ଭାରତ ଉପରେ ଆଜିଠୁ ଆମେରିକାର ଟାରିଫ୍ ବୋମା, ଲାଗୁ ହେଲା ୫୦% ଶୁଳ୍କ

Published By : Prameya-News7 Bureau | August 27, 2025 IST

ନୂଆଦିଲ୍ଲୀ ୨୭।୦୮; ଆଜିଠୁ ଯୁକ୍ତରାଷ୍ଟ୍ର ଆମେରିକା ଭାରତ ଉପରେ ୫୦ ପ୍ରତିଶତର ଚଢ଼ା ଶୁଳ୍କ ଲାଗୁ କରିବ। ରୁଷ୍ ଠାରୁ ଅଧିକ ତେଲ କିଣି ଭାରତ ପରୋକ୍ଷରେ ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରୁଥିବା ଅଭିଯୋଗ ଆଣି ଟ୍ରମ୍ପ ନୂଆଦିଲ୍ଲୀ ଉପରେ ଜରିମାନା ଭାବେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଚଳିତ ମାସ ୬ ତାରିଖରେ ଘୋଷଣା କରିଥିଲେ। ଏଥିପାଇଁ ୨୧ ଦିନ ସମୟ ଦେଇଥିଲେ। ଏହି ମହଲତ ଆଜି ପୂରଣ ହେଉଛି। ଜୁଲାଇ ଶେଷ ସୁଦ୍ଧା ଆମେରିକା ସହିତ ବାଣିଜ୍ୟ ରାଜିନାମା କରିବାରେ ବିଫଳ ହେବାରୁ ନୂଆଦିଲ୍ଲୀ ଉପରେ ୨୫ ପ୍ରତିଶତ ପାଲଟା ଶୁଳ୍କ ୱାସିଂଟନ ଚଳିତ ମାସ ୭ ତାରିଖରୁ ଲଗାଇଛି। ଚଢ଼ାଶୁଳ୍କ ଦ୍ବାରା ଆମେରିକାକୁ ଭାରତ କରୁଥିବା ମୋଟ ୮୫ ବିଲିଅନ ଡଲାର ମୂଲ୍ୟ ରପ୍ତାନିର ୫୫ ପ୍ରତିଶତ ନିକଟ ଭବିଷ୍ୟତରେ ପ୍ରଭାବିତ ହେବ ବୋଲି ରପ୍ତାନିକାରୀମାନେ ଆଶଙ୍କା କରୁଛନ୍ତି। 

ଏହାଦ୍ବାରା ସଂକଟରେ ୫ ଲକ୍ଷ କୋଟିର ରପ୍ତାନୀ। ଏହାକୁ ନେଇ ବିକଳ୍ପ ବଜାର ଉପରେ ଭାରତ ଫୋକସ୍ କରୁଛି। ନୂଆ ଶୁଳ୍କ ଭାରତୀୟ ସମୟ ସକାଳ ୯ଟା ୩୧ ମିନିଟରୁ କାର୍ଯ୍ୟକାରୀ ହେବ। ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ନେଇ ରାଷ୍ଟ୍ରପତି ଟ୍ରମ୍ପ କରିଥିବା ଘୋଷଣା ସଂପର୍କରେ ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି। ତେବେ ଯାତାୟାତରେ ଥିବା ସାମଗ୍ରୀ, ମାନବୀୟ ସହାୟତା ଏବଂ ପାରସ୍ପରିକ ବ୍ୟାପାର କାର୍ଯ୍ୟକ୍ରମ ଅଧୀନରେ ଆସୁଥିବା ସାମଗ୍ରୀ ଉକ୍ତ ଶୁଳ୍କରୁ ବାଦ୍ ପଡ଼ିବ। 

ଏହାର ମୁକାବିଲା କିଭଳି କରାଯିବ ତାହା ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ଏକ ଜରୁରୀ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ବରିଷ୍ଠ ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମେତ ଅର୍ଥ ଓ ବାଣିଜ୍ୟ ମନ୍ତ୍ରାଳୟର ଶୀର୍ଷ ଅଧିକାରୀମାନେ ଯୋଗ ଦେଇଥିଲେ। ଭାରତ ପକ୍ଷରୁ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ରପ୍ତାନିକାରୀମାନଙ୍କୁ କି ପ୍ରକାର ରିହାତି ଦିଆଯିବ ସେନେଇ ବୈଠକରେ ନିର୍ଦ୍ଧାରଣ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.