ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ମଦର ଡାଏରୀ ପରେ ଅମୁଲ ବଢାଇଲା କ୍ଷୀର ମୂଲ୍ୟ

Published By : Prameya-News7 Bureau | April 30, 2025 IST

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ମଦର ଡାଏରୀ ପରେ ଏବେ ଅମୁଲ କ୍ଷୀର ମୂଲ୍ୟ ୨ ଟଙ୍କା ବୃଦ୍ଧି କରିଛି । ନୂତନ ଦର ଆସନ୍ତାକାଲି ମେ ୧ରୁ ଲାଗୁ ହେବ । ଏହା ପୂର୍ବରୁ ମଙ୍ଗଳବାର ରାତିରେ ମଦର ଡାଏରୀ ମଧ୍ୟ କ୍ଷୀର ମୂଲ୍ୟ ୨ ଟଙ୍କା ବୃଦ୍ଧି କରିଥିଲା । ନୂଆ ମୂଲ୍ୟ ବୃଦ୍ଧି ଅମୁଲ ଷ୍ଟାଣ୍ଡର୍ଡ, ଅମୁଲ ଗୋଲ୍ଡ, ଅମୁଲ ସ୍ଲିମ୍ ଏନ୍ ଟ୍ରିମ୍, ଅମୁଲ ଚାୟ ମାଜା, ଅମୁଲ ତାଜା ଓ ଅମୁଲ ଗାଈ କ୍ଷୀର ଉପରେ ଲାଗୁ ହେବ ।

ଲୋକପ୍ରିୟ ଡାଏରୀ ବ୍ରାଣ୍ଡ ଅମୁଲର ମାଲିକାନା ରଖୁଥିବା ଗୁଜରାଟ ସହକାରୀ ଦୁଗ୍ଧ ବିପଣନ ମହାସଂଘ କହିଛି ଯେ ୨ ଟଙ୍କା ବୃଦ୍ଧି ତିନି-ଚାରି ପ୍ରତିଶତ ବଢିବା ସହ ସମାନ ।  

ମଦର ଡାଏରୀ ବଢାଇଥିଲା କ୍ଷୀର ମୂଲ୍ୟ

ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ଟୋଣ୍ଡ (ବଲ୍କ ଭେଣ୍ଡ) କ୍ଷୀରର ମୂଲ୍ୟ ପ୍ରତି ଲିଟର ୫୪ ଟଙ୍କାରୁ ବୃଦ୍ଧି ପାଇ ୫୬ ଟଙ୍କା ହୋଇଛି । ଫୁଲ୍ କ୍ରିମ୍ କ୍ଷୀରର ମୂଲ୍ୟ ପ୍ରତି ଲିଟର ୬୮ ଟଙ୍କାରୁ ୬୯ ଟଙ୍କାକୁ ବୃଦ୍ଧି ପାଇଛି । ଏହା ସହିତ, ଟୋଣ୍ଡ କ୍ଷୀର (ପାଉଚ୍)ର ମୂଲ୍ୟ ପ୍ରତି ଲିଟର ୫୬ ଟଙ୍କାରୁ ୫୭ ଟଙ୍କାକୁ ବୃଦ୍ଧି କରାଯାଇଛି । ଡବଲ୍ ଟୋଣ୍ଡ କ୍ଷୀରର ମୂଲ୍ୟ ପ୍ରତି ଲିଟର ୪୯ ଟଙ୍କାରୁ ୫୧ ଟଙ୍କାକୁ ବୃଦ୍ଧି କରାଯାଇଛି । ଗାଈ କ୍ଷୀରର ମୂଲ୍ୟ ପ୍ରତି ଲିଟର ୫୭ ଟଙ୍କାରୁ ୫୯ ଟଙ୍କାକୁ ବୃଦ୍ଧି କରାଯାଇଛି ।

ମଦର ଡାଏରୀ ଅଧିକାରୀ କହିଛନ୍ତି ଯେ କ୍ଷୀର କ୍ରୟ ମୂଲ୍ୟ ଲଗାତାର ବୃଦ୍ଧି ପାଉଛି । ଗତ କିଛି ମାସ ମଧ୍ୟରେ ପ୍ରତି ଲିଟର ପିଛା ମୂଲ୍ୟ ୪-୫ ଟଙ୍କା ବୃଦ୍ଧି ପାଇଛି । ମଦର ଡାଏରୀ ଦିଲ୍ଲୀ-ଏନସିଆର ବଜାରରେ ଦୈନିକ ପ୍ରାୟ ୩୫ ଲକ୍ଷ ଲିଟର କ୍ଷୀର ନିଜସ୍ୱ ଆଉଟ୍‌ଲେଟ୍, ସାଧାରଣ ବାଣିଜ୍ୟ ଏବଂ ଇ-କମର୍ସ ପ୍ଲାଟ୍‌ଫର୍ମ ମାଧ୍ୟମରେ ବିକ୍ରି କରେ । ସେ କହିଛନ୍ତି ଯେ ଆମେ ଆମ ଚାଷୀଙ୍କ ଆଜୀବିକାକୁ ସମର୍ଥନ କରିବା ସହିତ ଗ୍ରାହକମାନଙ୍କୁ ଗୁଣାତ୍ମକ କ୍ଷୀରର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.