ନୂଆଦିଲ୍ଲୀ: ଦେଶରେ ଏବେ ଉଚ୍ଚା ଶୁଳ୍କ ହଟିଛି, ଏକାଧିକ ନିତିଦିନିଆ ସାମଗ୍ରୀ ଉପରେ ଜିଏସ୍‌ଟି ହାର୍ କମିଛି। ଗାଡ଼ିଗୁଡ଼ିକ ଉପରେ ବି ଜିଏସ୍‌ଟି କମିବାରୁ ଏସବୁ ଏବେ ଶସ୍ତା ହେବ। ସେପ୍ଟେମ୍ବର ୩ ତାରିଖରେ ଜିଏସ୍‌ଟି ପରିଷଦର ୫୬ ତମ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ପରେ ଦେଶରେ ଏକ ବଡ଼ ପରବର୍ତ୍ତନ ହେବ ବୋଲି ଆଶା କରାଯାଉଛି। ପାର୍ବଣ ସମୟ ଚାଲିଥିବାରୁ ଆଗକୁ ଖୁବ୍ କିଣାକିଣି ହେବ। ଦେଶର ଅର୍ଥନୀତିକୁ ଗତି ମିଳିବ। ହେଲେ ଏହାରି ଭିତରେ ପ୍ରଶ୍ନ ଉଠୁଛି ଜିଏସ୍‌ଟି ହ୍ରାସର ଲାଭ ସତର ଜନତାଙ୍କୁ ମିଳିବ ତ ?

ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍‌ଟି ପରିଷଦର ୫୬ ତମ ବୈଠକରେ ଦେଶରେ ୪ ସ୍ଲାବ୍ ବିଶିଷ୍ଟ ଜିଏସ୍‌ଟି ବ୍ୟବସ୍ଥାକୁ ହଟାଇ ଦଇଆଯାଇଛି। ଏବେ କେବଳ ଭାରତରେ ୫% ଏବଂ ୧୮% ଜିଏସ୍‌ଟି ସ୍ଲାବ୍ ରହିବ। ତେବେ ସିନ ଗୁଡ୍ସ ଉପରେ ୪୦ ପ୍ରତିଶତ ଶୁଳ୍କର ବ୍ୟବସ୍ଥା କରାଯାଇଛି। ଏଥିରେ ଏକାଧିକ ସାମଗ୍ରୀର ଦର କମିବା ସହିତ ଲୋକେ ଖର୍ଚ୍ଚ କରିବେ ଓ ଦେଶର ଅର୍ଥନୀତିକୁ ଗତି ମିଳିବ।

ଜିଏସ୍‌ଟି ହ୍ରାସରେ ଏକାଧିକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି, ବାଇକ , କାର୍ ଓ କୃଷି ସାମଗ୍ରୀ, କପଡ଼ା, ଜୋତା, ପିଲାଙ୍କ ପାଠ୍ୟ ସାମଗ୍ରୀ, ବିମା, ଏସି ଭଲି କେତେକ ଇଲେକ୍ଟ୍ରୋନିସ୍କସ ସାମଗ୍ରୀ ଓ ଔଷଧ ଆଦି ଶସ୍ତା ହେବ। ଆସନ୍ତା ସେପ୍ଟେମ୍ବର ୨୨ରୁ ଏହା ସାରା ଦେଶରେ ଲାଗୁ ହେବାକୁ ଯାଉଥିବାବେଳେ, ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ବି ଉତ୍କଣ୍ଠା ଦେଖିବାକୁ ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କ୍ଷୀର, ରୁଟି, ପରଟା, ଛେନା ସମେତ ଅନେକ ଖାଦ୍ୟ ସାମଗ୍ରୀ ଜିଏସଟି ଫ୍ରି ହେବ। ସେହିଭଳି ଇନଡିଭିଜୁଆଲ ହେଲ୍ଥ ଏବଂ ଲାଇଫ୍ ଇନସ୍ୟୁରାନ୍ସ ଉପରେ ମଧ୍ୟ ଟ୍ୟାକ୍ସ ଲାଗିବନି। ୩୩ ଜୀବନ ରକ୍ଷାକାରୀ ଔଷଧ, ବିରଳ ରୋଗ ଏବଂ ଗୁରୁତର ରୋଗୀଙ୍କ ପାଇଁ ଔଷଧ ମଧ୍ୟ ଟ୍ୟାକ୍ସ ଫ୍ରି ହେବ। ତେବେ ଏସବୁକୁ ବାଦ ଦେଲେ ଲଗଜୁରୀ ଆଇଟମ ଏବଂ ତମ୍ବାକୁ ଉତ୍ପାଦ ଉପରେ ଏବେ ୨୮% ବଦଳରେ ୪୦% ଜିଏଟି ଲାଗିବ। ମଧ୍ୟମ ଏବଂ ବଡ଼ କାର, ୩୫୦ ସିସିରୁ ଅଧିକ ଇଞ୍ଜିନ କ୍ଷମତା ବିଶିଷ୍ଟ ମୋଟରସାଇକେଲ ଏହି ସ୍ଲାବ୍‌ରେ ରହିବେ।

