ଅର୍କକ୍ଷେତ୍ରକୁ ଗଡ଼ିବ ଭିଷ୍ଟାଡମ୍ ଟ୍ରେନ୍ ; ପର୍ଯ୍ୟଟନ କ୍ଷେତ୍ରରେ ହେବ ବିକାଶ

Published By : Prameya-News7 Bureau | August 25, 2025 IST

କୋଣାର୍କ : ଭୁବନେଶ୍ୱର,ପୁରୀ କୋଣାର୍କ ସ୍ବର୍ଣ୍ଣ ତ୍ରୀଭୁଜରେ ନୂଆ ଅଧ୍ୟାୟ ଯୋଡ଼ି ହେବ। ନୂତନ ରେଳ ଲାଇନ ପର୍ଯ୍ୟଟନସ୍ଥଳୀ କୋଣାର୍କକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଯୋଡି ପରିବ ବୋଲି ଅନୁମାନ କରାଯାଉଛି। ନୂତନ ରେଳ ସେବା କୋଣାର୍କ ସୂର୍ଯ୍ୟମନ୍ଦିର, ସ୍ବର୍ଣ୍ଣାଭ ବେଳାଭୂମି ଓ ପ୍ରାକୃତିକ ସବୁଜିମା ଭରା ବେଳାମାର୍ଗ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଅନନ୍ୟ ଅନୁଭୂତି ଆଣିଦେବ। ଦେଶ ବିଦେଶର ପର୍ଯ୍ୟଟକମାନେ ଭିଷ୍ଟାଡମ ଟ୍ରେନରେ ବସି ପ୍ରାକୃତିକ ସ୍ୟୈନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରିବେ ବୋଲି କୋଣାର୍କବାସୀ କୁହନ୍ତି। 

ପୁରୀ ମାଳତୀ ପାଟପୁର ଠାରୁ କୋଣାର୍କ ନୂଆଗାଁ ପର୍ଯ୍ୟନ୍ତ ପ୍ରାୟ ୩୨କିଲୋମିଟର ରେଳ ଲାଇନ ପାଇଁ ୪୯୨କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁରୀ କରିଥିବା ସୂଚନା ରହିଛି। ଏନେଇ ଜମି ଅଧିଗ୍ରହଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷକରି କୋଣାର୍କ ଥାନା ଅନ୍ତର୍ଗତ ସଦାନନ୍ଦପୁର, ଅଚ୍ୟୁତପୁର,ଗୁଣ୍ଡି, ଗ୍ରାମ ଗୁଡିକ ଜମି ଅଧିଗ୍ରହଣ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ନୋଟିଫିକେଶନ ଜାରି ହୋଇଛି। ଏହି ରେଳପଥ ମାଳତୀ ପାଟପୁର ଠାରୁ ୯ଗୋଟି ପଞ୍ଚାୟତ ତଥା ବଡତାର, ବଣିଆସାହି, ସୁତନ, ଅଚ୍ୟୁତପୁର ଏବଂ ବାନଖଣ୍ଡି ପଞ୍ଚାୟତ ଦେଇ ଶିମିଳି ପଞ୍ଚାୟତ ନୂଆଗାଁ ପର୍ଯ୍ୟନ୍ତ ଆସିବ ଯାହା ଫଳରେ ନୂଆଗାଁ ଠାରେ ୮୦ ଏକର ଜମିରେ ରେଳ ଷ୍ଟେସନ କରାଯିବାର ରୋଡ୍ ମ୍ୟାପ କରିଛି ରେଳ ବିଭାଗ। ଫଳରେ ପୋରତରା, ଭିଙ୍ଗୁରାଡି ଓ କୋଣାର୍କ ୩ଟି ଷ୍ଟେସନ ରହିବ ବୋଲି ସୂଚନା ମିଳିଛି। ଏହି ରେଳପଥ ପାଇଁ ନୂଆନଇ, ଧନୁଆ ଓ କୁଶଭଦ୍ରା ନଦୀ ରହୁଥିବାରୁ ୮ଟି ବଡ଼ ପୋଲ,୨୭ଛୋଟ ପୋଲ ଓ ୨ଟି ରୋଡରେ ଓଭରବ୍ରୀଜ ନିର୍ମାଣ ହେବ। ଏହି ରେଳ ଯାତ୍ରାରେ ବାଲୁଖଣ୍ଡ ଅଭୟାରଣ୍ୟ ଓ ସବୁଜିମା ଭରା ପ୍ରାକୃତିକ ପରିବେଶରେ ଭରପୁର ମଜ୍ଜା ନେଇପାରିବେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ। 

କୋଣାର୍କରେ ରାତ୍ରୀଯାପନ ପାଇଁ ବିଶେଷ ସୁବିଧା ନଥିବାରୁ ଅଧିକାଂଶ ପର୍ଯ୍ୟଟକ ସଂଧ୍ୟା ହେଲେ ପୁରୀ ଫେରୁଛନ୍ତି । କୋଣାର୍କ ପର୍ଯ୍ୟଟକ ଶୂନ୍ୟ ହୋଇପଡୁଛି।  ଏଠାରେ ପଞ୍ଚତାରକା ହୋଟେଲ ସୁବିଧା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ବ୍ୟବସ୍ଥା ରହିଲେ ଏହି ଯୋଜନା ପାଇଁ ବିଶେଷ ଲାଭଦାୟକ ହେବା ସହ କୋଣାର୍କର ବିକାଶ ହେବ ବୋଲି ବିଶ୍ୱାସ। ନୂଆ ରେଳପଥ କୋଣାର୍କ ଉତ୍ସବ ଓ ମାଘ ସପ୍ତମୀରେ ଲକ୍ଷାଧିକ ଲୋକଙ୍କ ସମାଗମ ଯାତାୟାତରେ ଅନେକ ସହଯୋଗ କରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.