ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା: 360 ଡିଗ୍ରୀରୁ ସମୁଦ୍ରକୁ ଜଗିବ 'ହକ୍‌ଆଇ', ଚୀନ୍‌ ଜାହାଜ ଉପରେ ରଖିବ ନଜର

Published By : Prameya-News7 Bureau | May 02, 2025 IST

News7

ନୂଆଦିଲ୍ଲୀ: ଶତ୍ରୁର ପ୍ଲାନିଂକୁ କରିବ ପଣ୍ଡ। ଫେଲ୍‌ ମାରିବ ଡ୍ରାଗନ୍‌ର ପ୍ଲାନ୍‌। ଭାରତ ସହ ଖୋଲାଖୋଲି ହାତ ମିଳାଇଲା ଆମେରିକା। ଚୀନ ଉପରେ ନଜର ରଖିବ Hawkeye 360। ଏହି ଅତ୍ୟାଧୁନିକ ସିଷ୍ଟମରେ ରହିଛି ରେଡିଓ ଫ୍ରିକ୍ୱେନ୍ସି (RF) ସେନ୍ସର, ଆନାଲିଟିକ୍ସ ସଫ୍ଟୱେର୍, ସିଷ୍ଟମ୍ ଇଣ୍ଟିଗ୍ରେସନ୍ ସପୋର୍ଟ। ଏହା ଭାରତକୁ ଏହାର ସାମୁଦ୍ରିକ ନିରୀକ୍ଷଣ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିବ। ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ। ୧୩୧ ନିୟୁତ ଆମେରିକୀୟ ଡଲାରରେ ଆମେରିକା ସହ ଚୁକ୍ତି କରିଛି ଭାରତ। ସାମୁଦ୍ରିକ ସୁରକ୍ଷା ଦୃଷ୍ଟିରୁ ଏହା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି। କାରଣ ଭାରତ-ପ୍ରଶାନ୍ତ ମହାସାଗରରେ ନିଜର ପ୍ରଭାବ ବୃଦ୍ଧି କରିବାକୁ ଚେଷ୍ଟା କରୁଛି ଚୀନ୍। ଯାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି। 

ହକ୍‌ଆଇ-360ଟି ଛୋଟ ଛୋଟ ସାଟେଲାଇଟ୍‌ର ସମୂହ । ଏହି ସାଟେଲାଇଟ୍‌ ପୃଥିବୀର ନିମ୍ନ କକ୍ଷପଥରେ ଘୂରି ବୁଲନ୍ତି ଏବଂ ସେମାନେ ରେଡିଓ ଫ୍ରିକ୍ୱେନ୍ସି (RF) ଟ୍ରାକ୍ କରି ସୂଚାଇଥାନ୍ତି। ଏହି ସାଟେଲାଇଟ୍‌ ଜାହାଜ, ବିମାନ, ଯାନବାହାନ ଏବଂ ଉପକୂଳ ସିଷ୍ଟମରୁ ଆସୁଥିବା କମ୍ୟୁନିକେସନ୍‌ ସିଗନାଲ୍‌କୁ ଟ୍ରାକ୍ କରନ୍ତି। ଏପରିକି ଟ୍ରାନ୍ସପଣ୍ଡରକୁ ବନ୍ଦକରିଦେଇଥିବା ଜାହାଜରୁ ରେଡିଓ ଫ୍ରିକ୍ୱେନ୍ସିକୁ ଚିହ୍ନଟ କରିପାରିବ ହକ୍‌ଆଇ-୩୬୦।

HawkEye 360  ସିଷ୍ଟମରେ ଇଲେକ୍ଟ୍ରୋ-ଅପ୍ଟିକାଲ୍ (EO), ଇନଫ୍ରାରେଡ୍ (IR) ଏବଂ ସିନ୍ଥେଟିକ୍ ଆପେର୍ଚର ରାଡାର (SAR) ଭଳି ଅତିରିକ୍ତ ସ୍ତର ମଧ୍ୟ ଅଛି। ପ୍ରତ୍ୟେକ ସ୍ତର ଆସୁଥିବା ବିପଦଗୁଡ଼ିକୁ ଚିହ୍ନଟ, ଯାଞ୍ଚ ଏବଂ ବର୍ଗୀକରଣ କରିବାରେ ସାହାଯ୍ୟ କରେ। ଏହା କେବଳ ଦିନ ନୁହେଁ ବରଂ ରାତିରେ ଗୁପ୍ତ ଭାବରେ ଗତି କରୁଥିବା ଜାହାଜଗୁଡ଼ିକୁ ଟ୍ରାକ କରିପାରିବ ଓ ହାଇ ରିଜୋଲ୍ୟୁସନ ଫଟୋ ପଠାଇପାରିବ।

ହକ୍‌ଆଇ ୩୬୦ ସିଷ୍ଟମ୍ ଭାରତକୁ ବଡ଼ ସାମୁଦ୍ରିକ ଅଞ୍ଚଳ, ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନଜର ରଖିବ। ଏହା ସାମୁଦ୍ରିକ କାର୍ଯ୍ୟରେ ସଚେତନତା ଏବଂ ଯେକୌଣସି ଘଟଣାର ପ୍ରତିକ୍ରିୟା ପ୍ରଦାନ କରିବାରେ ସହଜ କରିବ। ଏହି ସିଷ୍ଟମର ସବୁଠାରୁ ବିଶେଷ କଥା ହେଉଛି AIS ବନ୍ଦ କରାଯାଇଥିବା ଜାହାଜର ଗତିବିଧିକୁ ମଧ୍ୟ ଚିହ୍ନଟ କରିପାରିବ।

ଏହି ସିଷ୍ଟମର ଉପଲବ୍ଧ ଦ୍ୱାରା ଭାରତୀୟ ନୌସେନା ଅବୈଧ ମାଛ ଧରିବା ଏବଂ ଚୋରାଚାଲାଣ ଭଳି କାର୍ଯ୍ୟକଳାପକୁ ରୋକାଯାଇପାରିବ। ଏହା ନୌସେନାକୁ ଶୀଘ୍ର ନିଷ୍ପତ୍ତି ନେବା ଏବଂ ସାମୁଦ୍ରିକ ଅଞ୍ଚଳକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। ଏହି ସିଷ୍ଟମ ଭାରତକୁ ବିପର୍ଯ୍ୟୟ ସହାୟତା ଏବଂ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିବ। ଏହା ବିପଦ ସଙ୍କେତଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ ଏବଂ ରେସ୍କ୍ୟୁ ଟିମ୍‌ ଶୀଘ୍ର ପହଞ୍ଚିପାରିବେ। ହକ୍‌ଆଇ ୩୬୦ ସହାୟତାରେ ଭାରତୀୟ ନୌସେନା ଏହାର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ବିଷୟରେ ଉତ୍ତମ ସୂଚନା ପାଇପାରିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.