ୱାୟନାଡ ଭୂ-ସ୍ଖଳନ ମୃତକଙ୍କ ସଂଖ୍ୟା ୨୦୫ ପାର, କେରଳ ସରକାରଙ୍କ ସହାୟତା ପାଇଁ ଆଗେଇ ଆସିଲେ ଗୌତମ ଆଦାନୀ

Published By : Prameya-News7 Bureau | July 31, 2024 IST

ୱାୟନାଡ : କେରଳର ୱାୟନାଡରେ ହୋଇଥିବା ଭୂ-ସ୍ଖଳନ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୦୫କୁ ପହଞ୍ଚିଛି। ୩୦ ଜୁଲାଇ ମଙ୍ଗଳବାର ମୁଣ୍ଡକ୍କଇ ଓ ଚୁରଲମାଲାରେ ମାଟି ଧସିବାର ୩ଟି ଘଟଣା ଘଟିଥିଲା। ଏହା ପରଠାରୁ ଉଦ୍ଧାର ଅଭିଯାନ ଜାରି ରହିଛି। ବୁଧବାର ମଧ୍ୟ ବର୍ଷା ଜାରି ରହିଛି। ବର୍ଷା ସତ୍ତ୍ୱେ ଉଦ୍ଧାର ଅଭିଯାନ ମଧ୍ୟ ଚାଲିଛି। କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି ଯେ ଉଦ୍ଧାର ଅଭିଯାନ ତୀବ୍ର କରାଯାଇଛି। ଏପର୍ଯ୍ୟନ୍ତ ୧୪୪ଟି ଶବ ଉଦ୍ଧାର ହୋଇଥିବା ବେଳେ ୭୯ ପୁରୁଷ ଓ ୬୪ ଜଣ ମହିଳା ଅଛନ୍ତି। 

ସେନା, ଏନଡିଆରଏଫ ଓ ଏସଡିଆରଏଫ ଜବାନମାନେ ୱାୟନାଡରେ ଲୋକଙ୍କ ଜୀବନ ବଞ୍ଚାଇବା ଅଭିଯାନରେ ଲାଗିପଡିଛନ୍ତି। ଦୁଇ ଦିନରେ ୧,୫୯୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଗାମୀ ସମୟରେ ଆହୁରି ଅନେକ ଲୋକଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯିବ ବୋଲି ଆଶା କରାଯାଉଛି। ଭୂ-ସ୍ଖଳନରେ ଫଶିଥିବା ୧୩୮୬ ଜଣଙ୍କୁ ବିଭିନ୍ନ ରିଲିଫ କ୍ୟାମ୍ପରେ ଶରଣ ଦିଆଯାଇଥିବା ବେଳେ ୨୦୧ ଜଣଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 


ୱାୟନାଡ ଭୂ-ସ୍ଖଳନ ପୀଡ଼ିତଙ୍କ ଲାଗି ଆଦାନୀ ସମୂହ ଅଧ୍ୟକ୍ଷ ଗୌତମ ଆଦାନୀ କେରଳ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରସମନ ପାଣ୍ଠିକୁ ୫ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏ ନେଇ ସେ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ‘ୱାୟନାଡରେ ହୋଇଥିବା ଦୁଃଖଦ ମୃତ୍ୟୁରେ ମୁଁ ବହୁତି ଦୁଃଖି, ପୀଡ଼ିତ ପରିବାରଙ୍କ ସହିତ ମୋର ସମବେଦନା ରହିଛି। ଏହି କଠିନ ସମୟରେ ଆଦାନୀ ସମୂହ କେରଳ ସହିତ ଏକଜୁଟତାର ସହିତ ଛିଡା ହୋଇଛି’ ବୋଲି ଉଲ୍ଲେଖ କରିଛନ୍ତି। 


ସାଉଦୀ ଆରବରେ କାମ କରୁଥିବା ଜିଷ୍ଣୁ ରାଜନଙ୍କ ପୁରା ପରିବାର ଭୂ-ସ୍ଖଳନରେ ସମାପ୍ତ ହୋଇଯାଇଛି। ଏଥିରେ ତାଙ୍କ ମା ମାରୁଥାଇ, ପିତା ରାଜନ, ବଡ଼ ଭାଇ ଜିନୁ, ସାନ ଭାଇ-ଭଉଣୀ ଶିଜୁ, ଜିବିନ, ଏଣ୍ଡ୍ରିୟା, ଜିଷ୍ଣୁଙ୍କ ପତ୍ନୀ ପ୍ରିୟଙ୍କା ଓ ଜେଜେମା ନାଗାମ୍ମାଙ୍କ ସହିତ ପୁରା ପରିବାର ଭୂ-ସ୍ଖଳନରେ ଭାସି ଯାଇଛନ୍ତି। ତାଙ୍କର ନିଜ ଘର ଓ ସମ୍ପର୍କୀୟଙ୍କ ଘର ବି ଭାସି ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.