ନୂଆଦିଲ୍ଲୀ: ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି । ଫଳରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ କଷ୍ଟ, ଭୟ ଏବଂ ଚିନ୍ତା ବୃଦ୍ଧି ପାଇଛି। ଦେଶର ଅଧିକାରୀମାନେ ରଏଟର୍ସକୁ କହିଛନ୍ତି ଯେ, ଆମେରିକା ଆଗାମୀ ଦିନରେ ଭେନେଜୁଏଲା ବିରୁଦ୍ଧରେ ଏକ ନୂତନ ପର୍ଯ୍ୟାୟ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ତେଣୁ ମାଦୁରୋଙ୍କ ଚିନ୍ତା ଏତେ ବୃଦ୍ଧି ପାଇଛି ଯେ, ସେ ଠିକ୍ ଭାବରେ ଶୋଇ ପାରୁନାହାନ୍ତି। ଅଧିକାରୀଙ୍କ ଅନୁଯାୟୀ, ଆମେରିକା ଆଗାମୀ ଦିନରେ ଦେଶ ବିରୁଦ୍ଧରେ ନୂତନ ଅଭିଯାନ ଲାଗି ଯୋଜନା କରୁଛି । ମାଦୁରୋଙ୍କୁ ପଦରୁ ହଟାଇବା ପାଇଁ ସିଆଇଏ ଅପରେସନ କରିପାରେ । ଏହା ତାଙ୍କୁ ଚିନ୍ତାରେ ପକାଇଛି ଏବଂ ସେ ଭୟରେ ମଧ୍ୟ ଅଛନ୍ତି ।

ବ୍ରିଟେନର ଟେଲିଗ୍ରାଫ ଖବରକାଗଜ ଭେନେଜୁଏଲାର ରାଷ୍ଟ୍ରପତିଙ୍କ ବିଷୟରେ ରିପୋର୍ଟ କରିଥିଲା । ଏଥିରୁ ଜଣାପଡ଼ିଛି ମାଦୁରୋ ଶୋଇ ପାରୁନାହାନ୍ତି। ରାଷ୍ଟ୍ରପତି ମାଦୁରୋ ସବୁବେଳେ ସତର୍କ ରହୁଛନ୍ତି । ତାଙ୍କର ମୁଖ୍ୟତଃ ଦୁଇଟି ଭୟ ରହିଛି । ଗୋଟିଏ ହେଉଛି, ଆମେରିକା ତାଙ୍କୁ ହତ୍ୟା କରିପାରେ । ଅନ୍ୟଟି ହେଉଛି, ତାଙ୍କ ନିଜ ଲୋକମାନେ ଆମେରିକାର ଚାପରେ ଆସି ତାଙ୍କୁ ହତ୍ୟା କରିପାରନ୍ତି।

ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାକୁ ନାର୍କୋ-ଷ୍ଟେଟ୍ ବୋଲି କହିବା ସହ ରାଷ୍ଟ୍ରପତି ମାଦୁରୋଙ୍କୁ ଡ୍ରଗ୍ସ ଚାଲାଣରେ ସମ୍ପୃକ୍ତ ବୋଲି ଅଭିଯୋଗ କରିଛନ୍ତି। ଆମେରିକା କିମ୍ବା ଘନିଷ୍ଠ ସହଯୋଗୀ ତାଙ୍କୁ ହତ୍ୟା କରିପାରନ୍ତି ବୋଲି ମାଦୁରୋ ଭୟ କରୁଛନ୍ତି । ଏନେଇ ସୋସିଆଲିଷ୍ଟ ପାର୍ଟିର ଜଣେ ନେତା ଟେଲିଗ୍ରାଫକୁ କହିଛନ୍ତି । ଭେନେଜୁଏଲାରେ ଆମେରିକାର ଶେଷ ରାଷ୍ଟ୍ରଦୂତ ଜେମ୍ସ ଷ୍ଟୋରୀ ମାଦୁରୋଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ ଟେଲିଗ୍ରାଫକୁ କହିଛନ୍ତି ଯେ, ମଦୁରୋ ଭଲରେ ଶୋଇ ପାରୁନାହାନ୍ତି । ଟ୍ରମ୍ପ ପ୍ରଶାସନ ମାଦୁରୋଙ୍କ ଦ୍ୱାରା ପରିଚାଳିତ କାର୍ଟେଲ ଅଫ୍ ଦି ସନ୍ସ ଡ୍ରଗ୍ସ ଚାଲାଣ ନେଟୱାର୍କକୁ ଏକ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିବାକୁ ପ୍ରସ୍ତୁତି କରୁଥିବାରୁ ସେ ଭୟରେ ଅଛନ୍ତି ।