ଏସିଆ କପ୍ ଖେଳିବେ କି ନାହିଁ ? ଚୟନକର୍ତ୍ତାଙ୍କୁ ଜଣାଇ ଦେଲେ ଯଶପ୍ରୀତ ବୁମରା

Published By : Prameya-News7 Bureau | August 17, 2025 IST

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫କୁ ଆଉ କେଇଟା ଦିନ ବାକି ରହିଛି। ଏଥର ଏସିଆ କପ୍ ୟୁଏଇର ଦୁଇଟି ସହର ଦୁବାଇ ଓ ଆବୁଧାବିରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୯ରେ ଖେଳାଯିବ। ଭାରତ ସେପ୍ଟେମ୍ବର ୧୦ରୁ ୟୁଏଇ ବିପକ୍ଷ ମ୍ୟାଚ୍‌ରୁ ନିଜର ଅଭିଯାନ ଆରମ୍ଭ କରିବ। ଆସନ୍ତା ୧୯ ତାରିଖରେ ଭାରତୀୟ ଦଳ ଘୋଷଣା ହେବ। ଏହା ପୂର୍ବରୁ ଭାରତୀୟ ଦଳ ଏବଂ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର। 

ଏସିଆ କପ୍ ପୂର୍ବରୁ ଭାରତୀୟ ଦଳ ଆହୁରି ମଜବୁତ ହେବାକୁ ଯାଉଛି। ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଖୋଦ୍ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଉପଲବ୍ଧ ଥିବା ଚୟନକର୍ତ୍ତାଙ୍କୁ ଜଣାଇଛନ୍ତି। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ବୁମରା ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନ କମିଟିକୁ ଅବଗତ କରାଇ ଦେଇଛନ୍ତି ଯେ, ସେ ସଂପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ଟି-୨୦ ଫର୍ମାଟ୍‌ରେ ଖେଳା ଯିବାକୁ ଥିବା ଏସିଆ କପ୍ ଖେଳିବାକୁ ଉତ୍ସୁକ ଅଛି।

Also read: ୨୦୨୫ ଏସିଆ କପ୍ ପାଇଁ ପାକିସ୍ତାନ ଟିମ୍ ଘୋଷଣା, ବାବର-ରିଜଓ୍ଵାନ ବାହାର

ବୁମରା ଗତ ବର୍ଷ ଟି-୨୦ ବିଶ୍ଵକପ୍ ପରଠୁ ଭାରତୀୟ ଦଳ ପାଇଁ ଧଳା ବଲ୍ କ୍ରିକେଟ୍‌ ଖେଳି ନାହାନ୍ତି। ବୁମରା ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆକୁ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବାର୍ବାଡୋସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହୋଇଥିବା ଫାଇନାଲ୍ ମ୍ୟାଚ୍‌ରେ ବୁମରା ୧୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ଏବେ ବୁମରା ଏସିଆ କପ୍ ଖେଳିବା ଭାରତକୁ ପ୍ରସ୍ତୁତ ଥିବା କହିଛନ୍ତି। 

ଏସିଆ କପ୍ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିନି ଥର ମୁକାବିଲା ହୋଇାପାରେ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ବଡ଼ ଯୋଜନା କରିଛି। ବିସିସିଆଇ ଏସିଆ  କପ୍‌କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ସ୍ଵତନ୍ତ୍ର ଶିବିର ଲଗାଇବାକୁ ପ୍ରସ୍ତାବ ରଖିଥିଲା। ହେଲେ ଦଳ ପ୍ରବନ୍ଧକ ଖେଳାଳି କିଛି ଦିନ ଆଗରୁ ୟୁଏଇ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିବେ ବୋଲି ନିଷ୍ପତ୍ତି ନେଇଛି। 

ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଟିମ୍ ଇଣ୍ଡିଆ ପାଇଁ ବଡ଼ ଆଶ୍ଵସ୍ତିକର ବିଷୟ। ବୁମରାଙ୍କ ଅନୁଭବ ଏବଂ ଫର୍ମ କେବଳ ଏସିଆ କପ୍‌ରେ ଟାଇଟଲ୍ ବଜାୟ ରଖିବା ପାଇଁ ନୁହେଁ ବରଂ ଆସନ୍ତା ବର୍ଷ ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳର ମନୋବଳକୁ ମଜବୁତ କରିବ। 

ସୂଚନାଯୋଗ୍ୟ, ୨୦୨୫ ଏସିଆ କପ୍ ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଏହାର ଫାଇନାଲ ମ୍ୟାଚ୍  ସେପ୍ଟେମ୍ବର ୨୮ରେ ଖେଳାଯିବ। ଏଥର ଏସିଆ କପରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରିବେ। ଏହି ଦଳଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ୨୦୨୫ ଏସିଆ କପ୍ ର ମ୍ୟାଚ୍ ଆବୁଧାବି ଏବଂ ଦୁବାଇରେ ଖେଳାଯିବ। ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳିବ। ଗ୍ରୁପ ଏରେ ଭାରତ, ପାକିସ୍ତାନ, ଓମାନ ଓ ୟୁଏଇ ଥିବା ବେଳେ ଗ୍ରୁପ ବିରେ ରହିଛନ୍ତି ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.