କୋଲକାତା: ଜନ୍ମଦିନ ପାଳନ ଅବସରରେ ଯୁବତୀଙ୍କୁ ଦୁଷ୍କର୍ମ କଲେ ଦୁଇ ପରିଚିତ ଯୁବକ। ପଶ୍ଚିମବଙ୍ଗ ହରିଦେବପୁର ଜଣେ ୨୦ ବର୍ଷୀୟା ଯୁବତୀ ପୁଲିସରେ ଏଭଳି ଅଭିଯୋଗ କରିବା ପରେ ପୁଲିସ ମାମଲାରେ ତଦନ୍ତ ଆରମ୍ଭ କରିଦେଇଛି। ଶୁକ୍ରବାର(ସେପ୍ଟେମ୍ବର ୫) ତାରିଖରେ ଏହି ଘଟଣା ଘଟିଛି।  ଅଭିଯୁକ୍ତ ଯୁବକ ଦ୍ୱୟ ହେଲେ ଚନ୍ଦନ ମଲ୍ଲିକ ଓ ଦ୍ୱୀପ ବିଶ୍ୱାସ୍। ବର୍ତ୍ତମାନ ଏହି ଦୁଇ ଅଭିଯୁକ୍ତ ଫେରାର୍ ଅଛନ୍ତି।

ପୁଲିସର ସୂଚନା ଅନୁସାରେ, କିଛି ମାସ ପୂର୍ବରୁ ପୀଡ଼ିତାଙ୍କର ଚନ୍ଦନ ମଲ୍ଲିକଙ୍କ ସହ ପରିଚୟ ହୋଇଥିଲା। ଚନ୍ଦନ ତାଙ୍କୁ ଦକ୍ଷିଣ କୋଲକାତା ପୂଜା କମିଟି ମୁଖ୍ୟ ବୋଲି ପରିଚୟ ଦେଇଥିଲେ। ଏହାପରେ ସେ ତାଙ୍କୁ ଦ୍ୱୀପ ସହିତ ମଧ୍ୟ ପରିଚିତ କରାଇଥିଲେ। ଉଭୟ ଯୁବତୀଙ୍କୁ ପୂଜା କମିଟିରେ ସାମିଲ୍ କରାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ୩ ଜଣ ଅନେକ ସମୟରେ ଫୋନ୍‌ରେ କଥାବାର୍ତ୍ତା ବି କରୁଥିଲେ।

ଘଟଣା ଦିନ ରାତିରେ ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କୁ ରିଜେଣ୍ଟ ପାର୍କ ଅଞ୍ଚଳର ଏକ ଫ୍ଲାଟ୍‌କୁ ନେଇଯାଇଥିଲେ। ସେଠାରେ ୩ ମିଶି ରାତ୍ରୀ ଭୋଜନ କରିଥିଲେ। ଏହାପରେ କିଛି ସମୟ ଗପସପ ପରେ ଯୁବତୀ ଜଣଙ୍କ ଘରକୁ ଫେରିବାକୁ ଚେଷ୍ଟା କଲା ବେଳେ ଦୁଇ ଅଭିଯୁକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏବଂ ଘରୁ ବାହାରକୁ ବାହାରିବାକୁ ସୁଯୋଗ ଦେଇ ନଥିଲେ। ପରଦିନ ସକାଳେ ଯୁବତୀ ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ହରିଦେବ ପୁର ଥାନାରେ ଏତଲା ଦେଇଛନ୍ତି।

ଏଫଆଇଆରରେ ଥିବା ଅଭିଯୁକ୍ତ ଚନ୍ଦନ ମଲ୍ଲିକ ଅଭିଯୋଗକାରୀଙ୍କୁ ମାଲାଞ୍ଚା ନିକଟସ୍ଥ ଅନ୍ୟ ଜଣେ ଅଭିଯୁକ୍ତ ଦ୍ୱୀପ ବିଶ୍ୱାସଙ୍କ ଘରକୁ ଆଣିଥିଲେ। ଯେଉଁଠାରେ ଉଭୟ ତାଙ୍କୁ ବଳାତ୍କାର ଏବଂ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ମାମଲାର ତଦନ୍ତ ଚାଲିଛି ବୋଲି ପୁଲିସ କହିଛି। ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ କର୍ତ୍ତୃପକ୍ଷ କାମ କରୁଛନ୍ତି ଏବଂ ଯେଉଁମାନେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାଣିଛନ୍ତି ଆଗକୁ ଆସି ପୁଲିସକୁ ସୂଚନା ଦେବାକୁ ତଦନ୍ତକାରୀ ଅଫିସର ଅନୁରୋଧ କରିଛନ୍ତି।