LIVE TV

ଆମେରିକାରେ ହନୁମାନ ପ୍ରତିମୂର୍ତ୍ତିକୁ ଟ୍ରମ୍ପ ନେତାଙ୍କ ବିରୋଧ: କହିଲେ, ଖ୍ରୀଷ୍ଟିଆନ ଦେଶରେ ଅନୁମତି ଦେବା ଉଚିତ ନୁହେଁ

NEWS7
False Hindu God say Alexander Duncan

ଟେକ୍ସାସ: ଆମେରିକାର ରିପବ୍ଲିକାନ ଦଳ ଓ ଏହାର ନେତାମାନେ ଭାରତ ବିରୋଧରେ ଏକ ପ୍ରକାର ଅଭିଯାନ ଆରମ୍ଭ କରିଦେଇଛନ୍ତି। କେତେବେଳେ ଟ୍ରମ୍ପ ଭାରତର ଅର୍ଥନୀତିକୁ ପ୍ରହାର କରିବା ପାଇଁ ଗୋଟିଏ ପରେ ଗୋଟିଏ କଟକଣା ଲଗାଉଛନ୍ତି ଆଉ କେତେବେଳେ ତାଙ୍କ ପ୍ରଶାସନିକ ଅଧିକାରୀ ଓ ଦଳର ନେତାମାନେ ଭାରତ ଓ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇ ଅଯଥା ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

ଏହାରି ଭିତରେ ଆଉ ଜଣେ ରିପବ୍ଲିକାନ ନେତା ସିଧା ହିନ୍ଦୁ ଧର୍ମ ଓ ଦେବତାଙ୍କୁ ମିଛ ବୋଲି କହି ବିବାଦକୁ ଆସିଛନ୍ତି। ପ୍ରକୃତରେ ଆମେରିକାର ଟେକ୍ସାସ ସହରରେ ‘ଷ୍ଟେଚ୍ୟୁ ଅଫ୍ ୟୁନିୟନ’ ନାଁରେ ଏକ ୯୦ ଫିଟ୍‌ର ବଡ଼ ହନୁମାନ ମୂର୍ତ୍ତି ନିର୍ମାଣ ହୋଇଛି। ଆଉ ଏହି ମୂର୍ତ୍ତିକୁ ବିରୋଧ କରିଛନ୍ତି ରିପବ୍ଲିକାନ ନେତା ଆଲେକଜାଣ୍ଡାର ଡଙ୍କନ।

ସେ ଏହାର ଏକ୍ସରେ ପ୍ରତିମୂର୍ତ୍ତି ନିର୍ମାଣର ଏକ ଭିଡିଓ ଶେୟାର କରି ଲେଖିଛନ୍ତି ଆମେ କାହିଁକି ଟେକ୍ସାସରେ ଏକ ମିଥ୍ୟା ହିନ୍ଦୁ ଭଗବାନଙ୍କ ଏକ ମିଥ୍ୟା ମୂର୍ତ୍ତିକୁ ଅନୁମତି ଦେଉଛୁ? ଆମେ ଏକ ଖ୍ରୀଷ୍ଟିଆନ ଦେଶ!” ଏହି ହନୁମାନ ପ୍ରତିମୂର୍ତ୍ତି ୨୦୨୪ ଅଗଷ୍ଟରେ ଶୁଭ ଉଦ୍‌ଘାଟନ ହୋଇଥିଲା। ଏହାର ବର୍ଷିକ ପରେ ଡଙ୍କନ ଏଭଳି ବିରୋଧ କରିବା ତାଙ୍କ ରାଜନୈତିକ ମହତ୍ୱକାଂକ୍ଷାକୁ ଦର୍ଶାଉଛି। ପ୍ରକୃତରେ ଡଙ୍କନ ରିପବ୍ଲିକାନ ପାର୍ଟିରୁ ଟେକ୍ସାର ସିନେଟ ଦୌଡ଼ରେ ଅଛନ୍ତି। ତେଣୁ ସ୍ଥାନୀୟ ଲୋକମାନଙ୍କ ଭୋଟ ଆକୃଷ୍ଟ କରିବା ପାଇଁ ସେ ଧର୍ମର ବିଷ ମଞ୍ଜି ବୁଣିବ କାମ ଆରମ୍ଭ କରି ଦେଇଛନ୍ତି।

ହନୁମାନ ପ୍ରତିମୂର୍ତ୍ତି ପୋଷ୍ଟ କରିବା ପରେ ଡଙ୍କନ ଆଉ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ବାଇବଲର ଲେଖାଥିବା ନିୟମର ଏକ ଅଂଶକୁ ଉଦ୍ଧୃତ କରିଥିଲେ। ସେ ଲେଖିଥିଲେ "ତୁମେ ମୋ ଛଡା ଆଉ କୌଣସି ଦେବତାଙ୍କ ପୂଜା କରିବା ଉଚିତ୍ ନୁହଁ। ତୁମ୍ଭେ ସ୍ୱର୍ଗର, ପୃଥିବୀର କିମ୍ବା ସମୁଦ୍ରର କୌଣସି ଜିନିଷର ପ୍ରତିମା ନିର୍ମାଣ କରିବ ନାହିଁ।"

ଡଙ୍କନର ଏଭଳି ମନ୍ତବ୍ୟକୁ ଟେକ୍ସାସରେ ତୀବ୍ର ବିରୋଧ କରାଯାଇଛି। ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ଏବଂ ଭାରତୀୟ-ଆମେରିକୀୟମାନେ, ଡଙ୍କନଙ୍କର ଏଭଳି ମନ୍ତବ୍ୟକୁ "ହିନ୍ଦୁ ବିରୋଧୀ ଏବଂ ଉତ୍ତେଜକ ବୋଲି କହିଛନ୍ତି।