ଭଦ୍ରକ ୨୬।୦୮ : ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତିରେ ଆସୁଛି ସୁଧାର । ବିପଦ ସଙ୍କେତ ତଳେ ବୈତରଣୀ । ସୋମବାର ଅପରାହ୍ନ ଠାରୁ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବୈତରଣୀ ନଦୀ । ତଥାପି ଅନେକ ଅଞ୍ଚଳ ଏବେବି ପାଣି ଘେରରେ ରହିଛନ୍ତି ।
କେନ୍ଦୁଝର ଓ ଆନନ୍ଦପୁରରେ ଲଗାଣ ବର୍ଷା ଭଦ୍ରକରେ ବନ୍ୟା ସ୍ଥିତି ସୃଷ୍ଟି କରିଥିଲା । ଭଦ୍ରକ ଜିଲ୍ଲାର ଆଖୁଆପଦା ଅନିକଟ ନିକଟରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ଆଜି ସକାଳ ସୁଦ୍ଧା ୧୭.୯୭ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର କଣ୍ଟି ଘାଇ, ଧାମନଗର ବ୍ଲକର ମଲ୍ଲି ମହାରା ଓ ଗୌରାଙ୍ଗପୁର ଏସକେପ୍ ଦେଇ ବନ୍ୟା ଜଳ ପ୍ରବାହ ବନ୍ଦ ହୋଇଛି । କେତେକ ସ୍ଥାନରେ ନଦୀ ବନ୍ଧ ପ୍ରବାହିତ ହୋଇଥିବା ବେଳେ ମରାମତି କାର୍ଯ୍ୟ ଚାଲିଛି । ବାଲିବସ୍ତା ଓ ବଲ୍ଲା ଦେଇ ବନ୍ଧ ସୁରକ୍ଷା କରାଯାଇଛି । ଏହି ବନ୍ୟାରେ ଭଦ୍ରକ ଜିଲ୍ଲାର ୪ ବ୍ଲକ ପ୍ରବାହିତ ହୋଇଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକର ପ୍ରାୟ ୧୭ ହଜାର ଲୋକ ପ୍ରଭାବିତ ହୋଇଚନ୍ତି । ଧାମନଗର ବ୍ଲକର ହସନାବାଦ ଓ ଅର୍ଜୁଲପୁର ପଞ୍ଚାୟତର ସମସ୍ତ ଅଙ୍ଗନଓ୍ୱାଡି କେନ୍ଦ୍ର ଓ ଅର୍ଜୁନପୁର, ହସନାବାଦ ଶୋହଡ଼ା, ପଧାନି ପଞ୍ଚାୟତର ୨୫ ସ୍କୁଲକୁ ମଙ୍ଗଳବାର ଦିନ ଛୁଟି ଘୋଷଣା କରାଯାଇଛି । ଉପରମୁଣ୍ଡରେ ବର୍ଷା କମ୍ ଥିବାରୁ ବନ୍ୟା ଆଶଙ୍କା ଟଳିଛି ।