LIVE TV

ସରକାରୀ ଚାକିରୀରେ ସ୍ୱାମୀଙ୍କ ମୃତ୍ୟୁର ୨୪ ବର୍ଷ ପରେ ପତ୍ନୀ ରୁଜୁ କରିଥିଲେ ମକଦ୍ଦମା, ଆସିଲା ରାଜସ୍ଥାନ ହାଇକୋର୍ଟଙ୍କ ରାୟ

NEWS7
Rajasthan HC

ଜୟପୁର ୫।୧୦: ଜନୈକା ମହିଳା ୨୦୧୪ ମସିହାରେ ରାଜସ୍ଥାନ ଉଚ୍ଚନ୍ୟାୟାଳୟରେ ଏକ ମକଦ୍ଦମା ରୁଜୁ କରିଥିଲେ। ଏଥିରେ ସେ ଅଭିଯୋଗ କରିଥିଲେ ଯେ ୧୯୯୦ ମସିହାରେ ତାଙ୍କ ସ୍ୱାମୀଙ୍କ ପରଲୋକ ହୋଇଯାଇଥିଲା। ତେବେ ପରଲୋକ କାଳରେ ତାଙ୍କ ସ୍ୱାମୀ ସରକାରୀ ଚାକିରୀରେ ଥିଲେ ମଧ୍ୟ ମୃତ୍ୟୁ କାରଣରୁ ମିଳିବାକୁ ଥିବା ପାରିବାରିକ ପେନସନ, ଗ୍ରାଚ୍ୟୁଟି ଲାଭ ଆଦି ମିଳିନାହିଁ। ତାଙ୍କ ସ୍ୱାମୀ ୨୬ସେପ୍ଟେମ୍ବର ୧୯୮୯ରେ ଏକ ଆଦେଶ ବଳରେ ଲୋଅର ଡିଭିଜନ କ୍ଲର୍କ ଭାବେ ଚାକିରୀରେ ଯୋଗ ଦେଇଥିଲେ। ତେବେ ମାତ୍ର ବର୍ଷକ ପରେ ୨୯ ଅକ୍ଟୋବର ୧୯୯୦ରେ ତାଙ୍କର ପରଲୋକ ହୋଇଥିଲା।

ହେଲେ ୨୬ ସେପ୍ଟେମ୍ବର ୧୯୮୯ ନିଯୁକ୍ତି ଆଦେଶରେ ତାଙ୍କ ପଦବୀକୁ ସମ୍ପୂର୍ଣ୍ଣ ଅସ୍ଥାୟୀ ଦର୍ଶାଯାଇଥିଲା, କିନ୍ତୁ ତାଙ୍କ ନିଯୁକ୍ତି ଯେଉଁଭଳି ହୋଇଥିଲା ତାହା ଏକ ନିୟମିତ ସରକାରୀ କର୍ମଚାରୀଙ୍କ ସହ ସମାନ ଥିଲା। ନିଯୁକ୍ତି ଆଦେଶରେ ଏହା ବି କୁହାଯାଇଥିଲା ଯେ ତାଙ୍କୁ ଆଇନର ଉଚିତ ପ୍ରକ୍ରିୟା ପାଳନ ପୂର୍ବକ ଚୟନ କମିଟି ସୁପାରିଶ ଆଧାରରେ ନିଯୁକ୍ତ କରାଯାଇଛି। ପତିଙ୍କ ମୃତ୍ୟୁ ପରେ ସରକାର ତାଙ୍କ ନିଯୁକ୍ତିକୁ ମୌଳିକ ନିଯୁକ୍ତି କହିଥିଲେ ଓ ତାଙ୍କ ପତ୍ନୀଙ୍କୁ ରାଜସ୍ଥାନ ସରକାରଙ୍କ ଅନୁକମ୍ପା ନିଯୁକ୍ତି ନିୟମ ୧୯୭୫ ଅନୁସାରେ ନିଯୁକ୍ତି ପାଇଁ ଅନୁମତି ଦେଇଥିଲେ।