ଏହି ପରିବର୍ତ୍ତନ ଯୋଗୁ ସାଧାରଣ ଲୋକଙ୍କୁ କଣ ଫାଇଦା ହେବ ?

ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କୁ ଉପରେ ବୋଝ କମ୍ କରିବ। ଦୈନନ୍ଦିନରେ ବ୍ୟବହାର ହେଉଥିବା ସାମଗ୍ରୀ, ଖାଦ୍ୟପେୟ ଏବଂ ଛୋଟ ଗାଡ଼ି ଶସ୍ତା ହୋଇଯିବ। ବ୍ୟକ୍ତିଗତ, ପରିବାର ଏବଂ ବରିଷ୍ଠଙ୍କ ପାଇଁ ସ୍ବାସ୍ଥ୍ୟ ବୀମର ଉପରେ ୧୮% ଟ୍ୟାକ୍ସ ହଟିଯାଇଛି। ଏହାଦ୍ବାରା ବୀମା ନେବା ଆହୁରି ଶସ୍ତା ହେବ ଏବଂ ଅଧିକ ଲୋକ ମଧ୍ୟ ଏହାକୁ ନେଇପାରିବେ।

ସେହିଭଳି ସିମେଣ୍ଟ ଉପରେ ଟ୍ୟାକ୍ସ ୨୮%ରୁ ୧୮% ହୋଇଛି। ତେଣୁ ଘର ତିଆରି କରିବାରେ ନିଶ୍ଚୟ ଅନେକାଂଶରେ ଖର୍ଚ୍ଚ କମ୍ ହେବ। ଟିଭି, ଏସି ଭଳି ସାମଗ୍ରୀ ମଧ୍ୟ ୨୮%ରୁ ୧୮% ଟ୍ୟାକ୍ସରେ ଆସିବ ଫଳରେ ଏସବୁ ମଧ୍ୟ ଶସ୍ତା ହେବ। ସେହିଭଳି କ୍ୟାନ୍ସର ଏବଂ ଗୁରୁତର ରୋଗ ପାଇଁ ବ୍ୟବହାର ହେଉଥିବା ୩୩ ଜରୁରୀ ଔଷଧ ମଧ୍ୟ ଶସ୍ତା ହେବ। ଛୋଟ କାର ଏବଂ ୩୫୦ ସିସି ପର୍ଯ୍ୟନ୍ତ ମୋଟରସାଇକେଲ ଏବେ ୨୮% ବଦଳରେ ୧୮% ଟ୍ୟାକ୍ସରେ ଆସିବ। ଅଟୋ ପାର୍ଟସ ଏବଂ ଥ୍ରୀ- ହ୍ବିଲର ଉପରେ ମଧ୍ୟ ଟ୍ୟାକ୍ସ ୨୮%ରୁ ୧୮% ହୋଇଛି, ଫଳରେ ଏହା ଶସ୍ତା ହେବ।

ଚାଷୀଙ୍କ ପାଇଁ ଟ୍ରାକ୍ଟର, ଚାଷ କ୍ଷେତ୍ରରେ ବ୍ୟବହାର ହେଉଥିବା ବିଭିନ୍ନ ଯନ୍ତ୍ରପାତି ବା ମେସିନ୍ ଉପରେ ଜିଏସଟି ୧୨%ରୁ ଖସି ୫% ହୋଇଛି। ୧୨ଟି ଜୈବ କୀଟନାଶକ ଉପରେ ମଧ୍ୟ ଟ୍ୟାକ୍ସ ୧୨%ରୁ ୫% ହୋଇଛି। ଏହାଦ୍ବାରା ଚାଷ ମଧ୍ୟ ଶସ୍ତା ହେବ। ସେହିଭଳି ଟେକ୍ସଟାଇଲ ଉଦ୍ୟୋଗ, ସାର, ନବୀକରଣୀୟ ଉର୍ଜା, ହସ୍ତଶିଳ୍ପ, ଅଟୋମୋଟିଭ, ଉଦ୍ୟୋଗ ଉପରେ ମଧ୍ୟ ଜିଏସଟି ହ୍ରାସ କାରଣରୁ ଲୋକଙ୍କୁ ଫାଇଦା ମିଳିବ।

ସରକାର କ୍ଷତି ସହିବେ ?

