ନବକଳେବର ରୋଡ୍‌ରେ ଦୁର୍ଘଟଣା, ବୃଦ୍ଧାଙ୍କୁ ଧକ୍କା ଦେଲା ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନଷ୍ଟ୍ରେସନ ବସ୍

NEWS7
westbengal-cabinate-approve-cm-hold-university-chanceller

ପୁରୀ ୨୩।୧: ଲକ୍ଷ୍ମୀଙ୍କ ଉପରେ ଚଢ଼ିଗଲା ଶ୍ରୀଜଗନ୍ନାଥ ବସ୍ । ବସ୍ ଧକ୍କାରେ ଗୁରୁତର ହୋଇଛନ୍ତି ବୃଦ୍ଧା । ପୁରୀ ନବକଳେବର ରୋଡରେ ଶୁକ୍ରବାର ସକାଳୁ ଘଟିଛି ଏଭଳି ଅଭାବନୀୟ ଘଟଣା । ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନଷ୍ଟ୍ରେସନର ବସ୍ ଦୁର୍ଘଟଣା ଘଟାଇ ଜଣେ ବୃଦ୍ଧାଙ୍କୁ ଗୁରୁତର କରିଛି । ଗୁରୁତର ବୃଦ୍ଧା ଜଣକ ହେଉଛନ୍ତି ନବକଳେବର ରୋଡ୍‌ର ଲକ୍ଷ୍ମୀ ମହାରଣା । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପୁରୀ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣା ଯୋଗୁଁ ନବକଳେବର ରୋଡ୍‌ରେ ଉତ୍ତେଜନା ସ୍ଥିତି ଲାଗି ରହିଥିବା ବେଳେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ବସ୍‌କୁ ଅଟକ ରଖି ରାସ୍ତାରୋକ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ତହସିଲଦାର, ସିଟି ଡିଏସପି, ବିଭିନ୍ନ ଥାନାର ଅଧିକାରୀ ମାନେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଦୁର୍ଘଟଣା ଘଟାଇଥିବା ବସ୍ ଡ୍ରାଇଭରକୁ କୁମ୍ଭାରପଡ଼ା ଥାନା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।

ତେବେ ଗୁରୁତର ବୃଦ୍ଧାଙ୍କ ଚିକିତ୍ସା ପାଇଁ କ୍ଷତିପୂରଣ ବାବଦେ ୫ ଲକ୍ଷ ଟଙ୍କା ପ୍ରଦାନ ସହିତ ନବକଳେବର ରୋଡ୍‌କୁ ଓ୍ବାନ ଓ୍ବେ କରାଯାଉ ବୋଲି ଦାବି ହୋଇଛି । ସେହିପରି ମରଣଯନ୍ତା ପାଲଟିଥିବା ନବକଳେବର ରୋଡ୍‌ର ତୁରନ୍ତ ମରାମତି ପାଇଁ ମଧ୍ୟ ଦାବି ହୋଇଛି । ସେପଟେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ରାସ୍ତାରୋକରୁ ଓହରିବା ପାଇଁ ସିଟି ଡିଏସ୍‌ପି ନିବେଦନ କରିଛନ୍ତି ।