ଆସିଲାନି ପୁଅ, ଦୁଇଦିନ ସ୍ୱର୍ଗଦ୍ୱାରରେ ପଡିରହିଲା ଶବ: ସତ୍କାର କଲେ ଶ୍ମଶାନ ଟିମ୍

NEWS7
woman-floating-dead-body-found-from-salepur-canal

ସୁନ୍ଦରଗଡ଼ ୦୮/୧୨: ବାପା ତ୍ୟାଗ ଓ ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ । ପ୍ରତିଟି ସନ୍ତାନର ଜୀବନରେ ଉଭୟ ମାତା ଓ ପିତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଏମିତି ବି ପରିସ୍ଥିତି ଆସେ ଯେତେବେଳେ ପିତାକୁ ଉଭୟ ମାତା-ପିତାର କର୍ତ୍ତବ୍ୟ ନିର୍ବାହ କରିବାକୁ ପଡ଼େ । ଆଉ ଯାହା ଶୁଝିବା ବି ସନ୍ତାନ ପକ୍ଷେ ହୋଇପଡେ କଷ୍ଟକର । ସେ ପୁଅ ହେଉ ବା ଝିଅ । କାରଣ ବାପା-ମାଆ ଚାହିଁଥାନ୍ତି ପିଲା ମୋର ମର୍ଯ୍ୟାଦାର ଟେକ ରଖିବ । ମଣିଷ ହବ ବଂଶ ବଢାଇବ । ଖାସ୍ କରି ବାର୍ଦ୍ଧକ୍ୟ ବେଳେ ସାହାରା ଦେବ । ସେବା ଶୁଶ୍ରୁଶା କରିବ । କିଛି ନହେଲେ ପିଣ୍ଡ ପାଣି ଦେବ, ମଲାବେଳେ କାନ୍ଧ ଦେଇ ମୁଖାଗ୍ନୀ ଦେବ ।

ଏହି ପ୍ରତିଟି ବାପା-ମାଆଙ୍କ ସ୍ୱପ୍ନ ଓ ଇଚ୍ଛା । ହେଲେ ଏମିତି କିଛି ପିଲା ଅଛନ୍ତି ସେବା କରିବେ କଣ ଶେଷ ସମୟରେ ମୁହଁରେ ଟିକିଏ ନିଆଁ ବି ଦେଉନାହାଁନ୍ତି ।ଘଟଣାର ବାସ୍ତବ ଚିତ୍ର ଆସିଛି ସାମ୍ନାକୁ । ବାପାଙ୍କ ପରଲୋକ ପରେ ବି ଦେଖିବାକୁ ଆସିଲାନି ପୁଅ । ଏପରିକି ଦୁଇଦିନ ଯାଏଁ ସ୍ୱର୍ଗଦ୍ୱାରରେ ଅପେକ୍ଷା କରି ନୟାନ୍ତ ହେଲେ ମାଆ ଓ ଦୁଇଝିଅ । ଶେଷରେ ଟିମ୍ ଶ୍ମଶାନବନ୍ଧୁ ସାହା ହୋଇ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ସୁନ୍ଦରଗଡ଼ ସ୍ୱର୍ଗଦ୍ୱାରର ଘଟିଥିବା ଘଟଣା ଛାଡିଯାଇଛି ଅନେକ ପ୍ରଶ୍ନବାଚୀ ।

ପଶ୍ଚିମବଙ୍ଗ ଆସାନସୋଲର ଗୋରଖନାଥ ସରକାର ସୁନ୍ଦରଗଡ଼ରେ ଚାକିରି କରୁଥିଲେ । ୧୯୯୦ ମସିହାରୁ ସେ ୨ଝିଅ ପତ୍ନୀ ଶିଖାରାଣୀଙ୍କୁ ନେଇ ସୁନ୍ଦରଗଡ଼ ଆସିଥିଲେ । ଗୋରଖନାଥ ଏଲଏଣ୍ଡଟି କମ୍ପାନୀର ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପର ସୁପରଭାଇଜର ଥିଲେ । ତେବେ ସୁନ୍ଦରଗଡରେ ରହିବା ପରେ ଜନ୍ତାମ ହୋଇଥିଲା ପୁତ୍ର ସନ୍ତାନ । ପରେ ରାସ୍ତା କାମ ସରଗିଲା ଅନ୍ୟ କର୍ମଚାରୀ ଚାଲିଗଲେ କୁଆଡେ । ହେଲେ ଗୋରଖନାଥ କିନ୍ତୁ ସୁନ୍ଦରଗଡ଼ର ଲୁହୁରାଢିପାରେ ଘର କରି ରହିଯାଇଥିଲେ ।

