ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ଭି.କେ. ପାଣ୍ଡିଆନ୍, ବିଜେଡିର ପରାଜୟ ପାଇଁ ମାଗିଲେ କ୍ଷମା

Published By : Prameya-News7 Bureau | June 09, 2024 IST

ଭୁବନେଶ୍ବର ୯।୬: ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନ୍ । ଏକ ଭିଡିଓ ବାର୍ତ୍ତା ଜରିଆରେ ରାଜନୀତିକୁ ଅବସର ନେଇ ଘୋଷଣା କଲେ ପାଣ୍ଡିଆନ୍ । ବିଜେଡିର ପରାଜୟ ପାଇଁ ଦଳୀୟ କର୍ମୀଙ୍କ ସହ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ପାଣ୍ଡିଆନ୍ । 

ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ମୁଁ ଏକ ଛୋଟିଆ ଗାଁରୁ ଏବଂ ଏକ ସାଧାରଣ ପରିବାରରୁ ଆସିଛି । ପିଲାଟି ଦିନରୁ ଲୋକଙ୍କ ସେବା କରିବାର ଇଚ୍ଛା ଥିଲା । ସେଥିପାଇଁ ମୁଁ ଆଇଏଏସ୍ ଜଏନ୍ କଲି ଏବଂ ଲୋକଙ୍କ ସେବା କଲି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ମୁଁ ଲୋକଙ୍କ ସେବା କରିବାର ସୁଯୋଗ ପାଇଲି । ମୋ ପରିବାର କେନ୍ଦ୍ରାପଡ଼ାରେ ଥିବା ହେତୁ ମୁଁ ଓଡିଶା ଆସିଲି । ମୁଁ ଲୋକଙ୍କ ସେବା କରିବାର ସୁଯୋଗ ପାଇଲି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାମ କରିବାର ସୌଭାଗ୍ୟ ମିଳିଛି । ଓଡିଶା ପାଇଁ କାମ କରିବା ବେଳେ ଓଡ଼ିଶା ଲୋକଙ୍କ ଭଲ ପାଇବା ମିଳିଛି । 

ଧର୍ମଗଡରୁ ରାଉରକେଲା, ମୟୂରଭଞ୍ଜ, ଗଞ୍ଜାମରେ ମୁଁ କଠିନ ପରିଶ୍ରମ କରିଛି । ୧୨ ବର୍ଷ ତଳେ ମୁଁ ନବୀନ ପଟ୍ଟନାୟକଙ୍କ ଅଫିସରେ ଜଏନ୍ କରିଥିଲି । ମୋର ସୌଭାଗ୍ୟ ଯେ ମୁଁ ନବୀନ ପଟ୍ଟନାୟକଙ୍କ ପାଇଁ କାମ କରିବାକୁ ସୁଯୋଗ ପାଇଲି । ନବୀନ ପଟ୍ଟନାୟକଙ୍କ ଅଭିଜ୍ଞତା, ଦକ୍ଷତା, ଓଡିଶା ଲୋକଙ୍କ ପାଇଁ ସେବା ମୋତେ ବେଶ୍ ପ୍ରଭାବିତ କରିଥିଲା । ନବୀନଙ୍କ ଭିଜନ ଓଡ଼ିଶା କାର୍ଯ୍ୟକାରୀ କରିବାକୁ ମୁଁ ଶପଥ ନେଇଥିଲି । ଗତ ୧୨ ବର୍ଷ ଧରି ଭୋରରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୁଁ ଓଡ଼ିଶାର ବିକାଶ କଥା ଚିନ୍ତା କରିଛି । ନବୀନ ପଟ୍ଟନାୟକ ମୋର ଗୁରୁ, ମୁଁ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବା ପାଇ ଗତ ବର୍ଷ ନଭେମ୍ବରରେ ମୁଁ ବିଜୁ ଜନତା ଦଳରେ ସାମିଲ ହୋଇଥିଲି । ରାଜନୀତିରେ କୌଣସି ପଦ ପଦବୀ ପାଇଁ ମୁଁ ଲାଳାୟିତ ନଥିଲି । ପୈତୃକ ସମ୍ପତ୍ତି ଛଡ଼ା ଅନ୍ୟ କେଉଁଠି ସମ୍ପତ୍ତି ନାହିଁ । ଚାକିରିର ୨୪ ବର୍ଷ ପରେ ମଧ୍ୟ ସେତିକି ହିଁ ସମ୍ପତ୍ତି ଅଛି । 

ରାଜନୀତିକୁ ଆସିବାର ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା ମୋର ଗୁରୁ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବା । ଏବେ ମୁଁ ସକ୍ରିୟ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ମୋର ଏହି ଯାତ୍ରାରେ ଯଦି ମୁଁ କାହାକୁ ଦୁଃଖିତ କରିଛି ସେଥିପାଇଁ ମୁଁ କ୍ଷମା ମାଗୁଛି । ମୋ ପ୍ରଚାର ଯୋଗୁଁ ଯଦି ବିଜେଡିକୁ କ୍ଷତି ପହଞ୍ଚିଛି, ସେଥିପାଇଁ ଦୁଃଖିତ । ମୁଁ ହାତଯୋଡି ବିଜୁ ପରିବାରର ସମସ୍ତ ସଦସ୍ୟ ଓ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ  କ୍ଷମା ମାଗୁଛି । ମୁଁ ସବୁବେଳେ ଓଡିଶାକୁ ମୋ ହୃଦୟରେ ରଖିବି, ମୋ ନିଶ୍ବାସରେ ମୋ ଗୁରୁ ନବୀନ ବାବୁଙ୍କୁ ରଖିବି ।


You Can Read :

୧୨ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ, ୧୧ରେ ବସିବ ବିଧାୟକ ଦଳ ବୈଠକ : ଯତୀନ ମହାନ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.