ନୂଆଦିଲ୍ଲୀ : ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ ଗୁଗୁଲକୁ ମିଳିଛି ଅଫର। ଏହି ଅଫର ଗୁଗୁଲକୁ କିଣିବାର। ଏଭଳି ସାହସ କରିଛନ୍ତି ଭାରତୀୟ ଯୁବକ। ତାଙ୍କ ନାଁ ଅରବିନ୍ଦ ଶ୍ରୀନିବାଶ। ସେ Perplexity AI କମ୍ପାନୀର CEO । ଅରବିନ୍ଦ ଶ୍ରୀନିବାସ Google Chrome ବ୍ରାଉଜର କିଣିବା ପାଇଁ $34.5 ବିଲିୟନ ଅର୍ଥାତ୍ 3ଲକ୍ଷ କୋଟି ପ୍ରସ୍ତାବ ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା ତାଙ୍କ ନିଜ କମ୍ପାନୀର ମୂଲ୍ୟଠାରୁ ଦୁଇଗୁଣ ଅଧିକ। ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ତିନି ବର୍ଷ ପୁରୁଣା AI କମ୍ପାନୀ ଗୁଗୁଲ୍ କ୍ରୋମ୍ ଭଳି ଏକ ବଡ଼ ବ୍ରାଉଜର ଉପରେ ମୂଲ୍ୟ କେମିତି ରଖିଛି। ଆସନ୍ତୁ ଜାଣିବା ଏହି କମ୍ପାନୀର CEO ଅରବିନ୍ଦ ଶ୍ରୀନିବାସ କିଏ?
ଅରବିନ୍ଦ ଶ୍ରୀନିବାସ 7 ଜୁନ୍ 1994 ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସେ IIT ମାଡ୍ରାସରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ BTech ଏବଂ MTech ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଅଧିକ ପାଠପଢ଼ା ପାଇଁ ଆମେରିକା ଯାଇଥିଲେ। ସେ 2021ରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ପିଏଚଡି କରିଥିଲେ। ପରେ ଅରବିନ୍ଦ ସାମ୍ ଅଲ୍ଟମ୍ୟାନଙ୍କ OpenAIର ଚାଟ୍ ଜିପିଟିରେ ଚାରି ମାସ ପର୍ଯ୍ୟନ୍ତ ରିସର୍ଚ୍ଚ ଇଣ୍ଟର୍ଣ୍ଣ ଭାବେ କାମ କଲେ। ଏହା ପରେ ସେ AI ଷ୍ଟାର୍ଟଅପ୍ ଡିପ୍ ମାଇଣ୍ଡରେ 5 ମାସ ଇଣ୍ଟର୍ଣ୍ଣ ଭାବେ କାମ କଲେ। ଅରବିନ୍ଦ ଶ୍ରୀନିବାସ ଓପନଏଆଇ, ଏବଂ ଡିପ୍ମାଇଣ୍ଡରେ କାମ କରିବା ପରେ ଗୁଗୁଲରେ ଗୋଟି ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ। ତାପରେ ସେ 2022ରେ ତାଙ୍କ ବନ୍ଧୁ ଡେନିସ୍ ୟାର୍ଟସ୍, ଜନି ହୋ ଏବଂ ଆଣ୍ଡି କୋନୱିନ୍ସକିଙ୍କ ସହ ମିଶି 'ପର୍ପଲେକ୍ସିଟି ଏଆଇ' ଆରମ୍ଭ କରିଥିଲେ। ଏହି କମ୍ପାନୀ ଏକ ସର୍ଚ୍ଚ ଇଞ୍ଜିନ୍ ତିଆରି କରେ ଯାହା ଏଆଇ ସାହାଯ୍ୟରେ ତୁରନ୍ତ ଉତ୍ତର ଦିଏ।
2022 ରେ ଆରମ୍ଭ ହୋଇଥିବା ଏହି Perplexityର ଭ୍ୟାଲୁଏସନ୍ ବର୍ତ୍ତମାନ 14 ଅରବ ଆମେରୀକୀୟ ଡଲାର। ବଡ଼ କଥା ହେଉଛି ସେ କ୍ରୋମକୁ କିଣିବାକୁ 34 ଅରବ ଡଲାରର ଅଫର ଦେଇଥିଲେ। ସେଥିପାଇଁ ତାଙ୍କୁ ନେଇ ଚର୍ଚ୍ଚା । ତେବେ ଏହା ତାଙ୍କର ପ୍ରଥମ ଅଫର ନୁହେଁ। ସେ ପୂର୍ବରୁ ଟିକଟକକୁ ବି କିଣିବାକୁ ଦେଇଥିଲେ ଅଫର। ଅରବିନ୍ଦ ଶ୍ରୀନିବାସଙ୍କ ପର୍ପେଲକ୍ସିଟି AI ନିଜର AI ବ୍ରାଉଜର, COMET ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ଆଗାମୀ ଦୁଇ ବର୍ଷ ମଧ୍ୟରେ କ୍ରୋମ ଏବଂ ଏହାର ଓପନ୍-ସୋର୍ସ ସଂସ୍କରଣ, Chromebook ରେ 3 ବିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜୁନ୍ 30, 2025 ସୁଦ୍ଧା, ଅରବିନ୍ଦ ଶ୍ରୀନିବାସଙ୍କ ମୋଟ ସମ୍ପତ୍ତି 242.5 କୋଟି ଟଙ୍କାରୁ ଅଧିକ ।