ନୂଆଦିଲ୍ଲୀ ୧।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗାଇଡଲାଇନ ଅନୁସାରେ ବ୍ୟାଙ୍କମାନେ ଏଟିଏମ ଚାର୍ଜର ସଂଶୋଧିତ ଫି ଲାଗୁ କରିଛନ୍ତି। ବ୍ୟାଙ୍କମାନଙ୍କର ଏହି ପଦକ୍ଷେପ ପରେ ଫ୍ରିଲିମିଟ ପରେ ଏଟିଏମରୁ ନଗଦ ଉଠାଣ ମହଙ୍ଗା ହୋଇଯିବ। ଉଲ୍ଲେଖଯୋଗ୍ୟ ଯେ ଆରବିଆଇ ମାର୍ଚ୍ଚ ୨୮ ତାରିଖରେ ଫ୍ରି ଲିମିଟ ସମାପ୍ତ ହେବା ପରେ ଚାର୍ଜ ବୃଦ୍ଧି ନିମନ୍ତେ ମଞ୍ଜୁରୀ ଦେଇଥିଲେ। ଆରବିଆଇ ନିୟମ ଅନୁସାରେ ଗ୍ରାହକ ମାସକରେ ତାଙ୍କ ବ୍ୟାଙ୍କ ଏଟିଏମରୁ ୫ ଥର ଫ୍ରି ଟ୍ରାଞ୍ଜାକ୍ସନ (ଫାଇନାନସିଆଲ ଓ ନନ ଫାଇନାନସିଆଲ) କରିପାରିବେ।
ମେ ୧ ତାରିଖରୁ ଫ୍ରି ଟ୍ରାଞ୍ଜାକ୍ସନ ସମାପ୍ତ ହେବା ପରେ ଏବେ ଆପଣଙ୍କୁ ୨ ଟଙ୍କା ଅତିରିକ୍ତ ଚାର୍ଜ ପୈଠ କରିବାକୁ ପଡିବ। ଏଣୁ ଫ୍ରି ଲିମିଟ ସମାପ୍ତ ହେବା ପରେ ପ୍ରତ୍ୟେକ ଟ୍ରାଞ୍ଜାକ୍ସନରେ ଆପଣଙ୍କୁ ୨୩ ଟଙ୍କା ଦେବାକୁ ପଡିବ। ଆରବିଆଇଙ୍କ ୨୮ ମାର୍ଚ୍ଚ ୨୦୨୫ ଅଧିସୂଚନା ଅନୁସାରେ ଏଟିଏମ ଇଣ୍ଟରଚେଞ୍ଜ ଶୁଳ୍କ ଏଟିଏମ ନେଟୱର୍କ ଦ୍ୱାରା ଧାର୍ଯ୍ୟ କରାଯିବ। ଏଣୁ ଫ୍ରି ଲିମିଟ ସମାପ୍ତ ହେବା ପରେ ଗ୍ରାହକଙ୍କ ଠାରୁ ପ୍ରତ୍ୟେକ ଟ୍ରାଞ୍ଜାକ୍ସନରେ ୨୩ ଟଙ୍କା ଚାର୍ଜ ଅସୁଲ କରାଯିବ।
ମେଟ୍ରୋସିଟିରେ ମାତ୍ର ୩ଥର ହୋଇପାରିବ ଫ୍ରି ଟ୍ରାଞ୍ଜାକ୍ସନ
ନୂଆ ନିୟମ ଅନୁସାରେ ଯଦି ଆପଣ ଅନ୍ୟ ବ୍ୟାଙ୍କର ଏଟିଏମ ବ୍ୟବହାର କରୁଥାନ୍ତି ତେବେ ଆପଣ ମେଟ୍ରୋ ସିଟିରେ ମାସକରେ ଅଧିକତମ ୩ ଥର ଓ ନନ ମେଟ୍ରୋସିଟିରେ ୫ ଥର ଫ୍ରିଟ୍ରାଞ୍ଜାକ୍ସନ କରିପାରିବେ। ଯଦି ଆପଣ ଆପଣଙ୍କ ବ୍ୟାଙ୍କର ଏଟିଏମ ବ୍ୟବହାର କରୁଥାନ୍ତି ତେବେ ମାସକରେ ୫ଟି ଫ୍ରି ଟ୍ରାଞ୍ଜାକ୍ସନ ସୁବିଧା ପାଇବେ। ବର୍ତ୍ତମାନ ପର୍ଯ୍ୟନ୍ତ ଫ୍ରି ଟ୍ରାଞ୍ଜାକ୍ସନ ସୀମା ସମାପ୍ତ ହେବା ପରେ ବ୍ୟାଙ୍କମାନେ ପ୍ରତି ଟ୍ରାଞ୍ଜାକ୍ସନ ୨୧ ଟଙ୍କା ଶୁଳ୍କ ଅସୁଲ କରୁଥିଲେ।
ଏହି ବ୍ୟାଙ୍କମାନେ ୧ ମେରୁ ଲାଗୁ କରିଛନ୍ତି ନିୟମ
ଭାରତୀୟ ଷ୍ଟେଟବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଇଣ୍ଡସଇଣ୍ଡ ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କ ନିଜ ଗ୍ରାହକଙ୍କ ନିମନ୍ତେ ୧ ମେରୁ ଏହି ନିୟମ ଲାଗୁ କରିଛନ୍ତି। ବ୍ୟାଙ୍କମାନେ କହିଛନ୍ତି ଫ୍ରି ଲିମିଟ ସମାପ୍ତ ହେବା ପରେ ପ୍ରତ୍ୟେକ ଟ୍ରାଞ୍ଜାକ୍ସନରେ ୨୩ଟଙ୍କା ଯୁକ୍ତ ଜିଏସଟି ଶୁଳ୍କ ପୈଠ କରିବାକୁ ପଡିବ। ତେବେ ପିଏନବି ଅନୁସାରେ ଅଣ ଫାଇନାନସିଆଲ ଟ୍ରାଞ୍ଜାକ୍ସନ ନିମନ୍ତେ ଆପଣଙ୍କୁ ଅଧିକତମ ୧୧ଟଙ୍କା ଶୁଳ୍କ ପୈଠ କରିବାକୁ ପଡିବ।