ନୂଆଦିଲ୍ଲୀ ୨୫।୧୨: ଶିଶୁ ମୃତ୍ୟୁ ହାର କୌଣସି ଦେଶର ସ୍ୱାସ୍ଥ୍ୟ ପ୍ରଣାଳୀ ଓ ସାମାଜିକ ସମାନତାର ସବୁଠୁ ସମ୍ବେଦନଶୀଳ ଇଣ୍ଡିକେଟର ମଧ୍ୟରୁ ଅନ୍ୟତମ। ଭାରତରେ ୫ ବର୍ଷରୁ କମ ବୟଷ୍କ ଶିଶୁଙ୍କ ମୃତ୍ୟୁ ହାର ଲଗାତାର ହ୍ରାସ ହେବାରେ ଲାଗିଛି। କିନ୍ତୁ ନିକଟରେ ମିଳିଥିବା ଏକ ସରକାରୀ ତଥ୍ୟରୁ ଜଣାପଡିଛି ଯେ ଧାର୍ମିକ ସମୂଦାୟ ମଧ୍ୟରେ ଏବେ ବି ବେଶ୍ ଅନ୍ତର ରହିଛି। ଏନଏଫଏଚଏସ୍-୫ ଏମଓଏସପିଆଇ ର ତାଜା ରିପୋର୍ଟ ଓ ଭାରତ ସରକାରଙ୍କ ଚିଲ୍ଡ୍ରେନ ଇନ୍ ଇଣ୍ଡିଆ ୨୦୨୫ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି।

ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ ଏବଂ ରାଷ୍ଟ୍ରୀୟ ସର୍ଭେକ୍ଷଣ ଅନୁସାରେ ପିଲାଙ୍କ ମୃତ୍ୟୁ ହାର ହ୍ରାସରେ ଭାରତ ଢେର ପ୍ରଗତି କରିଛି। ଶିଶୁ ମୃତ୍ୟୁ ହାର ୨୦୧୧ରେ ପ୍ରତି ୧୦୦୦ ପିଲାଙ୍କ ମଧ୍ୟରେ ୪୪ ଥିଲା। ତେବେ ୨୦୨୩ ବେଳକୁ ଏହା ହ୍ରାସ ହୋଇ ୨୫ ହୋଇଯାଇଛି। ସେହିପରି ୫ ବର୍ଷରୁ କମ ବୟଷ୍କ ପିଲାଙ୍କ ମୃତ୍ୟୁ ହାର ୨୦୧୪ରେ ୪୫ରୁ ହ୍ରାସ ହୋଇ ୨୦୨୧ରେ ୩୧କୁ ପହଞ୍ଚିଛି। ଏନଏଫଏଚଏସ-୫ର ୨୦୧୯-୨୧ ତଥ୍ୟ ବିଶ୍ଲେଷଣରୁ ଐତିହାସିକ ରୂପେ ୫ ବର୍ଷରୁ କମ ବୟଷ୍କ ହିନ୍ଦୁ ପିଲାଙ୍କ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଜଣାପଡିଛି।

ହିନ୍ଦୁ ୫ ବର୍ଷରୁ କମ୍ ବୟଷ୍କଙ୍କ ପିଲାଙ୍କ ମୃତ୍ୟୁ ହାର ପ୍ରତି ୧୦୦୦ ଜୀବିତ ଜନ୍ମ ପିଲାଙ୍କ ମଧ୍ୟରେ ୪୧.୯ ମୃତ୍ୟୁ ଅନୁମାନ କରାଯାଇଛି। ହିନ୍ଦୁ ଜନସଂଖ୍ୟାର ଅନୁସୂଚିତ ଜାତି ଓ ଜନଜାତୀ ବର୍ଗଙ୍କ କ୍ଷେତ୍ରରେ ଏହି ରିସ୍କ ସବୁଠୁ ଅଧିକ ବୋଲି କୁହାଯାଇଛି। ଏହି ଆକଳନ ଅନୁସାରେ ପ୍ରତି ୧୦୦୦ ଜୀବିତ ଜନ୍ମ ହୋଇଥିବା ଶିଶୁଙ୍କ ମଧ୍ୟରୁ ୫୦ ଜଣଙ୍କ ମୃତ୍ୟୁ ଆକଳନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ୫ ବର୍ଷ ବୟସରୁ କମ୍ ବୟଷ୍କ ମୁସଲମାନ ପିଲାଙ୍କ ମୃତ୍ୟୁ ସଂଖ୍ୟା ହିନ୍ଦୁ ଶିଶୁଙ୍କ ଅପେକ୍ଷା କମ୍। ଏନଏଫଏଚଏସ୍ ଡାଟା ଆଧାରିତ ଗବେଷଣାରୁ ଜଣାପଡିଛି ଯେ ମୁସଲମାନ ପିଲାଙ୍କ ଜୀବିତ ରହିବାର ସମ୍ଭାବନା ହିନ୍ଦୁ ପିଲାଙ୍କ ତୁଳନାରେ ୧୭ରୁ ୧୮% ଅଧିକ। ଏହି ଟ୍ରେଣ୍ଡ ଅନେକ ସର୍ଭେକ୍ଷଣରେ ଦେଖାଯାଇଛି।

ସବୁ ଧର୍ମରେ ଜୀବନର ପ୍ରଥମ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏବେକା ଅନୁମାନରୁ ଜଣାପଡୁଛି ଯେ ୫ ବର୍ଷରୁ କମ୍ ବୟସର ୫୦ରୁ ୭୩% ମୃତ୍ୟୁ ନବଜାତ ଅବସ୍ଥାରେ ହୋଇଯାଉଛି। ସମୟ ପୂର୍ବରୁ ଜନ୍ମ, ଜନ୍ମ ବେଳେ କମ ଓଜନ ସହିତ ସଠିକ ସମୟରେ ମେଡିକାଲ ସହାୟତା କମ ମିଳିବା ମୃତ୍ୟୁର ବଡ଼ କାରଣ ବୋଲି କୁହାଯାଉଛି। ଦାରିଦ୍ର୍ୟତା ଓ ମାତୃ ଶିକ୍ଷା ଅଭାବ ଏଥି ପାଇଁ ମଧ୍ୟ ଏକ କାରଣ ବୋଲି କୁହାଯାଉଛି।