ନୂଆଦିଲ୍ଲୀ ୨୯।୦୧: ଆମେରିକା ଉପରେ ଏବେ ସାରା ବିଶ୍ବର ନଜର । ରାଷ୍ଟ୍ରପତି ହେବା ପରେ ନୂଆ ନିୟମ ଲାଗୁ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏବେ ସେନାକୁ ନେଇ ହୋଇପାରେ ବଡ ଘୋଷଣା । ଆମେରିକା ସେନାରେ ତୃତୀୟଲିଙ୍ଗି ଅର୍ଥାତ୍ ଟ୍ରାନ୍ସଜେଣ୍ଡରଙ୍କ ଭର୍ତ୍ତିରେ ଉପରେ ଲାଗିପାରେ କଟକଣା । ଏ ନେଇ ଏକ କାର୍ଯ୍ୟକାରୀ ଆଦେଶରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସ୍ୱାକ୍ଷର କରିଛନ୍ତି । ଆଦେଶ ଅନୁସାରେ, ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗ୍ସେଥ୍ ପେଣ୍ଟାଗନ୍ ନୀତିର ସମୀକ୍ଷା କରିବେ ।
ଏହାପରେ ଟ୍ରାନ୍ସଜେଣ୍ଡର ସୈନିକଙ୍କୁ ଆମେରିକା ସେନାରେ ସାମିଲ କରାଯିବା ଉପରେ କଟକଣା ଲଗାଯିବା ନେଇ ହୋଇପାରେ ନିଷ୍ପତ୍ତି । ଟ୍ରମ୍ପ୍ ନିଜ ଆଦେଶରେ କହିଛନ୍ତି ତୃତୀୟଲିଙ୍ଗୀ ଭାବେ ପରିଚିତ ହେଉଥିବା ସୈନ୍ୟଙ୍କ ସେବା ଜଣେ ସୈନିକଙ୍କ ସମ୍ମାନଜନକ, ସତ୍ୟନିଷ୍ଠ ଏବଂ ଅନୁଶାସନପୂର୍ଣ୍ଣ ଜୀବନଶୈଳୀ ପ୍ରତି ପ୍ରତିବଦ୍ଧତା ସହ ଦ୍ୱନ୍ଦ୍ୱ ସୃଷ୍ଟି କରେ । ଏଥିସହ ବ୍ୟକ୍ତିଗତ ଜୀବନ ଏବଂ ଅନ୍ୟ ସୈନ୍ୟଙ୍କ ପ୍ରସ୍ତୁତି ଦୃଷ୍ଟିରୁ ବି ହାନିକାରକ ହୋଇଥାଏ ।
ତେଣୁ ଏ ସମ୍ବନ୍ଧରେ ନୀତି ପ୍ରସ୍ତୁତ କରାଯିବା ଜରୁରୀ । ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ଟ୍ରାନ୍ସଜେଣ୍ଡର ସୈନ୍ୟଙ୍କୁ ବ୍ୟାନ୍ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । କିନ୍ତୁ ଆଇନଗତ ପ୍ରକ୍ରିୟା ଯୋଗୁଁ ଏପରି କରିପାରି ନଥିଲେ । ପରେ ଜୋ ବିଡେନ କ୍ଷମତା ଗ୍ରହଣ କରିବା ପରେ ଏହି ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ।
ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳରେ ୟୁଏସ୍ ସ୍ପେସ୍ କମାଣ୍ଡ ଏବଂ ୟୁଏସ୍ ସ୍ପେସ୍ ଫୋର୍ସ ପ୍ରତିଷ୍ଠା କରିଥିଲେ । ଏବେ ମହାକାଶରେ ମିସାଇଲ୍ ଡିଫେନ୍ସ ସିଷ୍ଟମ୍ ପ୍ରତିଷ୍ଠା କରିବାକୁ ଟ୍ରମ୍ପ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକା ଅଭିଯୋଗ କରିଛି ଯେ ଚୀନ୍, ରୁଷ ଏବଂ ଅନ୍ୟାନ୍ୟ ଦେଶ ମହାକାଶରେ ଅସ୍ତ୍ରୀକରଣକୁ ପ୍ରୋତ୍ସାହିତ କରୁଛନ୍ତି ।
ଏବେ ଆମେରିକା ମଧ୍ୟ ଏହି ଦିଗରେ କାମ କରିବାକୁ ନିଷ୍ପତ୍ତି ନେଇଛି । ଏହାର ଦାୟିତ୍ୱ ସ୍ପେସ୍ ଫୋର୍ସକୁ ଦିଆଯିବ । ଟ୍ରମ୍ପ ତାଙ୍କର ଏକ ନିର୍ଦ୍ଦେଶରେ ଇସ୍ରାଏଲର ଆଇରନ ଡୋମ ଧାରାରେ ଏକ ମିସାଇଲ୍ ଡିଫେନ୍ସ ସିଷ୍ଟମ୍ ବିକଶିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୧ରେ ପ୍ରାୟ ଆଠ ହଜାର ସୈନିକ କରୋନା ଟୀକା ନେବାକୁ ମନା କରିଥିଲେ । ଏହାପରେ ଏହି ସୈନିକମାନଙ୍କୁ ନିର୍ଦ୍ଦେଶ ପାଳନ ନକରିବା ପାଇଁ ସେନାରୁ କରାଯାଇଥିଲା ବହିଷ୍କାର । ଏବେ ଟ୍ରମ୍ପ ଏହି ସୈନ୍ୟମାନଙ୍କୁ ପୁନଃସ୍ଥାପିତ କରିବାକୁ ପ୍ରସ୍ତୁତି କରୁଛନ୍ତି । ଏହି ସୈନିକମାନଙ୍କୁ ସେମାନଙ୍କର ପୁରୁଣା ପଦବୀରେ ପୁନଃସ୍ଥାପିତ କରାଯିବ ଏବଂ ପୂର୍ଣ୍ଣ ଦରମା ଦିଆଯିବ ।
ତଥାପି ତାଙ୍କୁ ନିଜର ଫିଟନେସ୍ ପ୍ରମାଣ କରିବାକୁ ପଡିବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେନାରୁ ବହିଷ୍କୃତ ୮ ହଜାର ସୈନିକଙ୍କ ମଧ୍ୟରୁ କେବଳ ୧୧୩ ଜଣ ପୁଣି ସେନାରେ ଯୋଗଦେବା ପାଇଁ ଆଗ୍ରହ ଦେଖାଇଛନ୍ତି ।