ବେଙ୍ଗାଲୁରୁ: ୧୮ ବର୍ଷ ପରେ ପ୍ରଥମ ଆଇପିଏଲ୍ ଟ୍ରଫି ଜିତିବାର ଖୁସି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ପ୍ରଶଂସକଙ୍କ ପାଇଁ ଶୋକରେ ପରିଣତ ହୋଇଛି। ଜୁନ ୪ରେ ଆୟୋଜିତ ବିଜୟ ଉତ୍ସବରେ ଘଟିଥିବା ଭୟଙ୍କର ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିବା ମାମଲା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି। ମାମଲା ହାଇକୋର୍ଟରେ ପହଞ୍ଚିଥିବା ବେଳେ ରାଜ୍ୟ ସରକାର ପୋଲିସ କମିଶନର ସମେତ ୫ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏବେ ଏହି ମାମଲାରେ କର୍ଣ୍ଣାଟକ ସରକାର ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଷ୍ଟାଡିୟମକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଉପରେ ବିଚାର କରୁଛନ୍ତି ସରକାର।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବେଙ୍ଗାଲୁରୁର କ୍ରିକେଟ୍ ଷ୍ଟାଡିୟମକୁ ସ୍ଥାନାନ୍ତର କରିବା ଉପରେ ଗମ୍ଭୀର ଭାବେ ବିଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ଏହି ଦୁର୍ଘଟଣାକୁ ନେଇ ମର୍ମାହତ। ସରକାରି ଏହି ମାମଲାରେ ଦୀର୍ଘକାଳୀନ ସମାଧାନ ଉପରେ ବିଚାର କରୁଛନ୍ତି। ସେହି ହିସାବରେ ଷ୍ଟାଡିୟମକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।
Also read: KGFରୁ ପୁଣି ଉତ୍ପାଦନ ହେବ ସୁନା, ୮୦ ବର୍ଷ ପରେ ଆରମ୍ଭ ହେବ ଭାରତର ‘ସ୍ୱର୍ଣ୍ଣ ଯୁଗ’
ସିଦ୍ଧରମୈୟା କହିଛନ୍ତି, ଏମିତି ଦୁର୍ଘଟଣା କୌଣସି ସରକାରଙ୍କ କାର୍ଯ୍ୟକାଳରେ ହେବା ଉଚିତ୍ ନୁହେଁ। ଏହି ଘଟଣା ମୋତେ ଓ ସରକାର ସମସ୍ତଙ୍କୁ ମର୍ମାହତ କରିଛି। ଘଟଣାରେ ୫ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଗୁଇନ୍ଦା ବିଭାଗର ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ମଧ୍ୟ ବଦଳି କରି ଦିଆଯାଇଛି । ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ।
ଅନ୍ୟପଟେ ଆରସିବି ନିଜ ପଦାଧିକାରୀଙ୍କ ବିରୋଧରେ ରୁଜୁ ଏଫଆଇଆର ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି। ଆରସିବି ନିଜର ଆବେଦନରେ କହିଛି ଯେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦଳର ସମ୍ମାନ ସମାରୋହରେ ଲୋକଙ୍କୁ ଆମନ୍ତ୍ରିତ କରିଥିଲେ। ଆରସିବି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଟୁଇଟ୍କୁ ପ୍ରମାଣ ଭାବେ ଉପସ୍ଥାପନ କରିଛି। ଫ୍ରାଞ୍ଚାଇଜ ଏହା ମଧ୍ୟ କହିଛି ଯେ, ଷ୍ଟାଡିୟମ ବାହାରେ ଦଳାଚକଟାରେ ଲୋକଙ୍କ ମୃତ୍ୟୁ ଖବର ସେତେବେଳେ ମିଳିଲା ଯେତେବେଳେ ଷ୍ଟାଡିୟମରେ ସମାରୋହ ଆରମ୍ଭ ହୋଇ ସାରିଥିଲା।
ଯାଚିକାରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଆରସିବି ଦ୍ଵାରା ସୋସିଆଲ ମିଡିଆରେ ସେୟାର ହୋଇଥିବା ପୋଷ୍ଟରେ ସ୍ପଷ୍ଟ ଭାବେ ଲେଖା ଯାଇଥିଲା ଯେ ପଡ଼ିଆରେ ସେହି ଲୋକଙ୍କୁ ପ୍ରବେଶ ଅନୁମତି ମିଳବି ଯେଉଁମାନେ ବେଙ୍ଗାଲୁରୁ ଦଳର ଅଫିସିଆଲ ଓ୍ଵେବସାଇଟ୍ରେ ପଞ୍ଜୀକୃତ କରିଛନ୍ତି।