ପରେ ଅନ୍ୟ ଏକ କନଷ୍ଟ୍ରକସନ କମ୍ପାନୀରେ ଦୀର୍ଘଦିନ ସେ କାମ କରିଥିଲେ । ହେଲେ ଗମ୍ଭୀର ଅସୁସ୍ଥତା କାରଣରୁ ୭/୮ ବର୍ଷ ହେଲା ସେ ଘରେ ରହି ଆସୁଥିଲେ । ଗୋରଖନାଥଙ୍କ ବଡ଼ ଝିଅ ଝାରସୁଗୁଡ଼ାରେ ବାହା ହୋଇଥିଲେ ସୁଦ୍ଧା ପରେ ଛାଡପତ୍ର ହୋଇଯିବାରୁ ସେ ଆସି ବାପଘରେ ରହୁଛନ୍ତି । ସେହିପରି ସାନ ଝିଅ ରାଜଗାଙ୍ଗପୁରରେ ବିବାହ କରିଥିଲେ । କିନ୍ତୁ ତାଙ୍କ ସ୍ୱାମୀ ପ୍ଲାଣ୍ଟ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିବାର ସେ ମଧ୍ୟ ବାପଘରେ ଆସି ରହୁଛନ୍ତି ।

ବଡ଼ଝିଅ ସୁନ୍ଦରଗଡ଼ର ଏକ ସୁନା ଦୋକାନରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି । ସାନଝିଅ ବାପାମାଆଙ୍କ ଦେଖାଶୁଣା କରୁଥିଲେ । ପୁଅ ସୁନ୍ଦର ପାଠପଢ଼ା ପରେ ଡେରାଡୁନର ଆଇଟି କମ୍ପାନିରେ ଚାକିରି କରିବା ସହ ପରେ ସେଠାକାର ସହକର୍ମୀଙ୍କୁ ବିବାହ କରିଥିଲେ । ଏହା ଜାଣିବା ପରେ ସୁନ୍ଦରଙ୍କ ପରିବାର ଲୋକ କଥା ହେଉ ନ ଥିଲେ । ଏପଟେ ଗୋରଖନାଥଙ୍କ ଯକୃତ ଖରାପ ହେବାରୁ ଚିକିତ୍ସାରେ ଅନେକ ଖର୍ଚ୍ଚ ହେବାରୁ ଶେଷରେ ଘରକୁ ବିକ୍ରି କରିଦେଇଥିଲେ ।ଗତ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାସ୍ଥିତ ମେଡିକାଲରେ ଗୋରଖନାଥଙ୍କ ପରଲୋକ ଘଟିଥିଲା ।

ଏ କଥା ପୁଅ ସୁନ୍ଦରକୁ ଜଣାଇବା ସହ ସୁନ୍ଦରଗଡ଼ ସ୍ୱର୍ଗଦ୍ୱାରକୁ ମୃତଦେହ ଆଣିଥିଲେ । ସୁନ୍ଦରଗଡ଼ରେ କେହି ସମ୍ପର୍କୀୟ ନ ଥିବାରୁ ଟିମ୍ ଶ୍ମଶାନବନ୍ଧୁ ସଦସ୍ୟଙ୍କୁ ସହଯୋଗ ଲୋଡ଼ିବା ସହିତ ସ୍ୱର୍ଗଦ୍ୱାର ପରିସର ଫ୍ରିଜରରେ ଗୋରଖନାଥଙ୍କ ଶବକୁ ରଖି ପୁଅର ଆସିବା ବାଟକୁ ଚାହିଁ ରହିଥିଲେ । କିନ୍ତୁ ଦୁଇଦିନ ପରେ ପୁଅ ନ ଆସି ଭିଡିଓ କଲରେ ବାପାଙ୍କ ମରଶରୀର ଦେଖାଇ ଦିଅ ଓ ଅନ୍ୟ ଧର୍ମ ଗ୍ରହଣ କରି ନେଇଥିବାରୁ ମୁଖାଗ୍ନି ଦେଇପାରିବି ନାହିଁ କହି ମନା କରି ଦେଇଥିଲା ।

ପୁଅର ଏକଥା ଶୁଣି ମାଆ ଭାଙ୍ଗିପଡ଼ିଥିଲେ । ଟିମ୍ ଶ୍ମଶାନ ବନ୍ଧୁ ସଦସ୍ୟମାନେ ଉକ୍ତ ପରିବାରକୁ ସ୍ୱାନ୍ତନା ଦେବା ସହିତ ଶୁକ୍ରବାର ରାତିରେ ଗୋରଖନାଥଙ୍କ ମୁଖାଗ୍ନି ଦେବା ସହିତ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ସୁନ୍ଦରଗଡ଼ରେ ଆଉ କେହି ସାହା ଭରସା ନଥିବାରୁ ଗୋରଖନାଥଙ୍କ ଅସ୍ଥିକଳସ ଧରି ଦୁଇଝିଅ ସହିତ ମାଆ ଶିଖାରାଣୀ ସୁଦୂର ଆସାନସୋଲକୁ ଚାଲିଯାଇଛନ୍ତି ।