ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଦୁନିଆର ନୂଆ ସାହୁକାର ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଆଉ ଏହି ସ୍ୱପ୍ନରେ ଅନ୍ଧ ହୋଇ ବାସ୍ତବିକ ତଥ୍ୟରୁ ମୁହଁ ଫେରାଉଛନ୍ତି । ଡୋନାଲ୍ଡ ଟ୍ରମ୍ପ ଭାରତ ଓ ରୁଷକୁ ନେଇ ସୋସିଆଲ୍ ମିଡିଆରେ କଡ଼ା ହମଲା କରି, ଦୁଇ ଦେଶର ଅର୍ଥନୀତିକୁ ମୃତ ବୋଲି କହିଲେ । ଟ୍ରମ୍ପ ଲେଖିଲେ, ରୁଷ ସହ ଭାରତ କ'ଣ କରୁଛି ମୋତେ ଏକଥାରେ ଆଦୌ ଫରକ୍ ପଡୁନି, କିନ୍ତୁ ଏହି ଦୁଇ ଦେଶ ମିଶି ନିଜ ମୃତ ଅର୍ଥବ୍ୟବସ୍ଥାକୁ ଆହୁରି ବୁଡ଼ାଇ ପାରନ୍ତି ।
ତେବେ ଟ୍ରମ୍ପଙ୍କ ଏହି ବୟାନକୁ ଖଣ୍ଡନ କରିଛନ୍ତି ସ୍କଟିଶ୍ ଇତିହାସବିତ୍ ୱିଲିୟନ ଡାଲରିମ୍ପଲ । ସେ କହିଛନ୍ତି, ଭାରତ ଏକ ମୃତ ଅର୍ଥନୀତି ନୁହେଁ ବରଂ ଆମେରିକାଠାରୁ ଦ୍ୱିଗୁଣ ଅଧିକ ସ୍ପିଡରେ ବଢୁଥିବା ଅର୍ଥବ୍ୟବସ୍ଥା । ଏଥିପାଇଁ ସେ ଡାଟା ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଆମେରିକାକୁ ପଛରେ ପକାଇ ଭାରତ ଆଗକୁ ବଢିସାରିଛି ।
ଡାଲରିମ୍ପଲ୍ ଗୁରୁବାର କହିଛନ୍ତି, "ପ୍ରକୃତରେ ଭାରତର ଅର୍ଥନୀତି 'ମୃତ' ହେବାଠାରୁ ବହୁତ ଦୂରରେ ଅଛି । ପ୍ରକୃତରେ ଏହାର ଅର୍ଥବ୍ୟବସ୍ଥା ଗତ ବର୍ଷ ଆମେରିକା ତୁଳନାରେ ଦୁଇ ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଏହି ବର୍ଷ ଏହା ଆମେରିକା ତୁଳନାରେ ତିନି ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।"
In actual fact India's economy, far from being dead, grew twice as fast as that of the US last year, and is forecast to grow at three times the US rate this year... https://t.co/v3zll6b1Uh
— William Dalrymple (@DalrympleWill) July 31, 2025
ଭାରତର ଅଭିବୃଦ୍ଧିକୁ ନେଇ ଆଇଏମ୍ଏଫ୍ର ଆକଳନ
IMF ଅନୁଯାୟୀ, ଭାରତର ଅର୍ଥନୀତି ୨୦୨୫ ଏବଂ ୨୦୨୬ ଉଭୟରେ ୬.୪% ହାରରେ ଅଭିବୃଦ୍ଧି ପାଇବ । ଅନ୍ୟପଟେ ଆମେରିକାର ଅର୍ଥନୀତି ଅଭିବୃଦ୍ଧି ୧.୯% ଏବଂ ୨% ହେବ ବୋଲି ଆକଳନ କରାଯାଇଛି । କ୍ୟାଲେଣ୍ଡର ବର୍ଷରେ ୨୦୨୫ରେ ଭାରତ ୬.୭% ହାରରେ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି ।
