା ଟିମ୍‌ରୁ ବାହାରି ପାରନ୍ତି। ଆଗକୁ ସେମିଫାଇନାଲ୍ ଆସୁଥିବାରୁ ଭାରତକୁ ଶକ୍ତ ଝଟ୍‌କା ହୋଇପାରେ।