ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫କୁ ଆଉ କେଇଟା ଦିନ ବାକି ରହିଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅନେକ ଟିମ୍ ଦଳ ଘୋଷଣା କଲେଣି। ଏହି କ୍ରମରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୨୦୨୫ ଏସିଆ କପ୍ ପାଇଁ ତାର ଦଳ ଘୋଷଣା କରିଛି। ୟୁଏଇରେ ଖେଳାଯିବାକୁ ଥିବା ତ୍ରିରାଷ୍ଟ୍ରୀୟ-ସିରିଜ ଏବଂ ଏସିଆ କପ୍ ପାଇଁ ପିସିବି ୧୭ ଜଣିଆ ଦଳ ଘୋଷଣା କରିଛି। ଷ୍ଟାର ବ୍ୟାଟର ବାବର ଆଜମ ଏବଂ ଦିନିକିଆ ଅଧିନାୟକ ମହମ୍ମଦ ରିଜୱାନଙ୍କୁ ଏହି ଦଳରେ ସାମିଲ କରାଯାଇ ନାହିଁ। ସଲମାନ ଅଲି ଆଗାଙ୍କୁ ଉଭୟ ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ଘୋଷଣା କରାଯାଇଛି। ସେ ଚଳିତ ବର୍ଷ ଆରମ୍ଭରୁ ଟି-୨୦ ଦଳର ନେତୃତ୍ୱ ନେଉଛନ୍ତି।
ବାବର ଏବଂ ରିଜୱାନଙ୍କୁ ମିଳିଲାନି ସ୍ଥାନ
ପୂର୍ବତନ ଅଧିନାୟକ ବାବର ଆଜମ ଏବଂ ୱିକେଟକିପର ବ୍ୟାଟର ତଥା ଦିନିକିଆ ଅଧିନାୟକ ମହମ୍ମଦ ରିଜୱାନଙ୍କୁ ତ୍ରିରାଷ୍ଟ୍ରୀୟ ସିରିଜ୍ ଏବଂ ଏସିଆ କପ୍ ଦଳରେ ସାମିଲ କରାଯାଇ ନାହିଁ। ଅନେକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଉଭୟ ଷ୍ଟାର ଖେଳାଳି ଏସିଆ କପ୍ ପାଇଁ ଟି-୨୦ ଦଳକୁ ଫେରିପାରନ୍ତି, କିନ୍ତୁ ପିସିବି ଉଭୟଙ୍କୁ ଏକ ବଡ଼ ଝଟକା ଦେଇଛି। ବାବର ଆଜମ ଶେଷ ଥର ପାଇଁ ୨୦୨୪ ଡିସେମ୍ବରରେ ପାକିସ୍ତାନ ପାଇଁ ଟି ୨୦ ଆନ୍ତର୍ଜାତୀୟ ଖେଳିଥିଲେ। ମହମ୍ମଦ ରିଜୱାନ ମଧ୍ୟ ୨୦୨୪ ଡିସେମ୍ବରରେ ଶେଷ ଥର ପାଇଁ ପାକିସ୍ତାନ ପାଇଁ ଟି-୨୦ ଆନ୍ତର୍ଜାତୀୟ ଖେଳିଥିଲେ।
ସଲମାନ ଆଗା ଅଧିନାୟକ
ସଲମାନ ଅଲୀ ଆଗାଙ୍କୁ ଏସିଆ କପରେ ପାକିସ୍ତାନ ଦଳର ନେତୃତ୍ୱ ଦିଆଯାଇଛି। ସେ ଚଳିତ ବର୍ଷ ଆରମ୍ଭରୁ ଟି ୨୦ଦଳର ଅଧିନାୟକତ୍ୱ କରୁଛନ୍ତି। ପିସିବି ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି। ସାମ ଆୟୁବ, ସାହିବଜାଦା ଫରହାନ, ମହମ୍ମଦ ହାରିସ ଏବଂ ହାସନ ନୱାଜଙ୍କ ଭଳି ଯୁବ ଖେଳାଳିଙ୍କୁ ବ୍ୟାଟିଂରେ ସାମିଲ କରାଯାଇଛି। ଦଳରେ ଅଧିନାୟକ ସଲମାନ ଆଗା ଏବଂ ଅଭିଜ୍ଞ ଫଖର ଜମାନ ମଧ୍ୟ ଅଛନ୍ତି।
ଶାହୀନ ଆଫ୍ରିଦି ଏବଂ ହାରିସ ରଉଫଙ୍କୁ ପେସ୍ ଆକ୍ରମଣରେ ସାମିଲ
ତାରା ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ଏବଂ ହାରିସ ରଉଫଙ୍କୁ ଦ୍ରୁତ ବୋଲିଂରେ ସୁଯୋଗ ଦିଆଯାଇଛି। ମହମ୍ମଦ ୱାସିମ ଏବଂ ଯୁବ ସେନସେସନ୍ ସଲମାନ ମିର୍ଜାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ସ୍ପିନରମାନଙ୍କରେ ମହମ୍ମଦ ନୱାଜ, ସୁଫିୟାମ୍ ମୁକିମ୍ ଏବଂ ଅବରାର ଅହମ୍ମଦଙ୍କୁ ସୁଯୋଗ ଦିଆଯାଇଛି।
୨୦୨୫ ଏସିଆ କପ୍ ଏବଂ ୟୁଏଇ ଟ୍ରାଇ ସିରିଜ୍ ପାଇଁ ପାକିସ୍ତାନ ଦଳ
ସଲମାନ ଆଗା (ଅଧିନାୟକ), ଅବରାମ ଅହମ୍ମଦ, ଫହିମ ଅସରଫ, ଫଖର ଜମାନ, ହରିସ ରଉଫ, ହସନ ଅଲୀ, ହସନ ନୱାଜ, ହୁସେନ ତଲାଟ, ଖୁଶଦିଲ ଶାହା, ମହମ୍ମଦ ହାରିସ (ୱିକେଟ୍ ରକ୍ଷକ), ମହମ୍ମଦ ନୱାଜ, ମହମ୍ମଦ ୱାସିମ, ସାହିବଜାଦା ଫରହାନ, ସଇମ ଆୟୁବ, ସଲମାନ ମିର୍ଜା, ଶାହୀନ ଆଫ୍ରିଦି ଏବଂ ସୁଫିଆନ୍ ମୁକିମ୍ |