ମୁମ୍ଵାଇ ୧୧।୦୬; ବଲିଉଡ ତାରକା ଇଶିତା ଦତ୍ତା ଓ ଭାଟସାଲ ସେଠଙ୍କ ଘରକୁ ଆସିଛନ୍ତି କୁନି ଅତିଥି । ଉଭୟ ପୁଣି ଥରେ ପିତାମାତା ହୋଇଛନ୍ତି । ପୂର୍ବରୁ ଏହି ଦମ୍ପତି ଜଣେ ଶିଶୁ ପୁତ୍ରର ପିତାମାତା ହୋଇଥିବା ବେଳେ ବର୍ତ୍ତମାନ ତାଙ୍କ ଘରକୁ ଆସିଛନ୍ତି ଲକ୍ଷ୍ମୀ । ଇଶିତା ଦତ୍ତା କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ଦମ୍ପତି । ଏହି ଖୁସି ଖବର ଆସିବା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଉଭୟଙ୍କୁ ଶୁଭକାମନା ଜଣାଇଛନ୍ତି ।
ଇଶିତା ଦତ୍ତା ଏବଂ ଭାଟସଲ ସେଠଙ୍କର ଏକ ପୁଅ ଅଛି । ଯାହାର ନାମ ବାୟୁ। ବର୍ତ୍ତମାନ ଅଭିନେତ୍ରୀ ପୁଣି ଥରେ ମାଆ ହୋଇଥିବା ବେଳେ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ହସ୍ପିଟାଲରୁ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବେବିର ଝଲକ ଦେଖାଇବା ସହ ଏହି ଖୁସି ଖବର ଦେଇଛନ୍ତି । ସେୟାର କରାଯାଇଥିବା ଫଟୋରେ ଇଶିତା, ଭାଟସାଲଙ୍କ ସହ ପୁଅ ଏବଂ ଝିଅଙ୍କୁ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ଇଶିତା କ୍ୟାପସନରେ ଲେଖିଛନ୍ତି, 'ଦୁଇ ରୁ ଚାରଟି ହୃଦୟ ଏକ ସାଙ୍ଗରେ ଧକ୍ ଧକ୍ ହେଉଛି। ଆମର ପରିବାର ଏବେ ସମ୍ପୂର୍ଣ୍ଣ । ଏକ କନ୍ୟା ସନ୍ତାନ ସହିତ ଆଶୀର୍ବାଦ ପ୍ରାପ୍ତ ।
କହିବାକୁ ଗଲେ ଏହି ବର୍ଷ ଫେବୃଆରୀରେ, ଭାଟସାଲ ଇଶିତାଙ୍କ ଦ୍ୱିତୀୟ ଗର୍ଭଧାରଣ ନେଇ ନିଶ୍ଚିତ କରିଥିଲେ । ଇଶିତା ଏବଂ ଭାଟସାଲ ନଭେମ୍ବର ୨୦୧୭ରେ ବିବାହ କରିଥିଲେ। ବିବାହର ପ୍ରାୟ ସାଢେ ପାଞ୍ଚ ବର୍ଷ ପରେ ଦୁହେଁ ୧୯ ଜୁଲାଇ ୨୦୨୩ରେ ପ୍ରଥମ ସନ୍ତାନର ଜନ୍ମ ଦେଇଥିଲେ । ବର୍ତ୍ତମାନ ଦୁଇ ବର୍ଷ ପରେ ଉଭୟ ପୁଣି ଥରେ ପିତାମାତା ହୋଇଛନ୍ତି ।