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବା ଅନୁସାରେ ଟ୍ୟାକ୍ସ କମ୍ କରିବା ଯୋଗୁ ଆରମ୍ଭରେ ରାଜସ୍ବ ଉପରେ ପ୍ରଭାବ ପଡ଼ିପାରେ। ଏସବିଆଇ ରିସର୍ଚ୍ଚ ରିପୋର୍ଟ ଅନୁସାରେ ୮୫ ହଜାର କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇପାରେ। କିନ୍ତୁ ସାମଗ୍ରୀର ବ୍ୟବହାର ବଢ଼ିବା ଫଳରେ କ୍ଷତି ଭରଣା ହୋଇଯିବ। ଏହା ସହ ଟ୍ୟାକ୍ସ ଚୋରି ରୋକିବା ଏବଂ ଅନୁପାଳନ ବଢ଼ାଇବା ଫଳରେ ରାଜସ୍ବରେ ବୃଦ୍ଧି ହେବ। ୪୦% ସ୍ଲାବ୍ ଲଗଜୁରୀ ଏବଂ ସିନ ଗୁଡ୍ସରୁ ମଧ୍ୟ ଭଲ ଆୟ ହେବା ନେଇ ଅନୁମାନ କରାଯାଉଛି।

ଆଙ୍କର() ଏସବୁ ତ ସରକାର କହିଲେ। ହେଲେ ଭଲ ଉଦ୍ଦେଶ୍ୟ ସବୁବେଳେ ଭଲ ପରିଣାମରେ ପରିବର୍ତ୍ତି ହୁଏ ନାହିଁ। ତେଣୁ ପ୍ରଶ୍ନ ଉଠୁଛି ପ୍ରକୃତରେ କ ଜନତାଙ୍କୁ ଜିଏସ୍‌ଟି ହ୍ରାସର ଲାଭ ମିଳିବ ? ଜିଏସ୍‌ଟି ହ୍ରାସ MRP ହ୍ରାସରେ ପରିଣତ ହେବ ତ ? ନା ପେଟ୍ରୋଲ ଓ ଡିଜେଲ ଭଳି ଜିଏସ୍‌ଟି ହ୍ରାସର ଲାଭ କେବଳ କମ୍ପାନୀଗୁଡ଼ିକ ପାଖରେ ରହିଯିବ? ମଞ୍ଜି କଥା ଟା ପ୍ରକୃତରେ ଏଇଠି ଲୁଚିଛି।

ଆମେ ପ୍ରଶ୍ନ ଏଥିପାଇଁ ଉଠାଉଛୁ, କାରଣ ବର୍ତ୍ତମାନ ସୁଦ୍ଧା ଭାରତର GST ବ୍ୟବସ୍ଥାରେ ଲାଭଖୋରୀକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ହେଲେ ସରକାର କହୁଛନ୍ତି ଆମେ ଏ ଦିଗରେ ଯତ୍ନବାନ ହେବୁ, ଏହାର ଲାଭ କିଭଳି ସିଧାସଳକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ନିଜେ ଜଗିବୁ। ହେଲେ ଏକଥା କେତେ ଦୂର ସମ୍ଭବ ହୋଇପାରିବ ତାହା ଜାଣିବାରେ ଭାରତର ଜନତାଙ୍କର ପୂର୍ବରୁ ବହୁ ଅଭିଜ୍ଞତା ରହିଛି।

