News7 Logo

ମଙ୍ଗଳବାର ଉପ-ରାଷ୍ଟ୍ରପତି ଭୋଟ, ଏନ୍‌ଡିଏ ପ୍ରାର୍ଥୀଙ୍କ ପଲ୍ଲା ଭାରି, ଦିଲ୍ଲୀ ଗଲେ ନବୀନ

NEWS7
deputy

ଭୁବନେଶ୍ୱର ୦୮/୦୯: ଆସନ୍ତା ୯ ତାରିଖରେ ଦେଶର ସପ୍ତଦଶ ଉପରାଷ୍ଟ୍ରପତି ନିର୍ବାଚନ ହେବ । ସଂସଦ ଭବନର ରୁମ ନମ୍ବର ଏଫ-୧୦୧  (ବସୁଧା)ରେ ପୂର୍ବାହ୍ନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ମତଦାନ ଶେଷ ହେବା ପରେ ଅପରାହ୍ନ ୬ଟାରେ ଭୋଟ ଗଣତି କରାଯିବ ଏବଂ ଫଳାଫଳ ଘୋଷଣା ହେବ ବୋଲି ରାଜ୍ୟସଭାର ମହାସଚିବ ତଥା ରିଟର୍ଣ୍ଣିଂ ଅଫିସର ପି.ସି ମୋଦି କହିଛନ୍ତି ।

ଏଥର ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ବରିଷ୍ଠ ବିଜେପି ନେତା ସିପି ରାଧାକ୍ରିଷ୍ଣନ ଏବଂ ବିରୋଧୀ ଇଣ୍ଡି ମେଣ୍ଟ ପ୍ରାର୍ଥୀ ତଥା  ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ମୁକାବିଲା ହେଉଛି । ଉଭୟ ପ୍ରାର୍ଥୀ ଉତ୍ତର ଭାରତର ।  ରାଧାକ୍ରିଷ୍ଣନ ତାମିଲନାଡ଼ୁ ଏବଂ ଜଷ୍ଟିସ୍‌ ରେଡ୍ଡୀ  ତେଲଙ୍ଗାନାର ବାସିନ୍ଦା । ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରବିବାର  ଏନ୍‌ଡିଏ ସାଂସଦମାନଙ୍କର ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି ।

ଦିଲ୍ଲୀ ସଂସଦ ପରିସରରେ ଥିବା ଜିଏମ୍‌ସି ବାଳଯୋଗୀ  ଅଡିଟୋରିୟମରେ ଚାଲିଥିବା କର୍ମଶାଳାର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ । ତେବେ ସେ ହଲ୍‌ରେ ସମସ୍ତଙ୍କ ପଛରେ ବସିଥିବା ଦେଖିବାକୁ ମିଳିଥିଲା । ଗୋରଖପୁର ସାଂସଦ ରବି କିଶନ, ରାଜ୍ୟସଭା ସଦସ୍ୟ ସଙ୍ଗୀତା ବଳବନ୍ତ ଏହାର ଫଟୋ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । କର୍ମଶାଳାର ଉଦ୍ଦେଶ୍ୟ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଶତ  ପ୍ରତିଶତ ଭୋଟିଂ ପାଇଁ ସାଂସଦମାନଙ୍କୁ ଟ୍ରେନିଂ ଦେବା । ୧୯୯୭ ଠାରୁ ବିରୋଧୀ ଦଳମାନେ କ୍ରମାଗତ  ଭାବେ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଦେଇଆସୁଛନ୍ତି ।  

ହେଲେ ଶାସକ ଦଳର ପ୍ରାର୍ଥୀ ସବୁଥର ନିର୍ବାଚନରେ ବିଜୟୀ ହୋଇଛନ୍ତି । କିନ୍ତୁ ଭୋଟ ହାରରେ କମ୍‌ ଓ ବେଶି ଦେଖାଯାଇଛି । ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ ଦେଇଥାନ୍ତି । ସେମାନଙ୍କୁ ନେଇ  ଇଲେକ୍ଟୋରାଲ କଲେଜ ଗଠନ କରାଯାଇଥାଏ । ଏହି  ଇଲେକ୍ଟୋରାଲ କଲେଜରେ ଉଭୟ ଗୃହର ମୋଟ ୭୮୮ ସାଂସଦ  ସ୍ଥାନ ପାଇଥାନ୍ତି । ଅର୍ଥାତ ସେମାନେ ଭୋଟ ଦେବାକୁ ଯୋଗ୍ୟ  ବିବେଚିତ ହୋଇଥାନ୍ତି । ସେମାନଙ୍କ ମଧ୍ୟରେ ରାଜ୍ୟସଭାର ୨୩୩ ନିର୍ବାଚିତ ସଦସ୍ୟ, ୧୨ ଜଣ ମନୋନୀତ ସଦସ୍ୟ ଏବଂ ଲୋକସଭାର ୫୪୩ ଜଣ ସଦସ୍ୟ ସାମିଲ ଅଛନ୍ତି । ହେଲେ ବର୍ତ୍ତମାନ ଇଲେକ୍ଟୋରାଲ କଲେଜର ସଦସ୍ୟ ସଂଖ୍ୟା ରହିଛି  ୭୮୨ ।

ବର୍ତ୍ତମାନ ଲୋକସଭାର ୫ ଓ ରାଜ୍ୟସଭାର ଗୋଟିଏ ଆସନ ଖାଲି ରହିଛି । ନିର୍ବାଚନ ଲାଗି ଜଣେ ପ୍ରାର୍ଥୀଙ୍କୁ ଅତିକମ୍‌ରେ ୩୯୨ ଭୋଟ ଆବଶ୍ୟକ । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଏନ୍‌ଡିଏ ପ୍ରାର୍ଥୀଙ୍କ ପଲା ଭାରି ଅଛି । କାରଣ ତାଙ୍କ ସପକ୍ଷରେ ୪୨୩  ସଦସ୍ୟଙ୍କ ସମର୍ଥନ ରହିଛି । ସେଥିରେ ଲୋକସଭାର ୨୯୩  ଏବଂ ରାଜ୍ୟସଭାର ୧୩୦ ସଦସ୍ୟ ଅଛନ୍ତି । ଯଦି ଏନ୍‌ଡିଏର ସବୁ ସଦସ୍ୟ ରାଧାକ୍ରିଷ୍ଣଙ୍କ ସପକ୍ଷରେ ମତଦାନ କରନ୍ତି ତେବେ  ତାଙ୍କ ବିଜୟ ସୁନିଶ୍ଚିତ । ଏହାବ୍ୟତୀତ ୱାଇଏସ୍‌ଆରସିପି ମଧ୍ୟ  ତାଙ୍କୁ ସମର୍ଥନ ଘୋଷଣା କରିଛି । ସେପଟ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ ।