ଅଧିନାୟକ ରୋହିତ ଶର୍ମାଙ୍କ ODIରୁ ହେବ ଛୁଟି ? ୨୦୨୭ ବିଶ୍ଵକପ୍ ପାଇଁ BCCIର ପ୍ରସ୍ତୁତି

Published By : Prameya-News7 Bureau | June 10, 2025 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା ଟି-୨୦ ଓ ଟେଷ୍ଟରୁ ଅବସର ନେବା ପରେ କେବଳ ଦିନିକିଆ କ୍ରିକେଟ୍ ଜାରି ରଖିବେ ବୋଲି କହିଥିଲେ। ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ରୋହିତ ଶର୍ମା ଦିନିକିଆରୁ ଅବସର ନେଇଯିବେ ବୋଲି ଅନେକ ଆଶା କରୁଥିଲେ। ହେଲେ ସେ ଅବସର ନ ନେବା ଏହାର ସଙ୍କେତ ଦେଇଥିଲା ଯେ, ରୋହିତ ୨୦୨୭ ଦିନିକିଆ ବିଶ୍ଵ କପ୍ ଖେଳିବାକୁ ଚାହୁଁଛନ୍ତି। ତେବେ ଦଳର ଏହି ତାରକା ଖେଳାଳିଙ୍କ ୨୦୨୭ ଦିନିକିଆ ବିଶ୍ଵକପ୍‌ ଖେଳିବାର ସ୍ଵପ୍ନ ଏବେ ମୁସ୍କିଲ ଲାଗୁଛି। ପରବର୍ତ୍ତୀ ବିଶ୍ଵକପ୍ ୨୦୨୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବ। ସେତେବେଳକୁ ରୋହିତଙ୍କ ବୟସ ୪୦ ବର୍ଷ ହୋଇ ସାରିଥିବ। ଏମିତିରେ ସମସ୍ତ ମିଡିଆ ରିପୋର୍ଟ ଉପରେ ନଜର ପକାଇଲେ ଏହାର ସଙ୍କେତ ମିଳୁଛି ଯେ, ବିସିସିଆଇ ଦିନିକିଆରେ ନେତୃତ୍ଵ ପରିବର୍ତ୍ତନ କରିବାକୁ ଯୋଜନା କରୁଛି।

Also read: ବେଙ୍ଗାଲୁରୁ ଦଳାଚକଟାରେ କର୍ଣ୍ଣାଟକ ସରକାରଙ୍କ ବଡ଼ ଆକ୍ସନ ! ବଦଳିବ RCB ହୋମ ଗ୍ରାଉଣ୍ଡର ପୂରା ନକ୍ସା

ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ଆଶା କରୁଥିଲା ଯେ, ରୋହିତ ଟେଷ୍ଟ ସହିତ ଦିନିକିଆ କ୍ରିକେଟ୍‌ରୁ ସନ୍ନ୍ୟାସ ନେବେ। ମାତ୍ର ୩୮ ବର୍ଷୀୟ ରୋହିତ ସମସ୍ତଙ୍କୁ ଚକିତ କରି ଦିନିକିଆ କ୍ରିକେଟ୍‌ ଖେଳିବା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦ୍ଵାରା ତାଙ୍କର ଦିନିକିଆ ବିଶ୍ଵକପ୍ ଜିତିବା ସ୍ଵପ୍ନ ପୂରଣ ହୋଇ ପାରିବ। ରୋହିତଙ୍କ ନେତୃତ୍ଵରେ ଭାରତୀୟ ଦଳ ୨୦୨୩ ଦିନିକିଆ ବିଶ୍ଵକପ୍‌ର ଫାଇନାଲ୍‌ରେ ପହଞ୍ଚିଥିଲା। ହେଲେ ଦଳ ଟାଇଟଲ୍ ଜିତି ପାରି ନ ଥିଲା। ଏହା ପରେ ରୋହିତ ଭାରତକୁ ଟି-୨୦ ବିଶ୍ଵକପ୍ ଓ ଚାମ୍ପିଅନ୍ସ ଟ୍ରଫି ଜିତାଇଥିଲେ। ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ଜିତିବା ପରେ ରୋହିତ କହିଥିଲେ ଯେ, ସେ ଦିନିକିଆ କ୍ରିକେଟ୍‌ରେ ଅବସର ନେଉ ନାହାନ୍ତି। ତେଣୁ ଏହାକୁ ନେଇ କୌଣସି ଗୁଜବ ପ୍ରଚାର କରନ୍ତୁ ନାହିଁ। 


ବିସିସିଆଇ କରୁଛି ପରିବର୍ତ୍ତନ ଯୋଜନା

ରିପୋର୍ଟ ଅନୁଯାୟୀ, ବିସିସିଆଇ ଏବେ ଦିନିକିଆ କ୍ରିକେଟ୍‌ରେ ପରିବର୍ତ୍ତନ ଚାହୁଁଛି। ଦଳ ପ୍ରବନ୍ଧକ ଏହି ଫର୍ମାଟର ଭବିଷ୍ୟତକୁ ଦୃଷ୍ଟିରେ ରଖି କୌଣସି ଯୁବ ଖେଳାଳିଙ୍କୁ ଅଧିନାୟକ କରିବାକୁ ଚାହୁଁଛି। ବିସିସିଆଇ ପାଖରେ ୨୦୨୭ ବିଶ୍ଵକପ୍ ପୂର୍ବରୁ ୨୭ ଦିନିକିଆ ମ୍ୟାଚ୍  ରହିଛି। ସୂତ୍ର ମୁତାବକ ରୋହିତ ଶର୍ମାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଅଧିନାୟକ ପଦ ମିଳିପାରେ। ଆୟର ଆଇପିଏଲ୍‌ରେ ତିନୋଟି ଭିନ୍ନ ଭିନ୍ନ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଛନ୍ତି। ସେ ମୁମ୍ବାଇ ଦଳର ନେତୃତ୍ଵ ନେଇ ସୈୟଦ ମୁସ୍ତାକ ଅଲୀ ଟ୍ରଫି ଜିତାଇଥିଲେ।

ଶ୍ରେୟସ ଆୟର ସଂପ୍ରତି ଦିନିକିଆ ଖେଳୁଛନ୍ତି। ମାତ୍ର ଏହି ଆଇପିଏଲ୍ ପରେ ଶ୍ରେୟସଙ୍କୁ ଟି-୨୦ ଓ ଟେଷ୍ଟ ଦଳରୁ ବାଦ୍ ଦେବା ମୁସ୍କିଲ ଲାଗୁଛି। ଏବେ ସେ ଆନୁଷ୍ଠାନିକ ଭାବେ ଦିନିକିଆ ଦଳର ନେତୃତ୍ଵ ଦୌଡ଼ରେ ସାମିଲ ହୋଇ ଯାଇଛନ୍ତି। ରୋହିତ ୨୦୨୪ ଟି-୨୦ ବିଶ୍ଵକପ୍ ଜିତିବା ପରେ ଟି-୨୦ ଅନ୍ତର୍ଜାତୀୟରୁ ସନ୍ନ୍ୟାସ ଘେଷଣା କରିଥିଲେ। ହେଲେ ରୋହିତ ସ୍ପଷ୍ଟ କରିଥିଲେ ଯେ ସେ ୨୦୨୭ ଦିନିକିଆ ବିଶ୍ଵକପ୍ ଖେଳିବାକୁ ଚାହୁଁଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.