ତେବେ ଲାଭଖୋରୀ ରୋକିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇଣ୍ଡିଆଟୁଡେକୁ ପ୍ରତିକ୍ରିୟ ଦେଇ କହିଛନ୍ତି “GST ହ୍ରାସର ଲାଭ ଶିଳ୍ପ ଦ୍ୱାରା ଲୋକଙ୍କୁ ପ୍ରଦାନ କରାଯିବ। ଜିଏସଟି ହାର ହ୍ରାସକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟ କରୁଥିଲେ। ସୀତାରମଣ କହିଛନ୍ତି ଯେ ପ୍ରଥମ କିଛି ମାସ କାର୍ଯ୍ୟାନ୍ୱୟନର ଶେଷ ସୀମା ପର୍ଯ୍ୟନ୍ତ ତଦାରଖ ଏବଂ ସଂଶୋଧନମୂଳକ କାର୍ଯ୍ୟ ଉପରେ ନଜର ରଖାଯିବ। ଏମିତିକି ସାଂସଦମାନେ ମଧ୍ୟ ମୂଲ୍ୟ କମିଲା କି ନାହିଁ ତୃଣମୂଳ ସ୍ତରରେ ତାହା ଯାଞ୍ଚ କରିବେ ବୋଲି ନିର୍ମଳା କହିଛନ୍ତି। ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ମୁଁ, ମୋ ବିଭାଗ ଏବଂ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡକୁ ମୁଖ୍ୟତଃ ଏହାକୁ ତଦାରଖ କରିବ। ଏବଂ ଆବଶ୍ୟକ ସ୍ଥଳେ ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ନେବ।

ତେବେ ସେପ୍ଟେମ୍ବର ୨୨ ତାରିଖ ଠାରୁ ଯାଞ୍ଚ କଡ଼ାକଡ଼ି କରାଯିବ। କାରଣ ସମସ୍ତ ଷ୍ଟେକ୍ ହୋଲ୍ଡର ଓ କମ୍ପାନୀଙ୍କ ସହ ଆଲୋଚନା କରି ଜିଏସ୍‌ଟି ସଂଶୋଧନ କରାଯାଇଛି। ଯଦି ବି ପରେ କମ୍ପାନୀଗୁଡ଼ିକର ଏନେଇ କିଛି କଥା ଥାଏ ତେବେ ସରକାର ସେମାନଙ୍କ ସହ ଆଲୋଚନା କରିବେ। ଇଣ୍ଡଷ୍ଟ୍ରି ଲିଡରମାନେ ଏହାର ଫାଇଦା ଜନତାଙ୍କୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।

ଗତ କିଛି ବର୍ଷ ହେଲା ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର କମିବା ଓ ଋଷ ଠାରୁ ଶସ୍ତାର ତେଲ କିଣିବା ସତ୍ତ୍ୱେ ଜନତାଙ୍କୁ ଏହାର ଫାଇଦା ମିଳୁ ନାହିଁ। ମିଡିଆ ରିପୋର୍ଟ କହୁଛି, କମ୍ପାନୀ ତେଲ ଲିଟର ପିଛା ୧୦-୧୨ ଟଙ୍କା ଲାଭ ପାଉଛନ୍ତି। ସରକାର ଏହାପରେ ଆମଦାନୀ ଶୁଳ୍କ ବଢ଼ାଇ ବାକି ଲାଭ ନିଜ ତହବିଲ୍‌ରେ ଭରୁଛନ୍ତି। ଜନତାଙ୍କୁ କିନ୍ତୁ କିଛି ଲାଭ ମିଳିପାରୁ ନାହିଁ। ଏହି ଜିଏସ୍‌ଟି କଟ୍‌ ଆଉ ସେଭଳି ହେବନି ତ ? ଜିଏସ୍‌ଟି ଲାଭଖୋରୀଙ୍କୁ ରୋକିବା ପାଇଁ ଯେଉଁ ଜାତୀୟ ଲାଭ ନିରୋଧୀ ପ୍ରାଧିକରଣ  ବା ନ୍ୟାସ୍‌ନାଲ ଆଣ୍ଟି ପ୍ରଫିଟିୟରିଂ ଅଥୋରିଟି ଗଠନ କରାଯାଇଥିଲା ତାହା ଏବେ ଜୀବିତ ନା ମୃତ ଅବସ୍ଥାରେ? କଂଗ୍ରେସ ବର୍ତ୍ତମାନ ଏହି ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିଛି।