ଯେହେତୁ ତାଙ୍କ ପତିଙ୍କ ନିଯୁକ୍ତିପତ୍ରରେ କୁହାଯାଇଥିଲା ଯେ ଏହି ନିଯୁକ୍ତି ସମ୍ପୂର୍ଣ୍ଣ ରୂପେ ଅସ୍ଥାୟୀ ଆଧାରରେ, ଏଣୁ ତାଙ୍କ ପତ୍ନୀଙ୍କୁ ମୃତ୍ୟୁ ଗ୍ରାଚ୍ୟୁଟି ଲାଭ ଓ ପାରିବାରିକ ପେନସନରୁ ବଞ୍ଚିତ କରାଯାଇଥିଲା। ଏଥିରେ ଦୁଃଖି ମହିଳା ତାଙ୍କ ସ୍ୱାମୀଙ୍କ ପରଲୋକର ୨୪ ବର୍ଷ ପରେ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏବେ ଏହାର ରାୟ ଆସିଛି। ୪ ସେପ୍ଟେମ୍ବର ୨୦୨୫ରେ ରାଜସ୍ଥାନ ଅନୁକମ୍ପା ନିଯୁକ୍ତି ନିୟମର ଏକ ପୂର୍ବ ନିଷ୍ପତ୍ତି ଓ ବ୍ୟାଖ୍ୟା ଆଧାରରେ ମହିଳା ଉଚ୍ଚ ନ୍ୟାୟାଳୟରେ ମକଦ୍ଦାମା ରେ ବିଜୟୀ ହୋଇଛନ୍ତି।

ରାଜସ୍ଥାନ ଉଚ୍ଚନ୍ୟାୟାଳୟଙ୍କ ବିଚାରପତି ଜଷ୍ଟିସ୍ ଆନନ୍ଦ ଶର୍ମା ୪ ସେପ୍ଟେମ୍ବର ୨୦୨୫ ରାୟରେ କହିଛନ୍ତି ଯେ ୧୯୫୧ ନିୟମ ୨୬୮ ଏ କୁ ପଢିଲେ ଏହା ସ୍ପଷ୍ଟ ହୋଇଯାଉଛି ଯେ କୌଣସି ସରକାରୀ କର୍ମଚାରୀଙ୍କ ନିଯୁକ୍ତି ସ୍ଥାୟୀ ହେଉ କି ଅସ୍ଥାୟୀ, ଏକ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ ଥିଲେ ତାଙ୍କ ଆଶ୍ରିତ ପାରିବାରିକ ପେନସନର ହକଦାର। କୋର୍ଟ କହିଛନ୍ତି ଯେ ପେନସନ କୌଣସି ପୁରସ୍କାର ନୁହେଁ ଏହା କର୍ମଚାରୀଙ୍କ ଆଶ୍ରିତଙ୍କ ଅଧିକାର।

ଯେହେତୁ ମାମଲା ଅନେକ ବିଳମ୍ବରେ (୨୪ ବର୍ଷ ପରେ) ରୁଜୁ ହୋଇଛି ଏହି ରାୟ ପ୍ରକାଶର ୩ ମାସ ମଧ୍ୟରେ ସରକାର ଆବେଦନକାରୀଙ୍କୁ ପାରିବାରିକ ପେନସନ ଜାରି କରନ୍ତୁ। ଏହି ଅବଧିରେ ଆବେଦନକାରୀଙ୍କୁ ବକେୟା ପେନସନର ମଧ୍ୟ ସମାଧାନ କରନ୍ତୁ। ଏଥିରେ ବକେୟା ପେନସନ ରାଶି ଉପରେ ବାର୍ଷିକ ୯% ହାରରେ ସୁଧ ମଧ୍ୟ ପ୍ରଦାନ କରନ୍ତୁ।