ନୂଆଦିଲ୍ଲୀ, ୫ |୧୧  :  ଭାରତ ଏବଂ ଆମେରିକା ସମ୍ପର୍କରେ ଆସିବ ସୁଧାର । ଆଗ ଭଳି ଦୁଇ ଦେଶ ବାଣିଜ୍ୟ କାରବାର ବୃଦ୍ଧି କରିବେ । ଏନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଲଗାତାର ଆଲୋଚନା ହେଉଥିବା କହିଛି ହ୍ୱାଇଟ୍ ହାଉସ୍ । ଖୁବ୍ ଶୀଘ୍ର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି ।

ହ୍ୱାଇଟ୍ ହାଉସର ଗଣମାଧ୍ୟମ ସଚିବ କ୍ୟାରୋଲାଇନ୍ ଲେଭିଟ୍ କହିଛନ୍ତି ଯେ, ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ ସମ୍ମାନ କରନ୍ତି । ଉଭୟ ଲଗାତାର ଭାବେ କଥାବାର୍ତ୍ତା ହେଉଛନ୍ତି । ଦୁଇ ଦେଶର ବାଣିଜ୍ୟ କାରବାର ନେଇ ପଚରାଯାଇଥିବା ଏକ ପ୍ରଶ୍ନରେ ଏହା କହିଥିଲେ ଲେଭିଟ୍ ।

ସେ ଆହୁରି କହିଥିଲେ ଯେ, ଦୁଇ ଦେଶ ଆର୍ଥିକ ସହଯୋ କ୍ଷେତ୍ରରେ ଆଲୋଚନା କରୁଛନ୍ତି । କଥାବାର୍ତ୍ତା ଆଗକୁ ବଢୁଛି । ରାଷ୍ଟ୍ରପତି ଏବଂ ତାଙ୍କ ଟିମ୍ ଭାରତ ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି । କିଛି ଦିନ ତଳେ ଦୀପାବଳି ଦିନ ମୋଦୀଙ୍କ ସହ ଟ୍ରମ୍ପ ଆଲୋଚନା କରିଥିଲେ । ଏହି ବାର୍ତ୍ତାଳାପ ବେଳେ ଟ୍ରମ୍ପଙ୍କ ସହ ଭାରତ ଓ ଆମେରିକାର ଅନେକ ଅଧିକାରୀ ଉପସ୍ଥିତ ଥିଲେ ।

ଏହା ବ୍ୟତୀତ ସେ କହିଥିଲେ ଯେ, ଟ୍ରମ୍ପ ଭାରତ ସହ ସମ୍ପର୍କ ପାଇଁ ସକରାତ୍ମକ ଅଛନ୍ତି । ନୂଆଦିଲ୍ଲୀରେ ଅବସ୍ଥିତ ୟୁଏସ ରାଷ୍ଟ୍ରଦୂତ ଭଲ କାମ କରୁଛନ୍ତି । ଭାରତ ଆମେରିକାର ଏକ ଭଲ ବନ୍ଧୁ ବୋଲି ଲେଭିଟ୍ କହିଛନ୍ତି ।

ସୂଚନାଯୋଗ୍ୟ, ଋଷଠାରୁ ତୈଳ କିଣାକୁ ନେଇ ଆମେରିକା ଏବଂ ଭାରତ ସମ୍ପର୍କରେ ତିକ୍ତତା ଆସିଥିଲା । ଟ୍ରମ୍ପ ଭାରତକୁ ଋଷଠାରୁ ତେଲ ନ କିଣିବାକୁ କହିଥିଲେ । ଯାହାକୁ ଭାରତ ମାନି ନଥିଲା । ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଭାରତ ବିରୋଧରେ ୟୁଏସ ପ୍ରେସିଡେଣ୍ଟ  ଟାରିଫ୍ ଓ୍ୱାର ଆରମ୍ଭ କରିଥିଲେ । ଯାହା ଦୁଇ ଦେଶର ବ୍ୟବସାୟିକ ସମ୍ପର୍କକୁ ପ୍ରଭାବିତ କରିଥିଲା ।