୨୦୧୭ରେ GST ବ୍ୟବସ୍ଥା ଲାଗୁ କରିବା ସମୟରେ ସରକାର ଜାତୀୟ ଲାଭ ନିରୋଧୀ ପ୍ରାଧିକରଣ ବା NAA- ନାଁର ଗଠନ କରିଥିଲେ। GST ହ୍ରାସ ଗ୍ରାହକ ମୂଲ୍ୟରେ ପ୍ରତିଫଳିତ ହୋଇଛି କି ନାହିଁ ତାହା ତଦାରଖ କରିବା ସହିତ ଏହାର ନିର୍ଦ୍ଦେଶରେ ବ୍ୟବସାୟଗୁଡ଼ିକୁ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ITC) ଲାଭ ପ୍ରଦାନ କରିବା ନିଶ୍ଚିତ କରିବା ମଧ୍ୟ ଏହାର ଅନ୍ତର୍ଭୁକ୍ତ ଥିଲା। ଦୁଇ ବର୍ଷ ପାଇଁ ଗଠିତ ଲାଭଖୋର ବିରୋଧୀ ସଂସ୍ଥା NAA ଡିସେମ୍ବର ୨୦୧୭ରୁ କାର୍ଯ୍ୟ ଆରମ୍ଭ କରିଥିଲା ​​ଏବଂ ଏହାର କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି କରାଯାଇଥିଲା। ତେବେ ଲାଭଖୋରି ମାମଲାରେ ତଦନ୍ତ ବିଲମ୍ବ କରିବା ଓ ଲାଭଖୋରିକୁ ହିସାବ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନଥିବାରୁ NAAକୁ ପ୍ରବଳ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।

୧ଡିସେମ୍ବର ୨୦୨୨ ରୁ, NAA ର କାର୍ଯ୍ୟ ଭାରତୀୟ ପ୍ରତିଯୋଗିତା ଆୟୋଗ (CCI) ହାତକୁ ନେଇଥିଲା। ହେଲେ ପରେ ଏହି ସଂସ୍ଥା ମଧ୍ୟ ଲାଭଖୋର ବିରୋଧୀ ମାମଲା ପରିଚାଳନା କରିବାରେ ନିଜର ଅକ୍ଷମତା ପ୍ରକାଶ କରିଥିଲା। CCI କୌଣସି ନୂଆ ଲାଭଖୋର ବିରୋଧୀ ମାମଲା ପାଇ ନଥିଲା। ତେବେ ସରକାର ୩୦ ସେପ୍ଟେମ୍ବର ୨୦୨ରେ ଏକ ବିଜ୍ଞପ୍ତି ଜାରି କରି ୧ ଏପ୍ରିଲ ୨୦୨୫ରୁ ଏନଏଏକୁ ଉଚ୍ଛେଦ କରି ଦେଇଥିଲେ। ବର୍ତ୍ତମାନ NAA ର କାର୍ଯ୍ୟ GST ଆପିଲେଟ୍ ଟ୍ରିବ୍ୟୁନାଲ (GSTAT) ସହିତ ବିଲୟ ହୋଇଯାଇଛି। ଏହାର ଅର୍ଥ ହେଉଛି ବର୍ତ୍ତମାନ ଲାଭଖୋରିକୁ ଜଗିବାକୁ ଦେଶରେ କୌଣସି ନିର୍ଦ୍ଦିଷ୍ଟ ସଂସ୍ଥା ନାହିଁ।  ତେବେ ସେପ୍ଟେମ୍ବର ୫ ତାରିଖରେ ଏନେଇ ହିନ୍ଦୁ ସ୍ତାନ ଟାଇମ୍ସ ସରକାରୀ ସୁତ୍ରରୁ ଖବର ନେଇ ରିପୋର୍ଟ କରହିଛି ଯେ ସରକାରଙ୍କର ଇଜ୍ ଅପ ଡୁଇଂ ବିଜନେଶକୁ ବଢ଼ାଇବାକୁ ଚେଷ୍ଟା କରୁଥିବାରୁ NAA ଭଳି ସଂସ୍ଥା ପୁନଃସ୍ଥାପନ କରିବାକୁ ଚାହୁଁ ନାହାନ୍ତି।

ଯାହାକୁ ନେଇ କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସରକାରଙ୍କୁ ପଚାରିଛନ୍ତି ଜିଏସ୍‌ଟି ସଂଶୋଧନ ପରେ NAA ପୁଣି ଥରେ ଜୀବିତ ହେବ ତ ? ଲାଭଖୋରି ରୋକି ସାଧାରଣ ଜନତାଙ୍କୁ ଜିଏସ୍‌ଟି ହ୍ରାସର ଫାଇଦା ଦେବାକୁ ସେ ଗୁରୁତ୍ୱ ଦେଇଛନ୍ତି।

ତେବେ ଯିଏ ଯାହା କହିଲେ ବି ନିୟମ ନଥିଲେ ସେ କାର୍ଯ୍ୟରେ ଯେ କିଭଳି ସମ୍ପାଦନ ହେବ ତାହା ସମସ୍ତଙ୍କୁ ଜଣା। ଲାଭଖୋରି ରୋକିବାକୁ ଜିଏସ୍‌ଟି ବ୍ୟବସ୍ଥାରେ ଏପର୍ଯ୍ୟନ୍ତ କୌଣସି ସୁବିଧା ନାହିଁ। GST ପରିଷଦ କେବଳ ବିଚାରାଧୀନ ମାମଲା ଏବଂ କୋର୍ଟ ଦ୍ୱାରା ନିର୍ଦ୍ଦେଶିତ ମାମଲାଗୁଡ଼ିକୁ ଗ୍ରହଣ କରେ। ଆଉ GST ଦ୍ୱାରା କମ୍ପାନୀମାନେ କିଭଳି ଲାଭ ଖାଉଛନ୍ତି ତାର ଇତିହାସ ମଧ୍ୟ ରହିଛି। ଲୋକଙ୍କ ମନରେ ଏହି ଭୟ ଦୂର କରିବାକୁ ରାଜସ୍ୱ ସଚିବ ଅରବିନ୍ଦ ଶ୍ରୀବାସ୍ତବ ଏକ ଡାଟା ରଖି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି।

ସେ କହିଛନ୍ତି "ଆରମ୍ଭ ହେବା ପରଠାରୁ, ଲାଭଖୋର ବିରୋଧୀ ଢାଞ୍ଚା (ଯାହା ଏବେ ପ୍ରଚଳିତ ନାହିଁ) ସେ ଅଧୀନରେ ପ୍ରାୟ ୭୦ ୪ ଟି ମାମଲା ପ୍ରାଧିକରଣ ନିକଟରେ ପଞ୍ଜିକୃତ ହୋଇଛି। ଏଥିମଧ୍ୟରୁ ପ୍ରାୟ ୬୦% ମାମଲା GST କାର୍ଯ୍ୟକାରୀ ହେବାର ପ୍ରଥମ ତିନିରୁ ଚାରି ବର୍ଷ ମଧ୍ୟରେ ଆରମ୍ଭ ହୋଇଥିଲା। ଏହି ମାମଲାଗୁଡ଼ିକରେ ଅଭିଯୋଗ ହୋଇଥିବା ମୋଟ ଲାଭଖୋର ପରିମାଣ ପ୍ରାୟ  ୪,୩୬୨ କୋଟି ଟଙ୍କା ଥିଲା।" ସେ କହିଥିଲେ ଯେ ସଂଖ୍ୟାଗୁଡ଼ିକ ଦର୍ଶାଉଛି ଯେ ଶିଳ୍ପ, "ମୋଟା ମୋଟାମୋଟି ଭାବରେ,ଜିଏସ୍‌ଟି ହାର ହ୍ରାସର ଲାଭ ଜନତାଙ୍କୁ ପ୍ରଦାନ କରିଛି।" ଶ୍ରୀବାସ୍ତବ କହିଛନ୍ତି ଯେ ଜିଏସ୍‌ଟି ସଂଶୋଧନ ସମୟରେ ମଧ୍ୟ, ଶିଳ୍ପଗୁଡ଼ିକ ସାର୍ବଜନୀନ ପ୍ରତିଶ୍ରୁତି ଦେଇଥିଲେ, ଏବଂ ଏବେ ମଧ୍ୟ ଅନେକ ଘୋଷଣା କରିସାରିଛନ୍ତି ଯେ ସେମାନେ ଜିଏସ୍‌ଟି ହ୍ରାସର ଲାଭ ଜନତାଙ୍କୁ ଦେବେ। ତେବେ ଏଥିପାଇଁ କୌଣସି ସରକାରୀ ବ୍ୟବସ୍ଥା ନଥିବା ବେଳେ କମ୍ପାନୀ ମାନେ କେତେ ମାତ୍ରାରେ ଗ୍ରାହକଙ୍କୁ ଏହାର ଫାଇଦା ଦେବେ ତାହା ସମୟ କହିବ।