ନୂଆଦିଲ୍ଲୀ ୨୧/୧୦: ପାକିସ୍ତାନ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ । ଦ୍ୱିତୀୟ ତଥା ଶେଷ ମୁକାବିଲା ରାଓ୍ୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି । ଏହି ମୁକାବିଲାରେ ପାକିସ୍ତାନର ଚୂଡ଼ାନ୍ତ ଏକାଦଶରେ ଆସିଫ୍ ଆଫରିଦିଙ୍କୁ ମିଳିଛି ସୁଯୋଗ। ଆସିଫଙ୍କ ଏହା ହେଉଛି ପଦାର୍ପଣ ଟେଷ୍ଟ ମ୍ୟାଚ୍। ସବୁଠୁ ବଡ଼ କଥା ୩୮ ବର୍ଷ ବୟସରେ ଆସିଫଙ୍କୁ କ୍ରିକେଟର ସବୁଠୁ ଲମ୍ବା ଫର୍ମାଟରେ ଡେବ୍ୟୁ କରିବାର ସୁଯୋଗ ମିଳିଛି। ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ବୟସରେ ଟେଷ୍ଟରେ ପଦାର୍ପଣ କରିବାରେ ଆସିଫ ହେଉଛନ୍ତି ଦ୍ଵିତୀୟ ବୟଜ୍ୟୋଷ୍ଠ ଖେଳାଳି। ତାଙ୍କ ପୂର୍ବରୁ ୪୭ ବର୍ଷ ୨୮୪ ଦିନ ପରେ ଟେଷ୍ଟରେ ଡେବ୍ୟୁ କରିଥିଲେ  ମିରାଜ ବଖସ।
​​​​​​ଆସିଫ୍ ଆଫରିଦିଙ୍କୁ ୨୦୨୨ରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଗୋଟିଏ ବର୍ଷ ପାଇଁ ବ୍ୟାନ୍ ଲଗାଇଥିଲା ।  ଘରୋଇ କ୍ରିକେଟରେ ସ୍ପଟ୍ ଫିକ୍ସିଙ୍ଗ ସଂପର୍କିତ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୬ ମାସ ପରେ ତାଙ୍କ ଉପରୁ ବ୍ୟାନ୍ ହଟିଥିଲା । ପେଶାଓ୍ୱାରରେ ଜନ୍ମିତ ଆସିଫ୍ ବାମହାତୀ ସ୍ପିନର । ଏହା ସହ ବ୍ୟାଟିଂରେ ସେ ଉପଯୋଗୀ ଯୋଗଦାନ ଦେଇ ପାରନ୍ତି । ଏହି ମ୍ୟାଚ ପୂର୍ବରୁ ସେ ୫୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। 

ଏଥିରେ ସେ ୧୯୮ ଓ୍ୱିକେଟ ନେବା ସହ କରିଥିଲେ ୧୬୩୦ ରନ୍ । ଆସିଫଙ୍କ ନାମରେ ୬୦ ଲିଷ୍ଟ ଏ ମ୍ୟାଚ୍‌ରେ ୮୩ ଓ୍ୱିକେଟ ଏବଂ ୬୯୯ ରନ୍ ରହିଛି । ଆସିଫ୍ ୮୫ ଟି-୨୦ ମୁକାବିଲା ବି ଖେଳି ୬୯୯ ରନ୍ କରିଛନ୍ତି। ବୋଲିଂରେ ସେ ୭୮ ଓ୍ୱିକେଟ୍ ନେଇଛନ୍ତି। ଆସିଫ୍ ଆଫରିଦି ପାକିସ୍ତାନ ସୁପର ଲିଗ ୨୦୨୫ରେ ଲାହୋର କଲନ୍ଦର୍ସ ପକ୍ଷରୁ ପ୍ରତିନିଧିତ୍ଵ କରିଥିଲେ। ଏହାସହ ସେ ମୁଲତାନ ସୁଲତାନ୍ସ ପକ୍ଷରୁ ଖେଳିଛନ୍ତି।