ଆରମ୍ଭ ହେଲା ୨୩ ତମ ବଲାଙ୍ଗୀର ଲୋକ ଉତ୍ସବ, ପ୍ରଥମ ଥର ହେବ ଡ୍ରୋନ ଶୋ

NEWS7
water-project-vs-gas-supply-project-politics

ବଲାଙ୍ଗୀର: ଦିନରେ ଦୁଲୁକିଲା ବଲାଙ୍ଗିର ସହର ରାଜରାସ୍ତା। ରାତିରେ ଦୁଲୁକିବ ମଞ୍ଚ। ଆରମ୍ଭ ହୋଇଛି ୨୩ ତମ ବଲାଙ୍ଗୀର ଲୋକ ଉତ୍ସବ। ସୋମବାର ପ୍ରଥମେ କୋଶଳ କଳାମଣ୍ଡପରେ ମଞ୍ଚ ପୂଜା ପରେ ବାହାରିଥିଲା ସାଂସ୍କୃତିକ ଶୋଭାଯାତ୍ରା। ସହର ପରିକ୍ରମା କରିବା ସହ ପୁଣି କୋଶଳ କଳାମଣ୍ଡପକୁ ଆସିଥିଲା। ଏଥିରେ ସ୍ଥାନୀୟ କଳାକାର ଠାରୁ ରାଜ୍ୟ ବାହାର କଳାକାର ଯୋଗ ଦେଇଥିଲେ। ଏହି ଉତ୍ସବ ୫ ଦିନ ଧରି ପାଳନ ହେବ।

ଏଥିରେ ଜିଲ୍ଲାର ଐତିହାସିକ ସ୍ଥଳୀ, କଳା ସଂସ୍କୃତି ଏବଂ ପରମ୍ପରାକୁ ଚଳିତ ବର୍ଷ ପ୍ରଥମ ଥର ନେଇ ଡ୍ରୋନ ଶୋ ହେବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବେ । ଲୋକଉତ୍ସବରେ ଚଳିତ ବର୍ଷ ଗୁଜୁରାଟ, ଆସାମ, ପଞ୍ଜାବ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଜମ୍ମୁ ଓ କାଶ୍ମୀର, ହରିୟଣା, ପଶ୍ଚିମବଙ୍ଗ, କେରଳ ପ୍ରଭୃତି ରାଜ୍ୟର ଲୋକ ନୃତ୍ୟ ଦଳ ଅଂଶଗ୍ରହଣ କରିବେ।

ଏହା ବ୍ୟତୀତ ଆମ ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, ସୁବର୍ଣ୍ଣପୁର, ସମ୍ବଲପୁର, ବରଗଡ଼, ରାୟଗଡ଼, ଗଞ୍ଜାମ, ପୁରୀ ଓ ବଲାଙ୍ଗିର ଜିଲ୍ଲାର ପ୍ରମୁଖ ସାଂସ୍କୃତିକ ଦଳ ଏହି ଖୋଲା ରଙ୍ଗମଞ୍ଚରେ ନିଜର ନୃତ୍ୟକଳା ପରିବେଷଣ କରି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବେ ।

ଏଥିରେ ମୋଟ ୨୯୫ଟି ଷ୍ଟଲ ରହିବ, ଯେଉଁଥିରେ ପଲ୍ଲୀଶ୍ରୀ ମେଳା, ସୁଭଦ୍ରା ଶକ୍ତି ମେଳା ଏବଂ ସ୍ୱଦେଶୀ ମେଳା ପ୍ରମୁଖ ସାମିଲ ଅଛି। ଏହା ସହିତ ବିଭିନ୍ନ ରାଜ୍ୟ ତଥା ଜିଲ୍ଲାରୁ ଆସିଥିବା ୧୫ଟି ଖାଦ୍ୟ ଷ୍ଟଲ ମଧ୍ୟ ରହିବ। ବଲାଙ୍ଗିରବାସୀଙ୍କୁ ଏହି ଲୋକ ଉତ୍ସବରେ ବହୁ ସଂଖ୍ୟାରେ ଯୋଗ ଦେଇ କଳାକାରଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।