News7 Logo

ମଙ୍ଗଳବାର ଉପ ରାଷ୍ଟ୍ରପତି ନିର୍ବାଚନ, ୧୦ଟାରୁ ଭୋଟିଂ; ନମ୍ବର ଗେମରେ ଢେର ଆଗରେ ଏନଡିଏ

NEWS7
vice presidential election

ଭୁବନେଶ୍ଵର: କାଲି ଉପରାଷ୍ଟ୍ରପତି ନିର୍ବାଚନ । ଜଗଦୀପ ଧନଖଡ଼ଙ୍କ ଇସ୍ତଫାର ୫୦ ଦିନ ପରେ ନିଯୁକ୍ତ ହେବ ନୂଆ ଉପରାଷ୍ଟ୍ରପତି । ସଂସଦ ଭବନରେ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟଗ୍ରହଣ । ସଂଧ୍ୟା ୬ଟାରେ ଭୋଟ ଗଣତି ପରେ ଫଳ ଘୋଷଣା ହେବ । ମଇଦାନରେ ଅଛନ୍ତି NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ ବନାମ I.N.D.I.A ମେଣ୍ଟ ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀ । ତାମିଲନାଡ଼ୁର ରାଧା କ୍ରିଷ୍ଣନ ଜଣେ ଫୋକତ ରାଜନେତା । ସେ ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି । ସେହିଭଳି ତେଲେଙ୍ଗାନାର ସୁଦର୍ଶନ ରେଡ୍ଡୀ ଜଣେ ପୂର୍ବତନ ସୁପ୍ରିମ କୋର୍ଟ ବିଚାରପତି ।

ତେବେ ସଂଖ୍ୟା ଗଣିତରେ ଆଗରେ ରହିଛି NDA ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭା ସାଂସଦ ହିଁ ଭୋଟ୍ ଦେଇପାରିବେ । କଣ କହୁଛି ନମ୍ବର ଗେମ୍ ? ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇପାରିବେ ୭୮୮ ସାଂସଦ । ଏବେ ଖାଲି ପଡ଼ିଛି ୭ ସାଂସଦ ପଦ । ତେଣୁ ୭୮୧ ସାଂସଦ ଭୋଟ୍ ଦେଇପାରିବେ । ବିଜେଡିର ୭ ଓ ବିଆରଏସ୍ ର ୪ ବିଧାୟକ ଭୋଟ୍ ଦାନରୁ ବିରତ ରହିବାକୁ ଉଭୟ ଦଳ ଘୋଷଣା କରିଛନ୍ତି । ଏମିତିରେ ୭୭୦ ସାଂସଦ ଭୋଟ୍ ଦେଇପାରିବେ । ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀଙ୍କୁ ବିଜୟ ପାଇଁ ଆବଶ୍ୟକ ୩୮୬ ଭୋଟ୍ । NDA  ପାଖରେ ଅଛନ୍ତି ୪୨୭ ସାଂସଦ । ସେହିଭଳି I.N.D.I.A ମେଣ୍ଟ ପାଖରେ ଅଛନ୍ତି ୩୫୪ ସାଂସଦ । ଏମିତିରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ଙ୍କ ପଲା ଭାରି ରହିଛି ।

ଏହି ନିର୍ବାଚନରେ ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜେଡି ଭୋଟରୁ ବିରତ ରହିବାକୁ ନିଷ୍ପତ୍ତି ନେଇଛି। ନୂଆଦିଲ୍ଲୀରେ ନବୀନ ପଟ୍ଟନାୟକ ବିଜେଡିର ସାତ ରାଜ୍ୟସଭା ସାଂସଦଙ୍କ ସହ ବୈଠକରେ ଭୋଟ୍‌ରୁ ଦୁରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେଡି ତେଲେଙ୍ଗାନାର ବିଆରଏସ ମଧ୍ୟ ଭୋଟରୁ ବିରତ ରହିବାକୁ ନିଷ୍ପତ୍ତି ନେଇଛି।