ଭାରତର ଅର୍ଥବ୍ୟବସ୍ଥା ଉପରେ ବିଶ୍ୱ ବ୍ୟାଙ୍କର ମତ
ବିଶ୍ୱ ବ୍ୟାଙ୍କ ଏପ୍ରିଲରେ ୨୦୨୫-୨୬ ପାଇଁ ଭାରତର ଅଭିବୃଦ୍ଧି ହାର ଅନୁମାନକୁ ୬.୭ ପ୍ରତିଶତରୁ ହ୍ରାସ କରି ୬.୩ ପ୍ରତିଶତ କରିଥିଲା । କିନ୍ତୁ ଗତ ମାସରେ ଜାରି କରିଥିବା ବିଶ୍ୱ ଆର୍ଥିକ ସମ୍ଭାବନା ରିପୋର୍ଟରେ ବିଶ୍ୱ ବ୍ୟାଙ୍କ କହିଥିଲା ଯେ ଅନିଶ୍ଚିତତା କାରଣ ଯୋଗୁଁ ରପ୍ତାନୀ ଉପରେ ଚାପ ସତ୍ତ୍ୱେ ଭାରତ ଦୁନିଆ ସବୁଠୁ ଦ୍ରୁତ ଗତି ବଢୁଥିବା ଅର୍ଥନୀତି ହୋଇରହିବ ।
ଭାରତର ଅର୍ଥନୀତି ଉପରେ ଏଡିବିର ଅନୁମାନ
ସେହିପରି ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ନିଜର ଜୁଲାଇ ୨୩ ଅନୁମାନରେ କହିଥିଲା ଯେ ଭାରତର ଜିଡିପି ୨୦୨୫ରେ ୬.୫ ପ୍ରତିଶତ ଓ ୨୦୨୬ରେ ୬.୭ ପ୍ରତିଶତ ହାରରେ ବଢିବ ।
ମୁଡିଜର ପୂର୍ବାନୁମାନ
ଭାରତର ଅର୍ଥବ୍ୟବସ୍ଥା ଉପରେ ଗ୍ଲୋବାଲ୍ କ୍ରେଡିଟ୍ ରେଟିଂ ଏଜେନ୍ସି ମୁଡିଜ୍ ବି ସକାରାତ୍ମକ ମତ ଦେଇଛି । ମେ'ରେ ଜାରି କରିଥିବା ରିପୋର୍ଟରେ ଭାରତର ଜିଡିପି ୬.୩ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରିଛି । ଏହାପରେ ୨୦୨୬ରେ ଭାରତର ଅର୍ଥନୀତି ୬.୫ ପ୍ରତିଶତ ହାରରେ ବଢିବ ।
ଏସ୍ ଆଣ୍ଡ ପି କରିଥିବା ଅନୁମାନ
ଚଳିତ ବର୍ଷ ଏସ୍ ଆଣ୍ଡ ପି ଗ୍ଲୋବାଲ୍ ରେଟିଂ ଭାରତର ଅର୍ଥନୀତି ଉପରେ ଭରସା କରିଥିଲା । ଜୁନରେ ଏସିଆ-ପ୍ରଶାନ୍ତ ଅର୍ଥନୀତି ଆଉଟଲୁକ୍ ରିପୋର୍ଟରେ କହିଥିଲା ଯେ ଭରାତର ଘରୋଇ ଚାହିଦା ମଜଭୁତ ଅଛି । ଯେଉଁଥିରେ ପାଇଁ ଏହାର ଅର୍ଥବ୍ୟବସ୍ଥାକୁ ବିଶ୍ୱ ସ୍ତରରେ ଆହ୍ୱାନ ସତ୍ତ୍ୱେ ଗତି ମିଳିବ । ଏଜେନ୍ସି ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବା ଅନୁମାନ କରିଛି ।
ଏହାର ବିପରୀତରେ ୨୦୨୫ରେ ବିଶ୍ୱ ଅର୍ଥନୀତି ୩% ହାରରେ ବୃଦ୍ଧି ପାଇବାର ଆଶା କରାଯାଉଛି । ଆମେରିକା ସମେତ ବିକଶିତ ଅର୍ଥନୀତିର ଅଭିବୃଦ୍ଧି ହାର ୨% ତଳେ ରହିବ ବୋଲି ଆଶା କରାଯାଉଛି । ଚୀନର ଅଭିବୃଦ୍ଧି ହାର ୪.୮% ହେବ ବୋଲି ଆକଳନ କରାଯାଇଛି ।