ନୂଆଦିଲ୍ଲୀ ୨୬।୧୧: ସମ୍ବିଧାନ ଦିବସ । ନଭେମ୍ବର ୨୬ ହେଉଛି ଭାରତ ପାଇଁ ଏକ ସ୍ୱତନ୍ତ୍ର ଦିନ । କାରଣ ଏହି ଦିନ ପ୍ରତିବର୍ଷ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ । ୨୬ ନଭେମ୍ବର ୧୯୪୯ରେ ସ୍ୱାଧୀନ ଭାରତ ଦେଶର ସମ୍ବିଧାନ ସଭା ବର୍ତ୍ତମାନର ସମ୍ବିଧାନକୁ ବିଧିବଦ୍ଧ ଭାବେ ଆପଣାଇଥିଲେ । ଏହାର ୨ ମାସ ପରେ ୨୬ ଜାନୁଆରୀ ୧୯୫୦ରେ ଦେଶବ୍ୟାପୀ ସମ୍ବିଧାନକୁ କାର୍ଯ୍ୟକାରୀ ହୋଇଥିଲା । ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ମୌଳିକ କର୍ତ୍ତବ୍ୟ ଯାହା ଆମକୁ ଆମ ଦାୟିତ୍ୱକୁ ମନେ ପକାଇଥାଏ ।

କାହିଁକି ପାଳନ ହୁଏ ସମ୍ବିଧାନ ଦିବସ ?

୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସମ୍ବିଧାନ ସଭା ଦ୍ୱାରା ଗୃହୀତ ହୋଇଥିଲା ସମ୍ବିଧାନ । ତାପର ଠାରୁ ପ୍ରତିବର୍ଷ ଅର୍ଥାତ ୧୯୫୦ ଜାନୁଆରୀ ୨୬ରୁ ଏହାକୁ ଲାଗୁ କରାଯାଇଥିଲା । ୨୦୧୫ରେ ଭାରତୀୟ ସମ୍ବିଧାନର ଜନକ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତି ଅବସରରେ ପ୍ରଥମ ଥର ପାଇଁ ସମ୍ବିଧାନ ଦିବସ ପାଳିତ ହୋଇଥିଲା ।

କିପରି ଆରମ୍ଭ ହୋଇଥିଲା ସମ୍ବିଧାନ ?

ଭାରତୀୟ ସମ୍ବିଧାନ ପ୍ରସ୍ତୁତି କରିବା ଲାଗି ୨ ବର୍ଷ, ୧୧ ମାସ, ୧୮ ଦିନ ସମୟ ଲାଗିଥିଲା । ୨୬ ନଭେମ୍ବର ୧୯୪୯ରେ ସମ୍ବିଧାନ ପ୍ରସ୍ତୁତ କାମ ସମାପ୍ତ ହୋଇଥିଲା । ଆମ ଦେଶର ସମ୍ବିଧାନ ବିଶ୍ୱର ସବୁଠାରୁ ବଡ଼ ଲିଖିତ ସମ୍ବିଧାନ । ଏହାକୁ ପ୍ରସ୍ତୁତ ସମୟରେ ସାଧାରଣ ଲୋକଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ପାଇଁ ଅନେକ ଦେଶର ନୀତିକୁ ସାମିଲ କରାଯାଇଥିଲା । ଖାସ୍‌ କରି ଆମେରିକା, ଆୟର୍ଲାଣ୍ଡ, କାନାଡା, ଜାପାନ, ଅଷ୍ଟ୍ରେଲିଆ, ୟୁକେ ଭଳି ଦେଶର ସମ୍ବିଧାନର ସହାୟତା ଲୋଡାଯାଇଥିଲା ।  ଏହି ସବୁ ଦେଶର ସମ୍ବିଧାନରୁ, ଆମେ ନାଗରିକଙ୍କ କର୍ତ୍ତବ୍ୟ, ମୌଳିକ ଅଧିକାର, ସରକାରଙ୍କ ଭୂମିକା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ନିର୍ବାଚନ ପ୍ରକ୍ରିୟା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ବାଛିଥିଲୁ। ଶେଷରେ ୧୯୫୦ ଜାନୁଆରୀରେ ସମ୍ବିଧାନକୁ ପ୍ରଣୟନ କରାଯାଇଥିଲା । ପୂର୍ବରୁ ସମ୍ବିଧାନରେ ମୋଟ ୩୯୫ ଅନୁଚ୍ଛେଦ ଥିବା ବେଳେ ଏବେ ମୋଟ ୪୭୦ ଅନୁଚ୍ଛେଦ ରହିଛି । ସମ୍ବିଧାନ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଲେଖାଯାଇଥିବା ବେଳେ ଏଥିରେ ମୋଟ ୨୫୧ ପୃଷ୍ଠା ସମ୍ବିଳିତ । ଭାରତୀୟ ସମ୍ବିଧାନର ମୂଳ ସଂରଚନା ଭାରତ ସରକାର ଅଧିନିୟମ ୧୯୩୫ ଉପରେ ଆଧାରିତ ।