ନୂଆଦିଲ୍ଲୀ: ଟ୍ରମ୍ପ ସରକାର କେତେବେଳେ କାହା ଉପରେ ଓଲଟି ପଡ଼ୁଛନ୍ତି ତାର କିଛି କହି ହେଉନି। ଏବେ ପୁଣି ଇରାନ ଉପରେ କଟକଣା ବଢ଼ାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଆମେରିକା। ହେଲେ ଏଥିରେ ବି ଭାରତ ଉପରେ ଲାଗିବ କଟକଣା। କାରଣ ୨୦୧୮ ମସିହାରେ ଇରାନର ରଣନୈତିକ ଚାବାହାର ବନ୍ଦରରେ କାର୍ଯ୍ୟ କରିବାକୁ ଯେଉଁ ପ୍ରତିବନ୍ଧକ କୋହଳ କରାଯାଇଥିଲା ତାକୁ ପୁଣିଥରେ ଟ୍ରମ୍ପ ସରକାର କଡ଼ାକଡ଼ି କରିଦେଇଛନ୍ତି।

କଟକଣା ଛାଡ଼ ନିର୍ଦ୍ଦେଶକୁ ଆମେରିକା ସରକାର ପ୍ରତ୍ୟାହାର କରି ନେଇଛନ୍ତି ବୋଲି ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ ୨୯ ସେପ୍ଟେମ୍ବର ୨୦୨୫ରୁ କାର୍ଯ୍ୟକାରୀ ହେବ ଆମେରିକାର ଏହି ନିର୍ଦ୍ଦେଶ ଭାରତକୁ ଅଡ଼ୁଆରେ ପକାଇବ। କାରଣ ଭାରତ ଇରାନର ଚାବାହାର ପୋର୍ଟର ମୁଖ୍ୟ ଟର୍ମିନାଲର ବିକାଶ କାର୍ଯ୍ୟ କରୁଛି। ଭାରତ ଏହି ପୋର୍ଟକୁ ୧୦ ବର୍ଷ ପାଇଁ ଲିଜ୍‌ ନେଇଛି। ଏହି ବର୍ଷ ମଧ୍ୟରେ ଭାରତ ପୋର୍ଟର ପରିଚାଳନା ଓ ରକ୍ଷଣାବେକ୍ଷଣ ଓ ବ୍ୟବସାୟ କାର୍ଯ୍ୟ କରିପାରିବ। ପାକିସ୍ତାନକୁ ବାଦ୍ ଦେଇ ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆକୁ ଏକ ବାଣିଜ୍ୟ ପଥ ପ୍ରଦାନ କରୁଥିବାରୁ ଏହି ଚାବାହାର ପୋର୍ଟ ଭାରତ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ଥିଲା। ଏବେ ଆମେରିକା ନିଷ୍ପତ୍ତି ଭାରତର ବାଣିଜ୍ୟକୁ ଗଭୀର ପ୍ରଭାବିତ କରିବ।  

ଇରାନ ସ୍ୱାଧୀନତା ଏବଂ ପ୍ରତି-ପ୍ରସାରଣ ଆଇନ (IFCA) ଅଧୀନରେ ଆମେରିକା ଏହି କଟକଣା କୋହଳ କରିଥିଲା। ଏଥିରେ ଭାରତ ଏବଂ ଅନ୍ୟାନ୍ୟ ଦେଶମାନଙ୍କୁ ଆମେରିକାର ପେନାଲ୍ଟି ବିନା ବନ୍ଦର ଉପରେ କାମ ଜାରି ରଖିବାକୁ ଅନୁମତି ଥିଲା। ହେଲେ ସେପ୍ଟେମ୍ବର ୨୯ ତାରିଖ ଠାରୁ ଆମେରିକା ପୁଣିଥରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି।

ଏନେଇ ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଇରାନ ସରାରଙ୍କୁ ଏକ ଘରିକିଆ ରଖିବାକୁ ଟ୍ରମ୍ପ ସରକାରଙ୍କର ଏହି ଚାପ ପକାଇବାର ନୀତି। କୋହଳ ପ୍ରତ୍ୟାହାର ହେବା ପରେ, ଚାବାହାର ବନ୍ଦର ପରିଚାଳନା କରୁଥିବା କିମ୍ବା IFCA ରେ ବର୍ଣ୍ଣିତ ଅନ୍ୟାନ୍ୟ କାର୍ଯ୍ୟକଳାପରେ ନିୟୋଜିତ ଥିବା ଦେଶମାନଙ୍କ ଉପରେ IFCA ଅଧୀନରେ ପ୍ରତିବନ୍ଧକ ଲାଗିବ ବୋଲି ଆମେରିକା କହିଛି।