୧୯୭୮ ମସିହା କଥା ମନେ ପକାଇଲେ ଶରଦ ପାୱାର, ମାନିଲେ-ବସନ୍ତ ରାଓଙ୍କ ସରକାର ଭାଙ୍ଗିଥିଲେ

Published By : Prameya-News7 Bureau | August 17, 2025 IST

ପୁଣେ ୧୭।୮: ଏନସିପି (ଶରଦ) ନେତା ଶରଦ ପାୱାର ପୁଣେରେ ଏକ ବହୁତ ବଡ଼ ଖୁଲାସା କରିଛନ୍ତି। ସେ ସ୍ୱୀକାର କରିଛନ୍ତି ବସନ୍ତରାଓଙ୍କ ସରକାର ଭାଙ୍ଗିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଶରଦ ପାୱାର କହିଛନ୍ତି ଯେ ୧୯୭୮ ମସିହାରେ ସେ ବସନ୍ତ ଦାଦା ପାଟିଲଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ହେଲେ ଗୋଟିଏ ଦଶନ୍ଧୀ ପରେ ବସନ୍ତ ଦାଦା ପାଟିଲ ନିଜେ ମୁଖ୍ୟମନ୍ତ୍ରୀ ପଦବୀ ନିମନ୍ତେ ମୋ ନାମ ପ୍ରସ୍ତାବ କରିଥିଲେ। 

ଦୀର୍ଘ ସମୟରୁ ବିରୋଧୀ ଦଳର ସଦସ୍ୟ ଥିବା ଶରଦ ପାୱାର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ସେ ସମୟରେ ମଧ୍ୟ କଂଗ୍ରେସରେ ବି ଏପରି ଉଦାର ହୃଦୟର ନେତୃତ୍ୱ ଥିଲେ। ଶରଦ ପାୱାର ୧୯୯୯ରେ କଂଗ୍ରେସରୁ ଅଲଗା ହୋଇଯାଇଥିଲେ ଓ ରାଷ୍ଟ୍ରବାଦୀ କଂଗ୍ରେସପାର୍ଟି (ଏନସିପି)ର ସ୍ଥାପନା କରିଥିଲେ। ତେବେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ତତ୍କାଳୀନ ଶିବସେନା-ବିଜେପି ମେଣ୍ଟ ସରକାରରେ ସାମିଲ ହେବା ପରେ ୨୦୨୩ରେ ଏନସିପିରେ ବିଭାଜନ ହୋଇଥିଲା। 

ଅନେକବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ଶରଦ ପାୱାର(୮୪) କହିଛନ୍ତି ଯେ ମୋର ମନେ ଅଛି ଜରୁରିକାଳୀନ ପରିସ୍ଥିତି ପରେ କଂଗ୍ରେସ ଇନ୍ଦିରା ଓ ସ୍ୱର୍ଣ୍ଣ ସିଂହ ଭାବେ ଦୁଇଭାଗରେ ବିଭାଜିତ ହୋଇଥିଲା। ଶରଦ ପାୱାର କହିଛନ୍ତି ଯେ ସେହି ସମୟରେ ସେ ତାଙ୍କ ଗୁରୁ ଯଶବନ୍ତରାଓ ଚୌହାନଙ୍କ ସହିତ ସ୍ୱର୍ଣ୍ଣ ସିଂହଙ୍କ କଂଗ୍ରେସରେ ଥିଲେ। ତେବେ ପରେ ହୋଇଥିବା ନିର୍ବାଚନରେ କୌଣସି ପକ୍ଷକୁ ସ୍ପଷ୍ଟ ବହୁମତ ମିଳିନଥିଲା। 

ଶରଦ ପାୱାର କହିଛନ୍ତି ଯେ ଆମେ ଏକଜୁଟ ହୋଇଥିଲୁ ଓ ବସନ୍ତ ଦାଦା ପାଟିଲଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ତେବେ ଆମ ମଧ୍ୟରୁ କେତେକ ଯୁବ କାର୍ଯ୍ୟକର୍ତ୍ତାଙ୍କର କଂଗ୍ରେସ (ଆଇ) ପ୍ରତି ଅସନ୍ତୋଷ ଥିଲା, କାରଣ ଆମେ ଚୌହାନ ସାହେବଙ୍କ ସହିତ ଥିଲୁ। ଏଣୁ ଏକ ଫାଟ ଥିଲା ତେବେ ଦାଦା ଏହି ଫାଟ ଦୂର କରିବାକୁ ଉଦ୍ୟମ କରିଥିଲେ, ହେଲେ ଆମେ ଏହାକୁ ବିରୋଧ କରିଥିଲୁ। ଶରଦ ମନେପକାଇ କହିଛନ୍ତି ଯେ ମୁଖ୍ୟ ବିରୋଧୀଙ୍କ ମଧ୍ୟରେ ମୁଁ ବି ଜଣେ ଥିଲି। ଏଣୁ ଆମେ ସରକାର ଭାଙ୍ଗିବାକୁ ଉଦ୍ୟମ କରିଥିଲୁ ଓ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି। 

ଶରଦ ପାୱାର କହିଛନ୍ତି ଯେ ମୁଁ ଏ କଥା କାହିଁକି କହୁଛି? କାରଣ ୧୦ ବର୍ଷ ପରେ ଆମେ ସମସ୍ତେ ପୁଣି ଏକ ହୋଇଯାଇଥିଲୁ। ସେ କହିଛନ୍ତି ଯେ ଯେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀଙ୍କ ନାମ ନିଷ୍ପତ୍ତି ପାଇଁ ବୈଠକ ହେଲା ସେତେବେଳେ ରାମରାଓ ଆଦିକ୍, ଶିବାଜୀ ରାଓ ନିଲଂଗେକର ଆଦିଙ୍କ ନାମ ଚର୍ଚ୍ଚା ହୋଇଥିଲା। ତେବେ ଦାଦା କହିଥିଲେ ଏବେ ଆଉ ଅଧିକ ଚର୍ଚ୍ଚା ଦରକାର ନାହିଁ ଆମକୁ ପାର୍ଟି ପୁନନିର୍ମାଣ କରିବାର ଅଛି ଶରଦ ଏହାର ନେତୃତ୍ୱ କରିବେ। 

ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘କଳ୍ନା କରନ୍ତୁ ଯେଉଁ ନେତାଙ୍କ ସରକାର ମୁଁ ଭାଙ୍ଗିଥିଲି ସେ ସବୁକିଛି ଆଡେଇ ଦେଇ ବିଚାରଧାରା ନିମନ୍ତେ ଏକତାକୁ ବାଛିଥିଲେ’। କଂଗ୍ରେସରେ ଆମ ପାଖରେ କେତେ ଉଦାର ନେତା ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.